ଚିନ୍ତା ବଢାଉଛି ସ୍ମାର୍ଟସିଟିର ସଂକ୍ରମଣ । ରାଜ୍ୟରେ କମୁଛି ହେଲେ ରାଜଧାନୀରେ କମୁନି କରୋନା ।

212

କନକ ବ୍ୟୁରୋ : ରାଜ୍ୟର ଦୈନିକ ସଂକ୍ରମଣ ସଂଖ୍ୟା ଓ ସଂକ୍ରମଣ ହାର କମ୍ ରହୁଥିଲେ ବି ରାଜଧାନୀ ଭୁବନେଶ୍ୱରରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢ଼ାଉଛି । ଜୁଲାଇ ଆରମ୍ଭରେ ରାଜଧାନୀର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧୩୨୦ ଥିବାବେଳେ ଏବେ ଏହି ସଂଖ୍ୟା ୩ ହଜାର ଉପରେ ରହୁଛି । ଯାହାକି ମୁଣ୍ଡ ବିନ୍ଧାର କାରଣ ହୋଇଛି ।

ଚିନ୍ତା ବଢାଉଛି ସ୍ମାର୍ଟ ସିଟିର ସଂକ୍ରମଣ । ରାଜ୍ୟରେ କମୁଛି, ରାଜଧାନୀରେ କମୁନି । ଦେଶରେ ଆଉ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇ ସ୍ଥିର ଅବସ୍ଥାରେ ରହିଛି । ଗତ ୨୪ ଘଂଟାରେ ଦେଶରେ ୩୪ ହଜାର ୨୯୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ୯୧୧ ପଜିଟିଭ ଚିହ୍ନଟ ହୋଇଛି । ରାଜ୍ୟର ଅନେକ ଜିଲ୍ଲାରେ ସଂକ୍ରମଣ ସଂପୂର୍ଣ୍ଣ ନିୟନ୍ତ୍ରଣରେ । ହେଲେ ଭୁବନେଶ୍ୱର ସ୍ଥିତି କିନ୍ତୁ ଚିନ୍ତାଜନକ ।

ନଜର ପକାନ୍ତୁ, ଭୁବନେଶ୍ୱରର ସକ୍ରିୟ କେସ୍ କମିବା ବଦଳରେ କିଭଳି ବଢିଚାଲିଛି ।

ତାରିଖ             ସକ୍ରିୟ କେସ୍
ଜୁଲାଇ ୧             ୧୩୨୦
ଜୁଲାଇ ୨୦          ୧୪୯୬
ଅଗଷ୍ଟ ୧୦           ୨୮୨୮
ଅଗଷ୍ଟ ୧୫           ୩୦୭୭
ଅଗଷ୍ଟ ୨୦           ୩୨୯୨

ଜୁଲାଇ ଆରମ୍ଭରେ ରାଜଧାନୀରେ ସକ୍ରିୟ ସଂଖ୍ୟା ୧୩୨୦ ଥିବା ବେଳେ ଜୁଲାଇ ୨୦ ବେଳକୁ ଏହା ଥିଲା ୧୪୯୬ । ହେଲେ ଏହାପରେ ସଂଖ୍ୟା କମିବ କଣ ବଢିଚାଲିଲା । ଅଗଷ୍ଟ ୨୦ ବେଳକୁ ସକ୍ରିୟ ସଂଖ୍ୟା ୩ ହଜାର ଅତିକ୍ରମ କରିଗଲା ।

ରାଜଧାନୀର ଦୈନିକ ସଂକ୍ରମଣ ମଧ୍ୟ ୨୦୦ ଉପରେ ରହୁଛି । ଗତ ୭ ଦିନରେ ୧୭୩୪ ଜଣ ପଜିଟିଭ କେବଳ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ବଡ କଥା ହେଉଛି, ଛୋଟ ପିଲାଙ୍କ କ୍ଷେତ୍ରରେ ସଂକ୍ରମଣ ମଧ୍ୟ ରାଜଧାନୀରେ ଅଧିକ ।

ତାରିଖ                ସଂକ୍ରମଣ
୨୦ ଅଗଷ୍ଟ              ୨୯୪
୧୯ ଅଗଷ୍ଟ              ୨୬୩
୧୮ ଅଗଷ୍ଟ              ୧୯୭
୧୭ ଅଗଷ୍ଟ              ୨୩୫
୧୬ ଅଗଷ୍ଟ              ୨୧୧
୧୫ ଅଗଷ୍ଟ              ୨୨୭
୧୪ ଅଗଷ୍ଟ              ୩୦୭

ପ୍ରଶ୍ନ ଉଠୁଛି, ରାଜଧାନୀରେ କାହିଁକି କମୁନି ସଂକ୍ରମଣ
– ବାହାର ଜିଲ୍ଲା ଓ ବାହାର ରାଜ୍ୟରୁ ଲୋକ ଭୁବନେଶ୍ୱରକୁ ଅଧିକ ଆସୁଛନ୍ତି
– ଲୋକ ସଚେତନ ହୋଇ ଟେଷ୍ଟ କରୁଥିବାରୁ ଅଧିକା ରିପୋର୍ଟ ହେଉଛି
– କଟକଣା କୋହଳ ପରେ ସଂକ୍ରମଣ କିଛି ମାତ୍ରାରେ ବଢୁଛି
– ଟିକା ନେଇ ଲୋକ ଗାଇଡଲାଇନ ମାନୁନାହାନ୍ତି