କନକ ବ୍ୟୁରୋ : ବଜ୍ରାଘାତରେ ପୋଡ଼ିଗଲା ସ୍କୁଲର କମ୍ପ୍ୟୁଟର ଆସବାବପତ୍ର । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗାଲେରୀ ଠାରେ ଥିବା ଫାଇଭ୍-ଟି ଉଚ୍ଚ ବିଦ୍ୟାଳୟରେ ଏପରି ଘଟିଛି । ତେବେ ସ୍କୁଲରେ ଠିକ୍ ଭାବେ ଏର୍ଥିଂ କରାଯାଇନଥିବାରୁ ବଜ୍ରାଘାତରେ କ୍ଷତି ହୋଇଥିବା ସନ୍ଦେହ । ତେବେ କିଛି ବଡ଼ ଅଘଟଣ ବର୍ତି ଯାଇଛି । ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ସେପରି କିଛି କ୍ଷତି ପହଞ୍ଚିନି । ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଯାଏ । ପାଠ ପଢ଼ା ଚାଲିଥିବା ବେଳେ ହଠାତ୍ ଏତେ ଜୋରରେ ଘଡ଼ଘଡ଼ି ଶବ୍ଦ ହୋଇଥିଲା ଯେ, କିଛି ପିଲା ଶ୍ରେଣୀ ଗୃହ ଭିତରେ ବେହୋସ୍ ହୋଇଯାଇଥିଲେ । ତୁରନ୍ତ ସେମାନଙ୍କୁ ଗାଲେରୀ ମେଡିକାଲକୁ ନେଇ ଚିକିତ୍ସା କରାଯାଇଥିଲା । ଏବେ ସେମାନେ ସୁସ୍ଥ ଅଛନ୍ତି ।
ତେବେ ବିଜୁଳିମାଡ଼ରେ କମ୍ପ୍ୟୁଟର ନେଟୱର୍କ ତାର, ଟିଭି ଓ ପଙ୍ଖା ପୋଡ଼ିଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳ ଓ ଭଞ୍ଜନଗର ପୋଲିସ୍ ବିଦ୍ୟାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ଗାଲେରୀ ଉଚ୍ଚ ବିଦ୍ୟାଳୟ ଗତବର୍ଷ ଠାରୁ କାମ ଆରମ୍ଭ ହୋଇ ପୁରୁଣା କୋଠାରେ ରଙ୍ଗମାରି ଏହାକୁ ଫାଇଭ-ଟି ସ୍କୁଲ ଭାବେ ରୂପାନ୍ତରିତ କରାଯାଇଥିଲା। କମ୍ପ୍ୟୁଟର ମଧ୍ୟ ଖଞ୍ଜାଯାଇଛି, ହେଲେ ବିଦ୍ୟୁତ ଜନିତ ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି।