କରୋନା ପ୍ରଭାବକୁ ନେଇ ଆସିଲା ଚିନ୍ତାଜନକ ତଥ୍ୟ : ମସ୍ତିଷ୍କ ଉପରେ ପ୍ରଭାବ ନେଇ ତଥ୍ୟ ପ୍ରକାଶ କଲା ୟୁରୋପୀୟ ସ୍ୱାସ୍ଥ୍ୟ ପତ୍ରିକା ସିଜର ; ବୟସ୍କଙ୍କ କ୍ଷେତ୍ରରେ କଥା କହିବା ଓ ବୁଝିବା ଶକ୍ତିରେ ହେଉଛି ଅସୁବିଧା

252

କନକ ବ୍ୟୁରୋ : କୋଭିଡ୍ ଏବଂ ଏହାର ପ୍ରଭାବକୁ ନେଇ ସାରା ବିଶ୍ୱରେ ଚାଲିଛି ଗବେଷଣା । ଭୂତାଣୁର ଗୁଣଧର୍ମକୁ ନେଇ ଯେମିତି ଗବେଷଣା ଚାଲିଛି, ସେମିତି ଚାଲିଛି ଏହାର ପ୍ରଭାବ ଉପରେ ଅଧିକ ଅନୁସନ୍ଧାନ । ୮୦ରୁ ଅଧିକ ଗବେଷଣାର ତଥ୍ୟକୁ ଅନୁଧ୍ୟାନ କରିବା ପରେ କୋଭିଡ ସଂକ୍ରମଣର ପ୍ରଭାବ ମସ୍ତିଷ୍କ ଉପରେ ପଡୁଥିବା ଜଣାପଡିଛି । ୟୁରୋପିଆନ୍ ଜର୍ନାଲ ଅଫ୍ ଏପିଲେପ୍ସି – ‘ସିଜର୍’ ପତ୍ରିକାରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ମସ୍ତିଷ୍କରେ ଅସ୍ୱାଭାବିକତା ଦେଖିବାକୁ ମିଳିଛି । ଇଲେକ୍ଟ୍ରୋଏନ୍ସେଫାଲୋଗ୍ରାମ୍ – ଇଇଜି ସ୍କାନର ତଥ୍ୟ ଏହାକୁ ପ୍ରମାଣ କରୁଛି ବୋଲି ଉଲ୍ଲେଖ କରିଛି ଏହି ପତ୍ରିକା ।

ତେବେ ଇଇଜି ରିପୋର୍ଟ ଅନୁସାରେ ମସ୍ତିଷ୍କର କିଛି ଅଂଶ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ସୂଚନା ଦେଉଛି । ଏହା ସହ ବୟସ୍କ ପୁରୁଷଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖାଯାଉଥିବା କୁହାଯାଉଛି । ଏନେଇ ସୂଚନା ଦେଇଛନ୍ତି ଆମେରିକାର ବେଲର କଲେଜ୍ ଅଫ୍ ମେଡିସିନର ସ୍ନାୟୁ ବିଭାଗ ବିଶେଷଜ୍ଞ ଜୁଲ୍ଫି ହନିଫ୍ । ଫଳରେ କହିବାରେ ଅସୁବିଧା ସହ ବୁଝିବା ଶକ୍ତିରେ ମଧ୍ୟ ଅସୁବିଧା ସୃଷ୍ଟି କରୁଥିବା କହିଛନ୍ତି ହନିଫ । ଅମ୍ଲଜାନ ଗ୍ରହଣରେ ଅସୁବିଧା ଯୋଗୁଁ ହୃଦ୍ପିଣ୍ଡ ସହ ଅନ୍ୟ ଅଙ୍ଗରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ।

କୋଭିଡରୁ ସୁସ୍ଥ ହେବା ପରେ ବହୁ ପ୍ରକାର ଅସୁସ୍ଥତାରେ ସୁଧାର ଆସୁଥିଲେ ମଧ୍ୟ ମସ୍ତିଷ୍କ ଜନିତ ସମସ୍ୟାର ସୁଧାର ହେବା ସମ୍ଭାବନା କମ୍ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ଏହାକୁ ନେଇ ସ୍ପଷ୍ଟ ଭାବେ କୁହାଯାଇ ନପାରିଲେ ମଧ୍ୟ କୋଭିଡ ସହ ମସ୍ତିଷ୍କର ଅବସ୍ଥା ନେଇ କିଛି ସଂପର୍କ ରହିଥିବା ଅନୁମାନ କରୁଛନ୍ତି ବିଶେଷଜ୍ଞ ।