ଗୋଟିଏ ଦିନରେ ଦୁଇଟି ପ୍ରବେଶିକା ପରୀକ୍ଷା : ଚିନ୍ତାରେ ପରୀକ୍ଷାର୍ଥୀ, ତାରିଖ ଘୁଞ୍ଚାଇବାକୁ ଦାବି

1,022

କନକ ବ୍ୟୁରୋ : କରୋନା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମଲେଖା ୫ ମାସ ବିଳମ୍ବ ହେଲାଣି । ସ୍ଥିତିରେ କେବେ ସୁଧାର ଆସିବ, ପାଠପଢ଼ା କେମିତି ଚାଲିବ, ପିଲାଙ୍କ ଭବିଷ୍ୟତ କ’ଣ ହେବ ସେନେଇ କାହାକୁ ଜଣା ନାହିଁ । ତା’ ଭିତରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଚାଲିଥିବା ବେଳେ କାର୍ଯ୍ୟସୂଚୀରେ ବିଭ୍ରାଟ ସାମ୍ନାକୁ ଆସିଛି । ଗୋଟିଏ ପଟେ ଭବିଷ୍ୟତକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାରଙ୍କ ବିଭାଗ-ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଛାତ୍ରଛାତ୍ରୀ ହଇରାଣ ହେଉଥିବା ନଜରକୁ ଆସିଛି ।

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ବିଏଡ୍‌ ଓ ଡିଇଏଲଇଡି(ସିଟି) ପାଠ୍ୟକ୍ରମରେ ନାମଲେଖା ପାଇଁ ଆଗକୁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଆସନ୍ତା ୩ତାରିଖରେ ରାଜ୍ୟର ବିଭିନ୍ନ କଲେଜର ବିଏଡ୍‌ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ସିଟି ପ୍ରବେଶିକା ପରୀକ୍ଷା ୮ ତାରିଖରେ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ସେହି ୮ରେ ଉତ୍କଳ ବିଶ୍ୱବିଦ୍ୟାଳୟର ବିଏଡ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଗୋଟିଏ ଦିନରେ ଦୁଇଟି ପରୀକ୍ଷା ହେବାକୁ ଥିବାରୁ ଛାତ୍ରଛାତ୍ରୀମାନେ ଦ୍ବନ୍ଦ୍ୱରେ ପଡ଼ିଛନ୍ତି। ଗୋଟିଏ ଦିନ ଏକା ସମୟରେ ଦୁଇଟି ଯାକ ପରୀକ୍ଷା ଥିବାରୁ ଉଭୟ ପାଠ୍ୟକ୍ରମ ଲାଗି ଆବେଦନ କରିଥିବା ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଉତ୍କଳ ବିଶ୍ୱବିଦ୍ୟାଳୟ ବିଏଡ୍‌ ପ୍ରବେଶିକା ପରୀକ୍ଷା ପାଇଁ ଅକ୍ଟୋବର ୨୬ରେ ଛାତ୍ରଛାତ୍ରୀଙ୍କୁ ଆଡମିଟ କାର୍ଡ ପଠାଯାଇଥିଲା । ଯେତେବେଳେ କି ସିଟି ପ୍ରବେଶିକା ପରୀକ୍ଷା ଲାଗି ଗତ ୩୦ ତାରିଖରେ ସାମ୍‌ସ କର୍ତ୍ତୃପକ୍ଷ ଆଡମିଟ କାର୍ଡ ପଠାଇଛନ୍ତି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସାମ୍‌ସ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଛାତ୍ରଛାତ୍ରୀ ହଇରାଣ ହେବାକୁ ଯାଉଛନ୍ତି । ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି କୌଣସି ଏକ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ଦାବି କରିଛନ୍ତି । ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଥରେ ପରୀକ୍ଷା ତାରିଖ ଘୁଞ୍ଚାଇ ସାରିଛନ୍ତି । ପ୍ରଥମେ ଅକ୍ଟୋବର ୮ରେ ପରୀକ୍ଷା କରାଯିବ ବୋଲି ଆଡମିଟ କାର୍ଡ ପଠା ଯାଇଥିଲା । ତେବେ ବିଭିନ୍ନ କାରଣ ଲାଗି ଏହାକୁ ସ୍ଥଗିତ ରଖାଯାଇଥିଲା ।

ସେପଟେ ଆସନ୍ତା ୩ ତାରିଖରେ ବିଭିନ୍ନ କଲେଜରେ ଥିବା ବିଏଡ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ହେବ । ତେବେ ଏନେଇ ଛାତ୍ରଛାତ୍ରୀଙ୍କୁ ୩୦ ତାରିଖରେ ସୂଚନା ଦିଆଯାଇଛି । ଆଗୁଆ ସୂଚନା ନ ଦେଇ ତରବରିଆ ଭାବେ ତାରିଖ ଘୋଷଣା କରିବାକୁ ପରୀକ୍ଷାର୍ଥୀ ସହଜରେ ଗ୍ରହଣ କରିପରି ନାହାନ୍ତି।  କରୋନା ଭଳି କଷ୍ଟକର ସମୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ନ ଖେଳିବାକୁ ଅଭିଭାବକ ମତପ୍ରକାଶ କରିଛନ୍ତି ।