ଡିସେମ୍ବର ୧୪ ସୁଦ୍ଧା ଚୂଡ଼ାନ୍ତ ଭୋଟ ତାଲିକା : ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସୂଚନା

291

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ ୱାଇଜ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଡିସେମ୍ବର ୧୪ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ।

ପଞ୍ଚାୟତ ନିର୍ବାଚନ ଆଉ ପାଦେ ଆଗକୁ ବଢ଼ିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ୱାର୍ଡ ୱାଇଜ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ଘୋଷଣା କରିଛନ୍ତି ତାରିଖ । ୨୦୨୧ ନଭେମ୍ବର ୧ ତାରିଖ ସୁଦ୍ଧା ଯେଉଁମାନଙ୍କର ବୟସ ୧୮ ବର୍ଷ ହୋଇଥିବ, ସେମାନେ ଯୋଗ୍ୟ ଭୋଟର ଭାବେ ଆବେଦନ କରି ପାରିବେ । ବାଲେଶ୍ଵର ଜିଲ୍ଲା ବ୍ୟତୀତ ଅନ୍ୟ ୨୯ଟି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ନଭେମ୍ବର ୧୬ ତାରିଖରେ ସମସ୍ତ ଗ୍ରାମପଞ୍ଚାୟତରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯିବ। କୌଣସି ଦାବି କିମ୍ବା ଆପତ୍ତି ଓ ଅଭିଯୋଗ ଥିଲେ, ୨୩ ତାରିଖ ସୁଦ୍ଧା ଇଲେକଟ୍ରୋରାଲ ରେଜିଷ୍ଟ୍ରଆର ଅଫିସର ନିକଟରେ ଦାଖଲ କରଯାଇ ପାରିବ । ୨୪ରୁ ୨୬ ତାରିଖ ମଧ୍ୟରେ ସମ୍ପୃକ୍ତ ଅଧିକାରୀ ଏହାର ଫଇସଲା କରିବେ । ଚିଠା ଭୋଟର ତାଲିକାକୁ ନେଇ ଯେଉଁମାନେ ଅସନ୍ତୋଷ ପ୍ରକାଶ କରିବେ ସେମାନେ ୨୯ରୁ ୩୦ ନଭେମ୍ବର ମଧ୍ୟରେ ବିଡିଓଙ୍କ ପାଖରେ ଦରଖାସ୍ତ ଆବେଦନ କରିବେ ।

ଡିସେମ୍ବର ୧ରୁ ୨ ତାରିଖ ଭିତରେ ବିଡିଓ ଏହି ଅଭିଯୋଗର ଫଇସଲା କରିବେ । ଡିସେମ୍ବର ୪ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ତାପରେ ଚୂଡାନ୍ତ ଭୋଟର ତାଲିକା କମିସନଙ୍କ ନିକଟରେ ଦାଖଲ ହେବ। ଡିସେମ୍ବର ୧୪ ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଆସିବ ।