ପଶ୍ଚିମବଙ୍ଗରେ ଦେଖାଦେଲା କରୋନାର ନୂଆ ରୂପ । ସ୍ଥିତି ଦେଖି ସଜାଗ ହେଲା ଓଡିଶା । ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନ୍ ।

406

କନକ ବ୍ୟୁରୋ: ଓଡିଶାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ କୋଭିଡର ଟ୍ରିପଲ ମ୍ୟୁଟାଣ୍ଟ ଦେଖାଯିବା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆସନ୍ତାକାଲିଠୁ କୌଣସି ଲୋକ ପଶ୍ଚିମବଙ୍ଗରୁ ଓଡିଶା ଆସିଲେ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ବୋଲି ନିୟମ ଜାରି କରିଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଆସନ୍ତାକାଲିଠୁ ପଶ୍ଚିମବଙ୍ଗ ସୀମାନ୍ତ ଅଂଚଳରେ ପୋଲିସ ଚେକିଂ ଜୋରଦାର ହେବା ସହିତ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଟେଷ୍ଟିଂ ଜାରି ରହିବ ବୋଲି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ତାଙ୍କ କହିବା ମୁତାବକ, ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିବା ନୂଆ ଭୂତାଣୁ ବେଶ ମାରାତ୍ମକ । ଏହା ବେଶ ଦ୍ରୁତ ଗତିରେ ସଂକ୍ରମିତ ହେବାରେ ଲାଗିଛି । ତେଣୁ ଏହାକୁ ଆଖି ଆଗରେ ରଖି ଏହି ନୂଆ ନିୟମ ଜାରି କରାଯାଇଛି । ଏନେଇ ବାଲେଶ୍ୱର ଓ ମୟୂରଭଞ୍ଜର ଜିଲ୍ଲାପାଳ ଓ ଏସପିଙ୍କୁ ମଧ୍ୟ ସୂଚିତ କରାଯାଇଛି । ପଶ୍ଚିମବଙ୍ଗ ସୀମାନ୍ତ ଅଂଚଳରେ ଆସନ୍ତାକାଲିଠୁ ଚେକିଂ କରାଯିବା ସହିତ ଲୋକମାନଙ୍କ ଟେଷ୍ଟିଂ କରାଯିବ ।

ପଶ୍ଚିମବଙ୍ଗରୁ ଓଡିଶା ଫେରିଲେ ଲୋକମାନଙ୍କୁ ୧୪ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । କୌଣସି ଲୋକ ହୋମ୍ କ୍ୱାରେଣ୍ଟାଇନରେ ରହିପାରିବେନି । ଯଦି ଲୋକଙ୍କ ପାଖରେ ୪୮ ଘଂଟା ଭିତରେ ହୋଇଥିବା କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିବ କିମ୍ବା ଦୁଇଟି ଡୋଜ୍ କୋଭିଡ୍ ଭାକ୍ସିନ୍ ନେଇଥିବା ସାର୍ଟିଫିକେଟ୍ ଥିବ ତେବେ ତାଙ୍କୁ ଘରକୁ ଆସିବାକୁ ସୁଯୋଗ ମିଳିବ ବୋଲି ସୁରେଶ ମହାପାତ୍ର କହିଛନ୍ତି । ଅନ୍ୟପଟେ ସୀମାନ୍ତ ଅଂଚଳରେ ଲୋକମାନଙ୍କୁ ସତର୍କ ରହିବା ସହିତ ମାଇକ୍ ଯୋଗେ ପ୍ରଚାର କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସ୍ଥାନୀୟ ପ୍ରଶାସନ, ପୋଲିସର ମଧ୍ୟ ସହଯୋଗ ନିଆଯାଇପାରେ ।