ସେଦିନ ବି ଥିଲା ଶୁକ୍ରବାର, ଏଥର ବି ଶୁକ୍ରବାର । ୯୯ ମହାବାତ୍ୟା ଭଳି ତାଣ୍ଡବ ରଚିଲା ‘ଫୋନି’ । ଓଡିଶା ଦେଖିଲା ପ୍ରକୃତିର କରାଳ ରୂପ । 

275

କନକ ବ୍ୟୁରୋ : ପୁଣି ଥରେ ପ୍ରକୃତିର କରାଳ ରୂପ ଦେଖିଲା ଓଡିଶା । ୧୯୯୯ର ମହାବାତ୍ୟା ଭଳି ରଚିଲା ପ୍ରଳୟ । ଛାରଖାର କରିଦେଲା ଅଧା ଓଡିଶା । ଓଡିଶା ଇତିହାସରେ ଲିପିବଦ୍ଧ ହୋଇରହିଗଲା ମେ ୩ ତାରିଖ । ମାତ୍ର ୧୨ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାର ଚେହେରାକୁ ବିବର୍ଣ୍ଣ କରିଦେଲା ବାତ୍ୟା ‘ଫୋନି’ । ଶୁକ୍ରବାର ଓଡିଶାରେ ବାତ୍ୟା ‘ଫୋନି’ର କରାଳ ରୂପ ୧୯୯୯ ମହାବାତ୍ୟା ଭଳି ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁଯାୟୀ, ପାଖାପାଖି ୧୪ଟି ଜିଲ୍ଲାରେ ନାହିଁନଥିବା କ୍ଷତି କରିଛି ‘ଫୋନି’ ।

ଶୁକ୍ରବାର ଭୀଷଣରୁ ଅତି ଭୀଷଣ ରୂପ ନେଇ ଉପକୂଳକୁ ଛାରଖାର କରିଦେଇଥିବା ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫୋନି’, ୨୦ ବର୍ଷ ତଳର ମହାବାତ୍ୟାକୁ ମନେ ପକାଇ ଦେଇଛି । ସେଦିନ ବି ଶୁକ୍ରବାର ଥିଲା ଆଉ ଏଥର ବି ଶୁକ୍ରବାର। ଅବଶ୍ୟ ଆଜି ପବନର ଗତି ସେମିତି ନଥିଲା କି ସେବର୍ଷ ଭଳି ଲମ୍ବା ସମୟ ଯାଏ ଓଡ଼ିଶାକୁ ଓଲଟପାଲଟ କରିବା ଭଳି ସ୍ଥିତିରେ ନଥିଲା ‘ଫୋନି’।

ଅନ୍ୟପକ୍ଷରେ ସେମିତି ଅପେକ୍ଷା ଆଜିର କ୍ଷତି ଟପିଯିବ କି କମିବ, ତାହା ଏବେଠାରୁ ଆକଳନ କରିବା ମୁସ୍କିଲ । କିନ୍ତୁ ୨୦ ବର୍ଷ ତଳର ଏହି ଚିତ୍ର ଆଜି ଉପକୂଳ ଓଡ଼ିଶାର ସମସ୍ତ ଲୋକଙ୍କ ଆଖିରେ ପୁଣି ଥରେ ନାଚି ଉଠିଛି । ସମସ୍ତେ ପ୍ରକୃତିର ଏଭଳି ତାଣ୍ଡବଲୀଳା ଦେଖି ଏକପ୍ରକାର ଆତଙ୍କିତ ହୋଇପଡିଛନ୍ତି ।

 

କେମିତି ଥିଲା ୧୯୯୯ ମସିହା ବାତ୍ୟାର ଚିତ୍ର :

୧୯୯୯ ମସିହା ଅକ୍ଟୋବର ୨୯ ତାରିଖ । ସମୟ ସକାଳ ୧୦ଟା ୩୦। ପାରାଦୀପର ଦକ୍ଷିଣ-ପଶ୍ଚିମପଟେ, ଜଗତସିଂହପୁର ଜିଲ୍ଲାର ଏରସମା-ବାଲିକୁଦା ମଝିରେ, ସ୍ଥଳଭାଗ ଛୁଇଁଥିଲା ମହାବାତ୍ୟା । ଏହାର ପାଞ୍ଚଦିନ ଆଗରୁ ଅର୍ଥାତ୍ ସେହିବର୍ଷ ଅକ୍ଟୋବର ୨୪ ତାରିଖ ଦିନ, ଲଘୁଚାପ ରୂପରେ ଏହାକୁ ଠାବ କରାଯାଇଥିଲା । ଆଣ୍ଡାମାନ ଦ୍ୱୀପପୁଞ୍ଜରୁ ୫୫୦ କିଲୋମିଟର ପୂର୍ବକୁ ଏକ ଲଘୁଚାପ ସୃଷ୍ଟି ହୋଇଥିଲା । ୩୬ ଘଣ୍ଟାଧରି, ଘଣ୍ଟାପ୍ରତି ୨୬୦ କିଲୋମିଟର ବେଗରେ ପବନ ବହିଥିଲା । ସମୟ ସମୟରେ ପବନର ବେଗ ଘଣ୍ଟାକୁ ୩୦୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା ।

