ମୌସୁମୀ ବର୍ଷାର ଲୁଚକାଳି ଖେଳ: କୃଷ୍ଣପ୍ରସାଦ, ଅସ୍ତରଙ୍ଗ ଓ ଗଞ୍ଜାମ ଧରାକୋଟ ଅଞ୍ଚଳରେ ଚିନ୍ତାରେ ଚାଷୀ। ମାଲକାନଗିରିରେ ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ଚାଲୁଛି ଆଣ୍ଠୁଏ ପାଣି

165

କନକ ବ୍ୟୁରୋ: କେଉଁଠି ମରୁଡ଼ି କେଉଁଠି ବର୍ଷା । ମୌସୁମୀ ବର୍ଷାର ଲୁଚକାଳି ଖେଳ ଯୋଗୁ କୃଷ୍ଣପ୍ରସାଦ, ଅସ୍ତରଙ୍ଗ ଓ ଗଞ୍ଜାମ ଧରାକୋଟ ଅଞ୍ଚଳରେ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଚଳିତ ବର୍ଷର ଖରିଫ ଚାଷ ପାଇଁ ଚାଷୀ ତଳି ପକାଇ ବର୍ଷାକୁ ଅପେକ୍ଷା କରିଛନ୍ତି । ଅନେକ ସ୍ଥାନରେ ଚାଷୀ ଜମିରେ ଧାନ ବୁଣି ଦେଇଛନ୍ତି । ହେଲେ ବର୍ଷା କୁଆଡେ ଗାଏବ ହୋଇଯିବାରୁ ଶୁଖିଲା ଜମିକୁ ଦେଖି ହତାସ ଚାଷୀ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧାନ ବିଲ ଫାଟି ଆଁ କରିଛି । ବର୍ଷା ନହେବା ଫଳରେ ଧାନ ଜମିରେ ଗଜା ମରୁଡି ଆଶଙ୍କା ସୃଷ୍ଟି ହୋଇଛି । ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଓ କୃଷ୍ଣପ୍ରସାଦ ବ୍ଲକରେ ଚାଷୀଙ୍କ ଚାଷ ଉଜୁଡି ଯିବାକୁ ବସିଛି ।

ସେପଟେ ଗଂଜାମ ଜିଲ୍ଲା ଆସିକା ଓ ଧରାକୋଟ ବ୍ଲକରେ ମଧ୍ୟ ଚାଷ କାମ ପ୍ରଭାବିତ ହୋଇଛି । ମୌସୁମୀର ପ୍ରଥମ ବର୍ଷାକୁ ଦେଖି ଚାଷୀ ଧାନ ତଳି ବୁଣି ଦେଇଥିଲେ । ଭାବିଥିଲେ ଭଲ ବର୍ଷା ହେଲେ ଚଳିତ ବର୍ଷ ଠିକ ସମୟରେ ଧାନ ରୁଆ କାମ ହେବ । ହେଲେ ବର୍ଷାର ଲୁଚକାଳି ଖେଳ ଏବେ ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଚାଷୀ ବୁଣି ଥିବା ଧାନ ବିହନ ଜମିରେ ଗଜା ହୋଇଛି । କିନ୍ତୁ ବର୍ଷା ନଥିବା ବେଳେ ଖରା ଯୋଗୁଁ ଅନେକ ସ୍ଥାନରେ ଗଜା ପୋଡି ପରି ପାରିସ୍ଥିତି ସୃଷ୍ଟି ହୋଇଛି । ଅସ୍ତରଙ୍ଗରେ ଚାଷୀ ମାଠିଆରେ ପାଣି ବୋହି ତଳି ବଂଚାଇବା ପାଇଁ ଚେଷ୍ଟା ଚଳାଇଛନ୍ତି ।

ମାଲକାନଗିରିରେ କିନ୍ତୁ ଭିନ୍ନ ପରିସ୍ଥିତି । ଟେମୃପାଲିରେ ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ଚାଲୁଛି ଆଣ୍ଠୁଏ ପାଣି । ମାଡି ଆସିଲା ପାହାଡ ପାଣି । ଲଗାଣ ବର୍ଷାରେ ପାଣି ଘେରରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମୃପାଲି ପଞ୍ଚାୟତ । ରାସ୍ତା ଉପରେ ଚାଲୁଛି ଆଣ୍ଠୁଏ ପାଣି । ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ପାହାଡ ଉପରୁ ପାଣି ଓ ଲଗାଣ ବର୍ଷା ଉପାନ୍ତ ଗାଁ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ୨ ଦିନ ହେବ ବର୍ଷା ଲାଗି ରହିଥିବାରୁ ଲୋକେ ନାନା ଅସୁବିଧା ଭୋଗୁଛନ୍ତି । ତୁଳସୀ, କେରିମେଟି ରାସ୍ତାରେ ମାଟି ଅତଡା ଖସି ଯାତାୟତ ଠପ୍ ହୋଇଯାଇଛି । ଆଗ୍ରୀଯୋଡି ଓ ଫୁଲଯୋଡି ବ୍ରିଜ୍ ଉପରେ ୫ ଫୁଟ ପାଣି ଚାଲୁଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ଠପ୍ ହୋଇଯାଇଛି ।