କ୍ୟାମେରାରେ କଏଦ ହେଲା ଦୁର୍ବୃତ୍ତଙ୍କ ଚିତ୍ର । ମାଡ଼ ମାରିଲେ, ମୋବାଇଲ ଲୁଟ୍ କଲେ । ବିଂଝାରପୁର ସାମ୍ବାଦିକ ଆକ୍ରମଣ ଘଟଣାରେ ୨୫ ଅଟକ ।

107

କନକ ବ୍ୟୁରୋ : ସତେ ଯେମିତି ଲାଗୁଥିଲା, ଆଜି ହିଂସା ଓ ଗୁଣ୍ଡାରାଜ ଭିତରେ ସରିଛି ପଞ୍ଚାୟତର ତୃତୀୟ ପର୍ଯ୍ୟାୟ ନିର୍ବାଚନ । ତୃଣମୂଳସ୍ତରକୁ ଶାସନରେ ଭାଗିଦାର କରିବା ପାଇଁ ମହାତ୍ମାଗାନ୍ଧୀଙ୍କ ପ୍ରୟାସରୁ ଆରମ୍ଭ ହୋଇଥିବା ପଞ୍ଚାୟତିରାଜ ବ୍ୟବସ୍ଥା, ଏକ ଏଭଳି ପର୍ଯ୍ୟାୟକୁ ଆସିଯିବ, ଯାହା ବୋଧହୁଏ କେହି କେବେ କଳ୍ପନା କରିନଥିବେ । ଯାଜପୁରର ବିଂଝାରପୁର ଅଞ୍ଚଳରେ ଆଜି ୪୦ରୁ ୫୦ ଦୁର୍ବୃତ ସାମ୍ବାଦିକମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ସମସ୍ତେ ମିଶି ଏମାନଙ୍କୁ ଆକ୍ରମଣ କରୁଥିବାର ଭିଜୁଆଲ ମଧ୍ୟ କ୍ୟାମେରାରେ କଏଦ ହୋଇଛି । ଅବଶ୍ୟ ସେମାନେ ମୋବାଇଲ ଛଡାଇ ନେଇଛନ୍ତି, କିନ୍ତୁ ଆମ ପ୍ରତିନିଧିଙ୍କ ପାଖରେ ରହିଯାଇଥିବା ମୋବାଇଲରେ ଆକ୍ରମଣର ଭିଜୁଆଲ ରେକର୍ଡ ହୋଇଛି । ତିନି ଜଣ ସାମ୍ବାଦିକ ଆହତ ହୋଇ ପ୍ରଥମେ ବିଂଝାରପୁର ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଏହାକୁ ନେଇ ଚାରିଆଡେ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

ଯାଜପୁର ବିଂଝାରପୁର ଅଞ୍ଚଳର ଏହି ଘଟଣା ବୟାନ କରୁଛି ଯେ, ଯାଜପୁର ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିପଦଜନକ ଅବସ୍ଥାରେ ଅଛି । ସାମ୍ବାଦିକଙ୍କୁ ଦୁର୍ବୃତ ମାନେ ମିଶି ଖୁଲମଖୁଲା ଆକ୍ରମଣ କରୁଛନ୍ତି । ଲାଗୁଛି ଓଡ଼ିଶା ବିହାର ବନିଯାଇଛି, ଏବଂ ଏଠାରେ ଆଉ କାହା ନିୟନ୍ତ୍ରଣରେ କିଛି ନାହିଁ । ଏହି ସାମ୍ବାଦିକଙ୍କ ଦୋଷ ହେଉଛି, ସେମାନେ ସତ ଦେଖାଇବାକୁ ଚେଷ୍ଟା କରିଛନ୍ତି । ବାଛଳ ପଞ୍ଚାୟତର ୨ ନମ୍ବର ଓ ୪ନମ୍ବର ବୁଥରେ ବୁଥ ରିଗିଂ ହେଉଥିବାର ଖବର ପାଇ ସେମାନେ ଘଟଣା ସ୍ଥଳକୁ ଯାଇଥିଲେ । ଏବଂ ପହଞ୍ଚିବା ପରେ ଦେଖିଲେ ୨ନମ୍ବର ବୁଥର ବାଲାଟ୍ ବକ୍ସକୁ ଏହି ଦୁର୍ବୃତ ମାନେ ପୋଖରୀରେ ଫୋପାଡ଼ିଦେଉଛନ୍ତି । ଏହାର ଭିଡ଼ିଓ ନେଉଥିବା ବେଳେ ପ୍ରାୟ ୪୦ରୁ ୫୦ ଜଣ ଲୋକ ଆକ୍ରମଣ କରିଦେଲେ । ଆଉ ଯେମିତି ଲାଗୁଥିଲା ସେମାନେ ହତ୍ୟା କରିବା ଉଦ୍ଦେଶ୍ୟରେ ଏଭଳି ଆକ୍ରମଣ କରୁଛନ୍ତି ।