ପବନର ବେଗ ଏତେ ଅଧିକ ଥିଲା ଯେ, ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଓ ପାରାଦୀପରେ ଲାଗିଥିବା ବେଗ ମାପକଯନ୍ତ୍ର ‘ଏନୋମିଟର୍’ ଏହାକୁ ସେତେବେଳେ ରେକର୍ଡ କରିବା ପୂର୍ବରୁ ଅକାମୀ ହୋଇପଡ଼ିଥିଲା । ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରୁଥିଲେ, ପୁରୀରେ ମାଡ଼ ହେବ ବାତ୍ୟା । ହେଲେ ଶେଷ ମୁହୂର୍ତରେ ଦିଗ ବଦଳାଇ ଦେଇଥିଲା । ପାରାଦୀପ ଥିଲା ମହାବାତ୍ୟାର ଆଖି ବା କେନ୍ଦ୍ରସ୍ଥଳୀ । ଏହାର ପରିଧି ବ୍ୟାପିଥିଲା ୨ଶହ କିଲୋମିଟର ପର୍ଯ୍ୟନ୍ତ ।

ମହାବାତ୍ୟାର ପ୍ରଭାବରେ ଉପକୂଳ ଓଡ଼ିଶାରେ ତିନିଦିନ ଧରି ମୂଷଳ ଧାରାରେ ବର୍ଷା ଛେଚିଥିଲା ।  ସମୁଦ୍ରରେ ୭ରୁ ୧୦ମିଟର ଉଚ୍ଚ ଜୁଆର  ଉଠି ସ୍ଥଳଭାଗକୁ ବେଶ୍ କିଛି ବାଟ ଯାଏ ମାଡ଼ିଯାଇଥିଲା । ବାତ୍ୟାବେଳେ ଉପକୂଳବର୍ତୀ ୧୪ଟି ଜିଲ୍ଲା ଓ ୨୮ଟି ସହର ସମେତ ରାଜଧାନୀ ଭୁବନେଶ୍ୱର ଓ ପୁରୁଣା ରାଜଧାନୀ କଟକରେ ୪୫ରୁ୯୫ ସେମି ଯାଏ ବର୍ଷା ରେକର୍ଡ କରାଯାଇଥିଲା ।

ସରକାରୀ ତଥ୍ୟ କହେ, ମହାବାତ୍ୟାରେ ୯, ୮୮୫ଜଣଙ୍କର ମୃତ୍ୟୁ ଘଟିଥିଲା । ବେସରକାରୀ ଭାବେ ଏହି ସଂଖ୍ୟା ଏହାର ଚାରି ପାଞ୍ଚ ଗୁଣ ହେବ ବୋଲି କୁହାଯାଏ । କେବଳ ଜଗତସିଂହପୁର ଜିଲ୍ଲାରେ ୮ହଜାର୧୧୯ ଜଣଙ୍କର ମୃତ୍ୟୁ ଘଟିଥିଲା । ସରକାରୀ ରେକର୍ଡରେ ବାତ୍ୟାରେ ଆହାତ ହୋଇଥିଲେ ମୋଟ ୭ହଜାର ୫୦୫ ଜଣ । କେବଳ ସେତିକି ନୁହେଁ, ପ୍ରାୟ ୧କୋଟି ୩୦ଲକ୍ଷ(୧୩ନିୟୁତ)ଲୋକ ମହାବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ/ପ୍ରଭାବିତ ହୋଇଥିବା କୁହାଯାଏ । ୩ଲକ୍ଷ ୧୫ହଜାର ୮୮୬ ଗୋରୁଗାଈଙ୍କର ବି ପ୍ରାଣହାନି ଘଟିଥିଲା । ମହାବାତ୍ୟାରେ ୧୬ ଲକ୍ଷ ୫୦ ହଜାର ୮୬ଟି ଘର ଭାଙ୍ଗିଥିଲା । ୨୩ ହଜାର୧୨୯ ଘର ନିଶ୍ଚିହ୍ନ ହୋଇଯାଇଥିଲା । ୭ ଲକ୍ଷ ୪୬ ହଜାର ୩୩୭ ଟି ଘର ସଂପୂର୍ଣ ନଷ୍ଟ ହୋଇଥିଲା ଏବଂ ୮ ଲକ୍ଷ ୮୦ ହଜାର ୬୨୦ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା ।