କନକ ବ୍ୟୁରୋ: ଓଲିଉଡ଼ର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ଆଣିଛନ୍ତି ସାଂଘାତିକ୍ ଅଭିଯୋଗ । ଶାରିରୀକ ଓ ମାନସିକ ନିର୍ଯାତନା, ଠକେଇ ଏବଂ ଅନ୍ତରଙ୍ଗ ମୁହୁର୍ତର ଫଟୋ ଭାଇରାଲ କରିବାକୁ ଧମକ୍ ଦେବା ଭଳି ଅଭିଯୋଗ କରିଛନ୍ତି ଆଗଧାଡ଼ିର ଏହି ନାୟିକା । କେବଳ ସେତିକି ନୁହେଁ, ସୁଟିଂ ସେଟରେ ଗଣ୍ଡଗୋଳ କରିବା ସହ ବଡ଼ ବଡ଼ ଫିଲ୍ମ ଏବଂ ପ୍ରଡ଼କ୍ସନ ହାଉସରେ କାମ ଦେବାକୁ କହି ସମ୍ପର୍କ ରଖୁଥିବା ନେଇ ଅଭିଯୋଗ ହୋଇଛି । ଅଭିନେତ୍ରୀଙ୍କ ଏହି ଅଭିଯୋଗ ଓଲିଉଡ଼କୁ ପୁଣି ଥରେ ଦୋହଲାଇ ଦେଇଛି ।

Advertisment

ଦୟା ଏଣ୍ଟରଟେନମେଣ୍ଟର ମାଲିକ ହେଉଛନ୍ତି ସିନେ ନିର୍ମାତା ଦୟାନିଧି ଦହିମା । ଯାହାଙ୍କ ନାଁରେ ଆସିଛି, ନିର୍ଯାତନା, ଶୋଷଣ ଏବଂ ବ୍ଲାକମେଲ୍ ଭଳି ସାଂଘାତିକ୍ ଅଭିଯୋଗ । ଗୋଟିଏ ପେଶାରେ ଥିବାରୁ ସଂପୃକ୍ତ ଅଭିନେତ୍ରୀ ଏବଂ ସିନେ ନିର୍ମାତାଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଯେଉଁ ସମ୍ପର୍କ ୨୦୧୯ ମସିହାରେ ନିବିଡ଼ ହୋଇଥିଲା । ହେଲେ ସମୟକ୍ରମେ ସୃଷ୍ଟି ହୋଇଥିବା ବିଭେଦ, ଭିନ୍ନ ଏକ କାହାଣୀ ସାମ୍ନାକୁ ଆଣିଛି ।

  • ଅଭିନେତ୍ରୀଙ୍କୁ ବ୍ଲାକମେଲ୍ କରୁଥିଲେ ଫିଲ୍ମ ନିର୍ମାତା
  • ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ

କ୍ରମାଗତ ଭାବେ ଦୟାନିଧି ଦହିମାଙ୍କଠାରୁ ନିର୍ଯାତନାର ଶିକାର ହେବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ସଂପୃକ୍ତ ଅଭିନେତ୍ରୀ । ତେବେ ଥାନାରେ ଏତଲା ଗ୍ରହଣ କରାନଯିବାରୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆଉ ଏହା ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ସଂଗୀନ୍ । ଅଭିଯୋଗ ଅନୁସାରେ- ୨୦୧୯ରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲା । ବଡ଼ ଫିଲ୍ମ, ପ୍ରଡ଼କ୍ସନ ହାଉସ ଏବଂ ଆଡଭାଟାଇଜିଂ ଏଜେନ୍ସି ଜରିଆରେ ବଡ଼ କାମ ଦେବାର ଲୋଭ ଦେଖାଇ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏମିତି କି ଅଭିନେତ୍ରୀଙ୍କ ସୁଟିଂ ସେଟକୁ ଆସି ଏହି ଫିଲ୍ମ ନିର୍ମାତା ଜଣକ ଗଣ୍ଡଗୋଳ କରୁଥିବା ନେଇ ଅଭିଯୋଗ ହୋଇଛି । ପୂର୍ବରୁ ୨୦୨୧ରେ ଗୋଟିଏ ଥର ବୁଝାମଣା ମଧ୍ୟ ହୋଇଥିଲା ।

