ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗରେ ପଞ୍ଜାବ ସରକାରଙ୍କ ଉପରେ ବର୍ଷିଲେ ଅମରିନ୍ଦର ସିଂ, ଚନ୍ନିଙ୍କୁ ଚ୍ୟାଲେଞ୍ଜ

166

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଜାବ ଫିରୋଜପୁର ଗସ୍ତରେ ଯାଇ ସଭା ସ୍ଥଳରୁ ମାତ୍ର ୩୦ କିଲୋମିଟର ଦୂରରୁ ଫେରି ଆସିଛନ୍ତି । ପ୍ରଥମେ ବର୍ଷା କାରଣରୁ ସେ ପ୍ରତ୍ୟାବର୍ତ୍ତନ କରିଥିବା କଥା କୁହାଯାଇଥିବା ବେଳେ ଏବେ ସୁରକ୍ଷା କାରଣରୁ ପ୍ରଧାନମନ୍ତ୍ରୀ ନିଜର କାର୍ଯ୍ୟକ୍ରମ ବାତିଲ କରି ଫେରିଆସିଛନ୍ତି ବୋଲି ପ୍ରଚାର ହେଉଛି । ଏନେଇ ସୁରକ୍ଷା ଦାୟିତ୍ୱରେ ଥିବା ଫିରୋଜପୁର ଏସଏସପି ହରମନ ହଂସଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଆଗକୁ ଆସିଛନ୍ତି ।

କ୍ୟାପଟେନ କହିଛନ୍ତି କି ପଞ୍ଜାବର ଆଇନ ଶୃଙ୍ଖଳା ପରିସ୍ଥିତି ପୂରା ଭୁଷୁଡି ପଡିଛି । ସେ କହିଛନ୍ତି କି ଯଦି ଏକ ରାଜ୍ୟ ସରକାର ଦେଶର ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରିପାରିବେ ନାହିଁ ତାହା ପୁଣି ପାକିସ୍ତାନ ସୀମାରୁ ମାତ୍ର ୧୦ କିଲୋମିଟର ଭିତରେ ସେତେବେଳେ ଆପଣ ସରକାର ରହିବାର ଅଧିକାର ନାହିଁ । ଏନେଇ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭତ୍ସନା କରିଛନ୍ତି ।

 

ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ୍ ୨୦ ମିନିଟ୍ ପାଇଁ ଓଭରବ୍ରିଜ୍ ଉପରେ ଅଟକି ରହିବା ପରେ ଏହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଛି । ବିଜେପି ନେତାମାନେ ଏହାକୁ ନେଇ ପଞ୍ଜାବ ସରକାରକୁ ଟାର୍ଗେଟ କରୁଥିବାବେଳେ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଙ୍ଘାତିକ ଭୁଲ୍ ହୋଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି । ଖାଲି ସେତିକି ନୁହେଁ, ଖୋଦ୍ ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଜାବରୁ ଜୀବନ ନେଇ ଫେରିଥିବା କଥା ମଧ୍ୟ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାର ଦାୟିତ୍ୱ ସ୍ପେଶାଲ ପ୍ରଟେକ୍ସନ୍ ଗ୍ରୁପ୍ ଉପରେ ନ୍ୟସ୍ତ ରହିଛି ଯାହାକୁ ଏସପିଜି ସୁରକ୍ଷା ବୋଲି ମଧ୍ୟ କୁହାଯାଏ । ଏହି ଏସପିଜି କମାଣ୍ଡମାନେ ଦୁର୍ଗ ଭଳି ରହି ଆମ ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କରିଥାନ୍ତି । ତେବେ ଏହି ଏସପିଜିର ଗଠନ ୧୯୮୮ ମସିହାରେ ହୋଇଥିଲା ।

ପ୍ରଧାନମନ୍ତ୍ରୀଙ୍କ ପାଇଁ ସ୍ପେଶାଲ କାର୍
ସେହିପରି ପ୍ରଧାନମନ୍ତ୍ରୀ ବ୍ୟବହାର କରୁଥିବା କାର୍ କୌଣସି ଅଭେଦ୍ୟ ଦୁର୍ଗଠାରୁ କମ୍ ନୁହେଁ । ବିଶେଷକରି ପ୍ରଧାନମନ୍ତ୍ରୀ ରେଞ୍ଜରୋଭର, ମର୍ସିଡିଜ୍, ବିଏମଡବ୍ଲ୍ୟୁ ୭୬୦ ଏଲଆଇ କାର୍ ବ୍ୟବହାର କରିଥାନ୍ତି । ନିକଟରେ ଏହି ଲିଷ୍ଟରେ ମର୍ସିଡିଜ୍ ଲିମୋଜିନ୍ କାର୍ ମଧ୍ୟ ସାମିଲ ହୋଇଛି । Mercedes Maybach S650 Guard ମଧ୍ୟ ମୋଦୀଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ଏକ କାର । ଯେଉଁଥିରେ ଭିଆର-୧୦ ସ୍ତରର ସୁରକ୍ଷା ରହିଛି ।
ଏହି କାରକୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସ୍ପେଶାଲ ଭାବେ ନିର୍ମାଣ କରାଯାଇଛି । ଏହାର ବଡି ଏକ ବିଶେଷ ଧାତୁରେ ନିର୍ମାଣ କରାଯାଇଥିବାବେଳେ, ଏହା ଏହି କାରକୁ ଏକ ଅଭେଦ୍ୟ ଦୁର୍ଗ ଭାବେ ଗଢି ତୋଳିଥାଏ । ଖାଲି ସେତିକି ନୁହେଁ ୨ ମିଟର ଦୂରରୁ ବି ଏହି କାର୍ ଉପରକୁ ଆକ୍ରମଣକାରୀମାନେ ଆକ୍ରମଣ କଲେ ଏହାର କୌଣସି ବି ପ୍ରଭାବ କାର ଭିତରେ ବସିଥିବା ଲୋକ ଉପରେ ପଡିନଥାଏ ।
ଯଦି ବି କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ ଉପରକୁ ଗ୍ୟାସ୍ ଆଟାକ୍ କରେ । ତେବେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କର କୌଣସି ଅସୁବିଧା ହେବ ନାହିଁ । ସେହି ସମୟରେ ଏହି କାର୍ ଏକ ଗ୍ୟାସ୍ ସେଫ୍ କ୍ୟାବିନ୍ ଭଳି କାମ କରିବ । ତା ସହିତ ନିଶ୍ୱାସ ପ୍ରଶ୍ୱାସ ନେବା ପରେ ଏହି କାର୍ ଭିତରେ ଅକ୍ସିଜେନ୍ ମଧ୍ୟ ମହଜୁଦ୍ ଅଛି । ଏତଦବ୍ୟତୀତ ଏହି କାରର ପ୍ରତିଟି କାଚ ବୁଲେଟ୍ ପ୍ରୁଫ୍ । କୌଣସି ଗୁଳିକୁ ବି ଏହି ବୁଲେଟ୍ ପ୍ରୁଫ୍ କାଚ୍ ମାତ୍ ଦେଇପାରେ ।

