ମହାରାଷ୍ଟ୍ରର ମହାପୁରୁଷଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତୁଳନା , ପୁସ୍ତକ “ଆଜ୍ କେ ଶିବାଜୀ-ନରେନ୍ଦ୍ର ମୋଦି” କୁ ନେଇ ମହାରାଷ୍ଟ୍ରରେ ଦେଖାଗଲା ବିବାଦ ।

320

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୁଳନା ମହାରାଷ୍ଟ୍ରର ମହାପୁରୁଷ ବୀରମରାଠା ଛତ୍ରପତି ଶିବାଜୀ ମହାରାଜ୍ ଙ୍କ ସହ କରିଥିବା ପୁସ୍ତକ “ଆଜ୍ କେ ଶିବାଜୀ-ନରେନ୍ଦ୍ର ମୋଦି” ଉପରେ ଏବେ ବିବାଦ ଦେଖାଦେଇଛି । ମହାରାଷ୍ଟ୍ର ସରକାର ଶାସନରେ ଥିବା ଶିବସେନା , କଂଗ୍ରେସ ଏବଂ ଏନସିପି ଏହି ପୁସ୍ତକ ଉପରେ ଆକ୍ରୋଶ କରି ବିଜେପିକୁ ଏହାର ଜବାବ୍ ମାଗିଛି । ତିନିଦଳ ବିଜେପି ଉପରେ ଶିବାଜୀ ମହାରାଜଙ୍କ ଅପମାନ କରିଥିବା ଅଭିଯୋଗ ଆଣିଛନ୍ତି । ଶିବସେନା ସାଂସଦ ସଂଜୟ ରାଉତ୍ , ବିଜେପି ବିଧାୟକ ଶିବେନ୍ଦ୍ରରାଜେ ଭୋସଲେ ଏବଂ ବିଜେପି ସାଂସଦ ସମ୍ବାଜୀ ରାଜେ ଭୋସଲେଙ୍କୁ ପଚାରିଛନ୍ତି ଯେ କ’ଣ ଏହି ପୁସ୍ତକ ତାଙ୍କୁ ସ୍ୱୀକାର ଅଛି? ଅନ୍ୟପକ୍ଷରେ ଏହି ପୁସ୍ତକ ସାମ୍ନାକୁ ଆସିବା ପରେ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ବିଜେପି ବିଧାୟକ ଏବଂ ପ୍ରବକ୍ତା ଅତୁଲ୍ ଭାତଖଲକର୍ କହିଛନ୍ତି ଯେ ଶିବାଜୀ ମହାରାଜଙ୍କୁ କାହା ସହ ତୁଳନା କରାଯାଇପାରିବ ନାହିଁ । ପ୍ରଧାନମନ୍ତ୍ରୀ ନିର୍ବାଚନ ପରେ ରାୟଗଡ କିଲ୍ଲାରେ ଶିବାଜୀ ମହାରାଜଙ୍କ ଆଶିର୍ବାଦ ନେବାକୁ ଯାଇଥିଲେ । ସେ ଶିବାଜୀ ମହାରାଜଙ୍କୁ ନିଜ ଗୁରୁ ବୋଲି ମାନନ୍ତି । ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏହା ଆଦୌ ପସନ୍ଦ ଆସିବ ନାହିଁ । ତେବେ ବିଜେପି ପାଇଁ ଏହି ପୁସ୍ତକ ଆଗକୁ ମୁଣ୍ଡବ୍ୟଥାର କାରଣ ପାଲଟିପାରେ ବୋଲିି ଅନୁମାନ କରାଯାଉଛି ।

ଏନସିପି ନେତା ତଥା ରାଜ୍ୟ ଗୃହନିର୍ମାଣ ମନ୍ତ୍ରୀ ଜିତେନ୍ଦ୍ର ଆହ୍ୱାଡ୍ ଏଥିରେ ଆପତ୍ତି ଉଠାଇ କହିଛନ୍ତି ଯେ ବିଶ୍ୱରେ ଦ୍ୱିତୀୟ ଛତ୍ରପତି ଶିବାଜୀ ମହାରାଜ କେହି ହୋଇପାରିବେ ନାହିଁ । ଏହି ପୁସ୍ତକକୁ ଦିଲ୍ଲୀ ବିଜେପି ନେତା ଜୟଭଗବାନ ଗୋୟଲ୍ ଲେଖିଛନ୍ତି । ରବିବାର ଦିଲ୍ଲୀ ବିଜେପି କାର୍ଯ୍ୟାଳୟର ସାଂସ୍କୃତିକ ସମ୍ମିଳନୀରେ ଏହି ପୁସ୍ତକକୁ ଉନ୍ମୋଚନ କରାଯାଇଥିଲା । ଏହି ସମ୍ମିଳନୀରେ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ , ଶ୍ୟାମଜାଜୁ ଏବଂ ପୂର୍ବ ସାଂସଦ ମହେଶ୍ ଗିରି ସହ ଅନ୍ୟ ନେତା ମଧ୍ୟ ଉପସ୍ଥିତ ଥିଲେ ।