ଜଣେ ଅଭିନେତ୍ରୀଙ୍କ ସାଂଘାତିକ୍ ଅଭିଯୋଗ ଭିତରେ ଓଲିଉଡ୍ ଅଭିନେତ୍ରୀ ଶୀତଲ ପାତ୍ର ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛି । ୨୮ ମାର୍ଚ୍ଚରେ ଫେସବୁକରେ ଶୀତଲ ଲେଖିଛନ୍ତି- ସୋସିଆଲ ମିଡିଆର ବ୍ୟବହାର କରି ମିଛ ଖବର ତିଆରି କରିବା ଏକ ଅପରାଧ । ଏଥିରେ ସେ ଦୟାନିଧି ଦହିମା ଏବଂ ଦୟା ଦୟା ଏଣ୍ଟରଟେନମେଣ୍ଟର ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି । ଦୟା ଏଣ୍ଟରଟେନମେଣ୍ଟର ମାଲିକ ଦୟାନିଧି ଦହିମା ଏକାଧିକ ଫେକ୍ ଆକାଉଣ୍ଟ ଖୋଲିଥିବା ଓ ମିଛ ଖବର ତିଆରି କରିଥିବା କଥା ମାନିଛନ୍ତି ବୋଲି ଶୀତଲ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଜଣେ ମହିଳାଙ୍କ ପାଇଁ ଏହା କେତେ ମାନସିକ ଯନ୍ତ୍ରଣା ସୃଷ୍ଟି କରେ, ତାହା ସମସ୍ତେ ବୁଝିବା ଉଚିତ୍ । କାମ କରୁଥିବା ସଂସ୍ଥା ଓ ବ୍ୟକ୍ତିଙ୍କ ବାବଦରେ ସମସ୍ତ କଳାକାର, ବିଶେଷ କରି ମହିଳାମାନେ ସତର୍କ ହେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ଅଭିନେତ୍ରୀ ଶୀତଲ ।

ଏହି ପୋଷ୍ଟ ସହ ଏକ ହାତଲେଖା ଚିଠି ମଧ୍ୟ ସେୟାର କରିଛନ୍ତି ଶୀତଲ । ଯେଉଁ ଚିଠିଟି ଲକ୍ଷ୍ମୀସାଗର ଥାନା ଆଇଆଇସିଙ୍କୁ ୨୭ ମାର୍ଚ୍ଚରେ ଲେଖା ଯାଇଛି । ଦୟା ଏଣ୍ଟରଟେନମେଣ୍ଟର ମାଲିକ ଦୟାନିଧି ଦହିମା ଆଇଆଇସିଙ୍କୁ ଏହି ଚିଠିଟି ଲେଖିଥିବା ଦର୍ଶାଇଛନ୍ତି ଶୀତଲ । ଚିଠିରେ, ସୋସିଆଲ ମିଡିଆରେ ମିଛ ଆକାଉଣ୍ଟ ଖୋଲି ଅଭିନେତ୍ରୀ ଶୀତଲ ପାତ୍ରଙ୍କ ସମ୍ମାନହାନୀ କରିବାକୁ ପ୍ରୟାସ କରିଥିବା କଥା ମାନିଛନ୍ତି ଦୟା । ଅନ୍ୟ ବ୍ୟକ୍ତିଙ୍କ ସହ ଶୀତଲଙ୍କ ନାଁକୁ ଯୋଡି ମିଛ ଖବର ପ୍ରସାରଣ କରିଥିବା କଥାକୁ ମଧ୍ୟ ସ୍ୱୀକାର କରିଛନ୍ତି । କେବଳ ଶୀତଲଙ୍କୁ ବଦନାମ କରିବା ପାଇଁ ସେ ଏପରି କରିଥିବା ଲକ୍ଷ୍ମୀସାଗର ଥାନା ଅଧିକାରୀଙ୍କୁ ଜଣାଇଛନ୍ତି । ତେବେ ଏହି ଚିଠିଟି ଦୟାନିଧିଙ୍କ ହାତଲେଖା କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ ।