ଡ୍ରେନ ସମସ୍ୟା ନେଇ ଅଭିଯୋଗ ପ୍ରକୋଷ୍ଠରେ ଭିଡ: ବିଏମସି କାର୍ଯ୍ୟାଳୟରେ ଭୁବନେଶ୍ୱର ବାସିନ୍ଦା

42

କନକ ବ୍ୟୁରୋ: ଗୋଟିଏ ପଟେ ରାଜ୍ୟ ସରକାରଙ୍କ ଜନ ଶୁଣାଣି ଚାଲିଛି । ଅନ୍ୟପଟେ ସହରବାସୀଙ୍କ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ମହାନଗର ନିଗମ ଆରମ୍ଭ କରିଛି ଜନଶୁଣାଣି ଶିବିର । ମୁଖ୍ୟତଃ ଡ୍ରେନ ସମସ୍ୟାକୁ ନେଇ ଅଭିଯୋଗ ପ୍ରକୋଷ୍ଠରେ ଭିଡ ଦେଖିବାକୁ ମିଳିଛି । ଯାହାକୁ ନେଇ ଦୀର୍ଘବର୍ଷ ହେବ ବିଏମସି ସମାଲୋଚିତ ହୋଇଆସୁଛି ।

ସାମାନ୍ୟ ବର୍ଷା ହେଲେ ଜଳବନ୍ଦୀ ହେଉଛି ରାଜଧାନୀ ଭୁବନେଶ୍ୱର । ମୁଖ୍ୟ ରାସ୍ତାରୁ ଗଳି କନ୍ଦି ଯାଏ ସବୁଠି ଜମୁଛି ପାଣି । ଅସରାଏ ବର୍ଷା ହେଲେ ସହରବାସୀଙ୍କର ଏହା ମୁଖ୍ୟ ସମସ୍ୟା ହେଉଛି । ବିଏମସି ଅଭିଯୋଗ ପ୍ରକୋଷ୍ଠରେ ଏନେଇ ମାଳମାଳ ଅଭିଯୋଗ ହୋଇଛି । ମଂଚେଶ୍ୱର ଅଂଚଳରେ ସମିଗାଡିଆରେ ଥିବା କୈବଲ୍ୟ ନଗରରେ ନାଳ ପାଣି ରାସ୍ତାରେ ଚାଲୁଛି । ଘର ଭିତରେ ବି ପାଣି । ଏହି ସମସ୍ୟା ନେଇ ଅନେକବାର ବିଏମସିରେ ଅଭିଯୋଗ କଲେ ବି ସମାଧାନର ବାଟ ବାହାରି ପାରି ନାହିଁ । ତଥାପି ସମାଧାନର ଆଶା ନେଇ ଆସିଛନ୍ତି ସ୍ଥାନୀୟ ବାସିନ୍ଦା । କେବଳ ଏହି ଅଂଚଳର ଲୋକ ନୁହଁନ୍ତି, ଡୁମଡୁମା ଅଂଚଳରୁ ବି ସମାନ ଅଭିଯୋଗ ନେଇ ଆସିଛନ୍ତି ସ୍ଥାନୀୟ ଲୋକ ।

ରାଜଧାନୀରେ ଜଳବନ୍ଦୀ ଏକ ବଡ ସମସ୍ୟା ହୋଇଥିବାରୁ ଏହାର ସମାଧାନ କରିବା ବିଏମସି ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି । ଏହାର ସମାଧାନ ପାଇଁ ଆଇଆଇଟି ରୁରକିର ସହାୟତା ନେଇଛି ବିଏମସି । ଆଇଆଇଟି ରୁରକିର ଟିମ ବିଏମସିକୁ ଟେକ୍ନୋ ଫାଇନାନସିଆଲ ପ୍ରପୋଜାଲ ଦେଇଛି । ସେହି ଆଧାରର କାମ ହେବ ବୋଲି ସୂଚନା ଦେଇଛନ୍ତି ବିଏମସି କର୍ତୃପକ୍ଷ । ଆସନ୍ତା ୧ରୁ ଦେଢ ମାସ ଭିତରେ ସହରର ସମସ୍ତ ମୁକୁଳା ଡ୍ରେନରେ ସ୍ଲାବ ପଡିବ ବୋଲି କହିଛନ୍ତି ବିଏମସି କମିଶନର । କିଛି ସ୍ଥାନରେ ଜମି ଅଧିଗ୍ରହଣ ହୋଇପାରିନଥିବାରୁ ଡ୍ରେନ କାମ ଆଗେଇପାରିନାହିଁ । ସହରର ଯେଉଁ ୧୨ଟି ପଏଂଟରେ ପାଣି ଜମି ରହେ ତାର ସମାଧାନ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ବିଏମସି କମିଶନର କହିଛନ୍ତି ।

ତେବେ ଭୁବନେଶ୍ୱରର ଡ୍ରେନ୍ ସମସ୍ୟା ଆଜିର ନୁହେଁ । ଏହି ସମସ୍ୟା ବର୍ଷ ବର୍ଷର । ତେଣୁ କେବେ ଏହି ସମସ୍ୟାର ସ୍ଥାୟୀ ସମାଧାହେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।