ଉଚ୍ଚଶିକ୍ଷା ପ୍ରତି କମୁଛି ଆଗ୍ରହ: ବୈଷୟିକ ଶିକ୍ଷା ଲାଗି ବଢୁଛି ପ୍ରତିଯୋଗିତା, ପାଠ ଶେଷରେ ଚାକିରି ଆଶାରେ ଛାତ୍ରଛାତ୍ରୀ

111

କନକ ବ୍ୟୁରୋ: ଉଚ୍ଚଶିକ୍ଷାପ୍ରତି ପିଲାଙ୍କ ଆଗ୍ରହ କମୁଛି । ସାମସ ପୋର୍ଟାଲରୁ ଏହି ଉଦବେଗଜନ ତଥ୍ୟ ସାମ୍ନାକୁ ଆସିଛି । ଚଳିତ ବର୍ଷ ଯୁକ୍ତ ତିନି ଏବଂ ପିଜି ପାଠ୍ୟକ୍ରମରେ ପ୍ରାୟ ୯୦ ହଜାର ସିଟ ଖାଲି ପଡିଛି । ଅନ୍ୟପଟେ ବିଏଡ୍, ଏମଏଡ୍ ଏବଂ ଆଇଟିଆଇ ପ୍ରତି ଛାତ୍ରଛାତ୍ରୀଙ୍କ ଆକର୍ଷଣ ବଢିବାରେ ଲାଗିଛି । ପାଠପଢା ପରେ ଶୀଘ୍ର ଚାକିରୀ ପାଇବା ପାଇଁ ପାରମ୍ପରିକ ଶିକ୍ଷା ବଦଳରେ ବୈଷୟିକ ଓ ପେସାଦାର ଶିକ୍ଷା ପ୍ରତି ଅଧିକାଂଶ ପିଲା ଆଗ୍ରହ ଦେଖାଉଛନ୍ତି ।

ଦିନ ଥିଲା ଅଧିକାଂଶ ଛାତ୍ରଛାତ୍ରୀ ପାରମ୍ପରିକ ଶିକ୍ଷା ପ୍ରଣାଳୀକୁ ପସନ୍ଦ କରୁଥିଲେ । ଯୁକ୍ତ ଦୁଇ ପରେ ସ୍ନାତକ ଏବଂ ସ୍ନାତକୋତର କରିବା ପରେ ଚାକରି କିମ୍ବା ବ୍ୟବସାୟ ପ୍ରତି ମନ ବଳାଉଥିଲେ । କିନ୍ତୁ ଏହି ଧାରା ଏବେ ବଦଳି ଯାଇଛି । ପାଠ ପଢା ଶେଷ ହେଉ ହେଉ କର୍ମନିଯୁକ୍ତି ଚାହୁଁଛନ୍ତି ଯୁବପିଢ଼ି । ଏଇଥିପାଇଁ ପାରମ୍ପରିକ ଉଚ୍ଚ ଶିକ୍ଷା ପ୍ରତି ସେମାନେ ଧିରେ ଧିରେ ମୁହଁ ଫେରାଉଛନ୍ତି । ଏହାର ବଡ଼ ଉଦାହରଣ ହେଉଛି ଚଳିତ ବର୍ଷ ଯୁକ୍ତ ତିନି ଏବଂ ପିଜି ପାଠ୍ୟକ୍ରମରେ ପ୍ରାୟ ୯୦ ହଜାର ସିଟ ଖାଲି ପଡିଛି । ନଜର ପକାନ୍ତୁ ସାମ୍ସ ପୋର୍ଟାଲର ଏହି ତଥ୍ୟ ଉପରେ –
ଯୁକ୍ତ ତିନି ପାଠ୍ୟକ୍ରମ ପାଇଁ ରାଜ୍ୟରେ ରହିଛି ୧୦୪୭ କଲେଜ
ରହିଛି ୨,୭୧,୦୯୧ ସିଟ୍
ଏପର୍ଯ୍ୟନ୍ତ ନାଁ ଲେଖାଇଛନ୍ତି ୧,୮୭,୧୩୮ ଛାତ୍ରଛାତ୍ରୀ
ଖାଲି ପଡ଼ିଛି ୮୩,୯୫୩ ସିଟ୍
ସେହିପରି
୧୧୦ ଶିକ୍ଷାନୁଷ୍ଠାନରେ ରହିଛି ୨୭,୮୧୬ ପିଜି ସିଟ୍
ବର୍ତ୍ତମାନ ପ୍ରାୟ ୧୦ ହଜାର ସିଟ୍ ଖାଲି ପଡିଛି

ଗୋଟିଏ ପଟେ ଉଚ୍ଚଶିକ୍ଷାରେ ସିଟ ଖାଲି ପଡିଥିବାବେଳେ ବିଏଡ୍, ଏମଏଡ୍ ଏବଂ ଆଇଟିଆଇ ପ୍ରତି ଛାତ୍ରଛାତ୍ରୀଙ୍କ ଆକର୍ଷଣ ବଢିବାରେ ଲାଗିଛି ।
ବିଏଡ୍ ଓ ଏମଏଡ୍ ଲାଗି ୨୮ ଶିକ୍ଷାନୁଷ୍ଠାନରେ ରହିଛି ୨୩୫୦ ସିଟ୍
ସେଥିରୁ ୯୦ ପ୍ରତିଶତ ପୂରଣ ହୋଇସାରିଛି
ସେହିଭଳି
୭୨ ସରକାରୀ ଆଇଟିଆଇ କଲେଜରେ ଅଛି ୨୩,୫୧୨ ସିଟ୍
ନାମ ଲେଖାଇ ସାରିଛନ୍ତି ୨୩,୨୦୫ ଛାତ୍ରଛାତ୍ରୀ

ଏହି ତଥ୍ୟରୁ ବାରି ହୋଇପଡୁଛି ଯେ ଛାତ୍ରଛାତ୍ରୀଙ୍କର ପେସାଦାର ଶିକ୍ଷା ଓ ବୈଷୟିକ ଶିକ୍ଷା ପ୍ରତି ଆକର୍ଷଣ ବଢୁଛି । ପାଠପଢା ସରିବା ପରେ କିପରି ଶୀଘ୍ର ନିଯୁକ୍ତି ମିଳିବ, ସେହି ପାଠ୍ୟକ୍ରମ ପ୍ରତି ଆଗ୍ରହ ଦେଖାଉଛନ୍ତି ଛାତ୍ରଛାତ୍ରୀ ।

ବଦଳୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷା କ୍ଷେତ୍ରରେ ପରିବର୍ତନ ଆଣୁଛନ୍ତି ସରକାର । ନୂତନ ଶିକ୍ଷା ନୀତିରେ ବୈଷୟିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଥିବାରୁ ଏହାକୁ ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଦାବି ଜୋର ଧରିଛି ।