ଗୁରୁତ୍ୱପୂର୍ଣ୍ଣ ଘୋଷଣା କଲେ ତେଲେଙ୍ଗାନା ସରକାର । ରାଜ୍ୟରୁ ସମ୍ପୂର୍ଣ୍ଣ ହଟିଲା ଲକଡାଉନ୍ କଟକଣା

687

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ କମୁଥିବା ଦେଖି ତେଲେଙ୍ଗାନା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସରକାର ନିର୍ଦ୍ଦେଶ ମୁତାବକ ରାଜ୍ୟରେ ଲାଗୁ ହୋଇଥିବା କୋଭିଡ କଟକଣା ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଗଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି କି, ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ମିଳିଥିବା ରିପୋର୍ଟ ଯାଂଚ କରିବା ପରେ ରାଜ୍ୟରେ ଲକଡାଉନ୍ କଟକଣା ସମ୍ପୂର୍ଣ୍ଣ ହଟାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତଣାଧିନ ଥିବା ମଧ୍ୟ କୁହାଯାଇଛି ।

ଶୁକ୍ରବାର ଦିନ ତେଲେଙ୍ଗାନାରେ ୧,୪୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୧୦,୮୩୪ ରେ ପହଂଚିଛି । ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣରେ ମୋଟ ୩,୫୪୬ ଜଣଙ୍କର ମୃତ୍ୟୁ ହୋଇଛି ।

କହିରଖୁ କି କରୋନାର ଦ୍ୱିତୀୟ ଲହର ବେଳେ ମାର୍ଚ୍ଚ ମାସରେ ଦେଶର ବିଭିନ୍ନ ରାଜ୍ୟ ସରକାରମାନେ ସେମାନଙ୍କ ରାଜ୍ୟର ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଲଗାଇଥିଲେ । ଗତ ଗୋଟିଏ ସପ୍ତାହ ହେବ ଦେଶରେ କରୋନା ସଂକ୍ରମଣ ୧ ଲକ୍ଷ ତଳେ ରହୁଥିବାରୁ ଏବେ ବିଭିନ୍ନ ରାଜ୍ୟ ସରକାରମାନେ କରୋନା କଟକଣାରେ ଆଶିଂକ କୋହଳ କରୁଥିବା ଦେଖିବାକୁ ମିଳିଛି ।