ଟିକା ନିର୍ମାଣକାରୀ କମ୍ପାନୀ ଭାରତ ବାୟୋଟେକ୍ କହିଲା, ଛୋଟ ପିଲାଙ୍କ ପାଇଁ ସଂପୂର୍ଣ୍ଣ ନିରାପଦ କୋଭାକ୍ସିନ୍ । ୧୦ ଦିନ ଭିତରେ କରାଯାଉଛି ଛୋଟ ଛୋଟ କ୍ଲିନିକାଲ୍ ଟ୍ରାଏଲ ।

149

କନକ ବ୍ୟୁରୋ : କୋଭିଡ ବିରୋଧରେ ଚାଲିଥିବା ଲଢେଇରେ ଯେତେବେଳେ ସମୂହ ଟିକାକରଣ ପାଇଁ ସବୁଦେଶ ଅଂଟା ଭିଡିଛନ୍ତି ସେତେବେଳେ ସବୁଠୁ ବଡ ପ୍ରଶ୍ନ ହେଲା, କମ ବୟସର ପିଲାମାନଙ୍କୁ କୋଭିଡ ଟିକା ଦିଆଯିବ ନା ନାହିଁ । ଯଦି ଦିଆଯିବ କେତେ ବୟସର ପିଲାଙ୍କୁ ଏହା ଦିଆଯିବ ।

ଆମେରିକାରେ ମଡନା ଟିକା ୨୦୨୨ ପର୍ଯ୍ୟନ୍ତ ଛୋଟ ପିଲାଙ୍କ ଉପରେ ପ୍ରୟୋଗ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଭାରତ ବାୟୋଟିକ କହିଛି, ୨ରୁ ୧୨ ବର୍ଷ ପିଲାଙ୍କ କ୍ଷେତ୍ରରେ କୋଭାକସିନ ଟିକା ପ୍ରୟୋଗ କରାଯାଇପାରିବ । ଏଥିରେ କୌଣସି ଅସୁବିଧା ନାହିଁ । ଭାରତ ବାୟୋଟେକ ସିଏମଡି ଡକ୍ଟର କ୍ରିଷ୍ଣା ଇଲା ଗଣମାଧ୍ୟମକୁ ସାକ୍ଷାତ ବେଳେ ଏହି ସୂଚନା ଦେଇଛନ୍ତି ।

ଏନେଇ ଡିସିଜିଆଇକୁ ଏକ ପ୍ରସ୍ତାବ ଦିଆଯିବ ଏବଂ ଏକ୍ସପର୍ଟ କମିଟିର ଅନୁଧ୍ୟାନ ପାଇଁ ସମସ୍ତ ତଥ୍ୟ ଦିଆଯିବ । ଆଗାମୀ ୧୦ ଦିନ ମଧ୍ୟରେ ଛୋଟ ଛୋଟ ମାନବ ପରୀକ୍ଷଣ ମଧ୍ୟ କରାଯିବ । ବିନା କୌଣସି ଦ୍ୱିଧାରେ ଏହି ଟିକା ଛୋଟ ପିଲାମାନଙ୍କୁ ଦିଆଯାଇପାରିବ ବୋଲି ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି ।

ଭାରତ ବାୟୋଟେକ ସିଏମଡି ଡକ୍ଟର କ୍ରିଷ୍ଣା ଇଲା କହିଛନ୍ତି, ତାଙ୍କ ନାତୀ ୬ ବର୍ଷର ଏବଂ ତାକୁ ଏହି ଟିକା ଦେବାରେ ସେ ପଛଘୁଂଚା ଦେବେ ନାହିଁ । ବର୍ତମାନ ପାଖରେ ଡାଟା ନାହିଁ କିନ୍ତୁ କୋଭାକସିନର ଫେଜ ଥ୍ରି ଟ୍ରାଏଲର ଡାଟା ଆଉ ୪ ମାସ ମଧ୍ୟରେ ମିଳିଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

୨୬ହଜାର ଭଲ୍ୟୁଂଟରଙ୍କ ସହିତ ଭାରତ ବାୟୋଟେକ ଏବେ ଫେଜ ଥ୍ରି ଟ୍ରାଏଲ ଚଲାଇଛି । ଏବେ ସୁଦ୍ଧା ସରକାର କହିଛନ୍ତି କୋଭିଡ ୧୯ ଟିକା କେବଳ ବୟସ୍କଙ୍କ ପାଇଁ । ତେବେ ଯଦି ସନ୍ତୋଷଜନକ ଡାଟା ମିଳେ ତେବେ ଆଗକୁ ଏହା ପିଲାମାନଙ୍କ କ୍ଷେତ୍ରରେ ଉଦ୍ଦିଷ୍ଟ ହେବାରେ କୌଣସି ଅସୁବିଧା ନାହିଁ ବୋଲି ଭାରତ ବାୟୋଟେକ କହିଛି ।