କ୍ୟାମେରାରେ କଏଦ ହେଲା ଦୁର୍ବୃତ୍ତଙ୍କ ଚିତ୍ର । ମାଡ଼ ମାରିଲେ, ମୋବାଇଲ ଲୁଟ୍ କଲେ । ଏହି ଦୁର୍ବୃତମାନେ ହେଉଛନ୍ତି ଜଣେ ଜଣେ ଗଣତନ୍ତ୍ରର ଶତ୍ରୁ । ନିଜ ପ୍ରାର୍ଥୀର ବିଜୟକୁ ନେଇ ଆଶଙ୍କା ଦେଖାଦେଲେ ଏମାନେ ପଶୁ ବନିଯାଆନ୍ତି ଏବଂ ମରଣାନ୍ତକ ଆକ୍ରମଣ କରିବାକୁ ପଛାନ୍ତି ନାହିଁ । ଆକ୍ରମଣର ଶିକାର ହୋଇଛନ୍ତି କନକ ନ୍ୟୁଜର ସାମ୍ବାଦିକ ବିଜୟ ସାହୁ, କଳିଙ୍ଗ ଟିଭିର ସାମ୍ବାଦିକ ଦେବାଶିଷ ସାହୁ ଏବଂ ଅର୍ଗସ ନ୍ୟୁଜର ସାମ୍ବାଦିକ ଗୁଲଶାହା ନୱାଜ ଅଲ୍ଲିଖାନ୍ । ସାମ୍ବାଦିକ ମାନେ ସୁଟ୍ କରିଥିବା ମୋବାଇଲକୁ ଛଡ଼ାଇ ନେଇଛନ୍ତି ଦୁର୍ବୃତ । ଫଳରେ ଆକ୍ରମଣର ଆହୁରି କିଛି ସାଂଘାତିକ୍ ଦୃଶ୍ୟ ସାମ୍ନାକୁ ଆସିପାରିନାହିଁ ।

ନିର୍ବାଚନ କମିଶନଙ୍କୁ ଭେଟିଲେ ସାମ୍ବାଦିକ । ସାମ୍ବାଦିକଙ୍କୁ ସୁରକ୍ଷା ପାଇଁ କଲେ ଦାବି । ଏଭଳି ହିଂସାକାଣ୍ଡ ନିରପେକ୍ଷ ନିର୍ବାଚନ ପ୍ରତି ବଡ଼ ଧରଣର ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି । ପୁଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଇଛି । ପ୍ରଶ୍ନ ଉଠୁଛି, ସତ ଦେଖାଇବାକୁ ଘଟଣାସ୍ଥଳକୁ ଯାଉଥିବା ସାମ୍ବାଦିକଙ୍କୁ ସୁରକ୍ଷା ଦେବ କିଏ ? ଏହି ପ୍ରଶ୍ନକୁ ନେଇ କିଛି ବୈଦ୍ୟୁତିକ ଗଣମାଧ୍ୟମର ସମ୍ପାଦକ, ପ୍ରିଣ୍ଟ ମିଡ଼ିଆର ବରିଷ୍ଠ ସାମ୍ବାଦିକ ଓ ପ୍ରତିନିଧି ମାନେ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ।

ସେପଟେ ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ଲୋକଙ୍କ ସମସ୍ୟା ଓ ନିର୍ବାଚନ ସହ ଜଡ଼ିତ ଖବର ସଂଗ୍ରହ କରୁଥିବା ସାମ୍ବାଦିକ ଭାଇ ମାନଙ୍କ ଉପରେ ହେଉଥିବା ବାରମ୍ବାର ଆକ୍ରମଣ ଘଟଣା ନିର୍ବାଚନୀ ପରିଚାଳନା, ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ତଥା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବରିଷ୍ଠ ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସ ସାମ୍ବାଦିକ ମାନଙ୍କୁ ହୋଇଥିବା ଅକ୍ରମଣ ଘଟଣାର ଦୃ୍ଢ ନିନ୍ଦା କରିଛନ୍ତି ଏବଂ କହିଛନ୍ତି ଏଭଳି କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସେହିପରି ବିଜେଡ଼ି ନେତା ମାନସ ମଙ୍ଗରାଜ ଟ୍ୱିଟ୍ କରି କହିଛନ୍ତି ଗଣତନ୍ତ୍ରରେ ହିଂସା ଗ୍ରହଣୀୟ ନୁହେଁ ।

ତେବେ ସାମ୍ବାଦିକଙ୍କୁ ଆକ୍ରମଣ ପରେ ଘଟଣାସ୍ଥଳରେ ପହଞ୍ଚିଛି ପୁଲିସ । ଘଟଣା ଘଟିଥିବା ଯାଜପୁର ବାଛଳ ପଞ୍ଚାୟତର ୨ ନମ୍ବର ଓ ୪ନମ୍ବର ବୁଥ୍ ଥିବା ଗାଁକୁ ଯାଇ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ କିଛି ଲୋକଙ୍କୁ ଉଠାଇଆଣିଛି ପୋଲିସ । ପାଖାପାଖି ଶହେରୁ ଅଧିକ ପୋଲିସ ଗାଁରେ ପହଞ୍ଚି କଡ଼ା ପହରା ଦେବା ସହ ସର୍ଚ୍ଚ ଅପରେସନ୍ କରିଛନ୍ତି । ଗାଁର କିଛି ମହିଳା ଓ ପୁରଷ ଲୋକଙ୍କୁ ଉଠାଇ ଆଣି ଥାନାରେ ପଚରା ଉଚରା କରୁଛି ପୋଲିସ । ଗାଁର ୨୫ ଜଣଙ୍କୁ ଥାନାକୁ ଉଠାଇ ପୁଲିସ ପଚରା ଉଚରା କରୁଛି । ଆଜି ସକାଳେ ବୁଥ ଜବରଦଖଲ କରି ଭୋଟ ବାକ୍ସ ପୋଖରୀକୁ ଫିଙ୍ଗାଯାଉଥିବା ଭିଡିଓ ସୁଟ କରିଥିଲେ ସାମ୍ବାଦିକ । ଆଉ ସେହି ପ୍ରମାଣ ପୁଲିସ ହାତରେ ଲାଗିଲେ କାର୍ଯ୍ୟାନୁଷ୍ଠାନ ଭୟରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ ।