କନକ ବ୍ୟୁରୋ: ଆଉ ଖାଉଟିଙ୍କୁ ନାହିଁ ଆଳୁ ଅଭାବର ଡର । କାରଣ ବଜାରରେ ମିଳୁଛି ପର୍ଯ୍ୟାପ୍ତ ଆଳୁ । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିବା ବନ୍ଦ ହେବାରୁ ଉତ୍ତର ପ୍ରଦେଶରୁ ଆସିଲାଣି ଆଳୁ। କିନ୍ତୁ ଉତ୍ତରପ୍ରଦେଶ ଆଳୁ କିଣି ହତାଶ ହୋଇଛନ୍ତି ଖୁଚୁରା ବ୍ୟବସାୟୀ। ଉତ୍ତରପ୍ରଦେଶ ଆଳୁ ରଖିଛନ୍ତି ସତ କିନ୍ତୁ ଖାଉଟିଙ୍କ ଚାହିଦା ନଥିବାରୁ ବସ୍ତା ଖୋଲୁନାହାନ୍ତି । ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ବଡ ବଡ ଥିବାରୁ ବିକ୍ରି ହେଉନଥିବା କହିଛନ୍ତି ଖୁଚୁରା ବ୍ୟବସାୟୀ। ଅନ୍ୟପଟେ ଉତ୍ତରପ୍ରଦେଶ ଆଳୁ ସୁଆଦିଆ ଲାଗୁନଥିବାରୁ ଖାଉଟି କିଣୁଛନ୍ତି ପଶ୍ଚିମବଙ୍ଗ ଆଳୁ ।

ଭୁବନେଶ୍ୱର ଆଇଗିଣିଆ ଆଳୁ ଗୋଦାମରେ ଏବେ ଉଭୟ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର ଆଳୁ ରହିଛି । ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀ ଚୋରା ବାଟ ଦେଇ ଓଡିଶା ପହଞ୍ଚୁଛନ୍ତି । ପଶ୍ଚିମବଙ୍ଗରୁ ଓଡିଶା ଆସିବା ପାଇଁ ସୀମା ପାର କରାଇବା ବାବଦକୁ ଦଲାଲମାନଙ୍କୁ ୪୦ରୁ ୫୦ ହଜାର ଟଙ୍କା ଦେଉଛନ୍ତି ବ୍ୟବସାୟୀ । କିଛି ଦିନ ଆଳୁ ବୋଝେଇ ଟ୍ରକ ଅଟକିଯାଇଥିବାରୁ ଆଳୁ ପଚି ଗଲାଣି । ଅନ୍ୟପଟେ ଉତ୍ତରପ୍ରଦେଶରୁ ଓଡିଶା ଆସୁଥିବା ଆଳୁ ବୋଝେଇ ଟ୍ରକକୁ ପ୍ରାୟ ଏକ ଲକ୍ଷ ଟଙ୍କା ଭଡା ପଡିଯାଉଛି । ଏଥିସହ ଓଡିଶା ବଜାରରେ ଉତ୍ତରପ୍ରଦେଶ ଆଳୁର ଚାହିଦା ନଥିବାରୁ କ୍ଷତି ସହିବାକୁ ପଡୁଛି ବୋଲି କହିଛନ୍ତି ଉତ୍ତରପ୍ରଦେଶର ବ୍ୟବସାୟୀ।

ଉଭୟ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର ଆଳୁକୁ ଓଡିଶା ବ୍ୟବସାୟୀ ୨୦ରୁ ୨୫ ଟଙ୍କା ଭିତରେ କିଣୁଛନ୍ତି । ବଜାରରେ ୩୦ରୁ ୪୦ ଟଙ୍କା ଭିତରେ ବିକ୍ରି ହେଉଛି । କିନ୍ତୁ ଏବେବି ପଶ୍ଚିମବଙ୍ଗ ଆଳୁର ରହିଛି ବେଶୀ ଚାହିଦା ।