ସାଙ୍ଗରେ ଚାଲିଥାଏ ଡମି କାର୍
ପ୍ରଧାନମନ୍ତ୍ରୀଙ୍କ କାରକେଡରେ ସେ ବସିଥିବା କାର ଭଳି ଅବିକଳ ନକଲ କାରଟିଏ ମଧ୍ୟ ସାଙ୍ଗରେ ରହିଥାଏ । ଫଳରେ ଆକ୍ରମଣକାରୀ କେଉଁ ଗାଡି ଉପରେ ଆକ୍ରମଣ କରିବେ ତାହା ଜାଣିବା ବେଶ୍ ମୁସ୍କିଲ ହୋଇଥାଏ । ତା ସହିତ କାରକେଡରେ ଏମିତି ଏକ ଗାଡି ରହିଥାଏ, ଯେଉଁଥିରେ ଅନେକ ଆଣ୍ଟିନା ଲାଗିଥାଏ । ଏହି ଆଣ୍ଟିନା କାରକେଡର ୧୦୦ ମିଟର ଭିତରେ ଥିବା ସମସ୍ତ ପ୍ରକାର ବିସ୍ଫୋଟକକୁ ଡିଫ୍ୟୁଜ୍ କରିବାରେ ସିଦ୍ଧହସ୍ତ ।

୭ ଘଣ୍ଟା ପୂର୍ବରୁ ସ୍ଥିର ହୁଏ ରୁଟ୍
ଯେତେବେଳେ ପ୍ରଧାନମନ୍ତ୍ରୀ ଅନ୍ୟ ରାଜ୍ୟ ଗସ୍ତରେ ଯାଇଥାନ୍ତି ସେତେବେଳେ ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୭ ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ରୁଟ୍ ସ୍ଥିର ହୋଇଥାଏ । ଏହାସହ ସହ ଏକ ବିକଳ୍ପ ରାସ୍ତା ମଧ୍ୟ ଚୟନ କରାଯାଇଥାଏ । ତା ସହିତ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସୁରକ୍ଷିତ କରିବାକୁ ଏହାର ଅନେକ ଥର ରିହର୍ସଲ ମଧ୍ୟ ହୋଇଥାଏ । ପ୍ରଧାନମନ୍ତ୍ରୀ ଯେଉଁ ରାସ୍ତାରେ ଗନ୍ତବ୍ୟସ୍ଥଳକୁ ଯାଇଥାନ୍ତି, ସେହି ରାସ୍ତାକୁ ୪ରୁ ୫ ଘଣ୍ଟା ପୂର୍ବରୁ ପୋଲିସ ଅଫିସରମାନେ ଜଗିଥାନ୍ତି । ୧୦ରୁ ୧୫ ମିନିଟ୍ ପୂର୍ବରୁ ସେହି ରାସ୍ତାରେ ସାଧାରଣ ଲୋକଙ୍କ ଯିବା ଆସିବା ମଧ୍ୟ ବାରଣ କରିଦିଆଯାଇଥାଏ ।
ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ଏସପିଜି କମାଣ୍ଡମାନେ ସୁରକ୍ଷା ପ୍ରଦାନ କରିଥାନ୍ତିା ତା ସହିତ ସ୍ଥାନୀୟ ପୋଲିସ ଏହି କାରକେଡକୁ ରାସ୍ତା ଦେଖାଇଥାଏ । ତେବେ ମୁଖ୍ୟ ରାସ୍ତାରେ ଯଦି କୌଣସି ସମସ୍ୟା ଉପୁଜେ ତେବେ ବିକଳ୍ପ ରାସ୍ତାରେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷିତ ସହକାରେ ନିଆଯାଇଥାଏ । ତେବେ ଅନ୍ୟ ରାଜ୍ୟକୁ ପ୍ରଧାନମନ୍ତ୍ରୀ ଗଲେ ପ୍ରାୟ ୩ରୁ ୪ ଦିନ ପୂର୍ବରୁ ଏହାର ସମସ୍ତ ପ୍ଲାନିଂ ହୋଇଥାଏ ।