କନକ ବ୍ୟୁରୋ : ମୋବାଇଲ୍ କଲ୍ ରେକର୍ଡକୁ ଟେଲିକମ୍ କଂପାନିଗୁନିକ ଦୁଇ ବର୍ଷ ପୂର୍ବରୁ ଡିଲିଟ୍ କରିପାରିବେ ନାହିଁ। ପୂର୍ବରୁ ସେମାନେ ଏକ ବର୍ଷ ପାଇଁ ଏହି ତଥ୍ୟ ନିଜ ପାଖରେ ରଖୁଥିଲେ। କେନ୍ଦ୍ର ସରକାର ଲାଇସେନ୍ସ ନିୟମରେ ସଂଶୋଧନ କରି ସେହି ଅବଧିକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ନିରାପତ୍ତା ବିଷୟ ବିଚାରକୁ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ତଦନ୍ତ ଏଜେନ୍ସି କିମ୍ବା କୋର୍ଟ ଯେତେବେଳେ କଲ୍ ବିବରଣୀର ରେକର୍ଡ (ସିଡିଆର୍) ମାଗିବେ ତାହା କଂପାନିଗୁଡ଼ିକ ପ୍ରଦାନ କରିବେ।
ଇଣ୍ଟରନେଟ୍ ସେବା ପ୍ରଦାନକାରୀମାନଙ୍କୁ ମଧ୍ୟ ଦୁଇ ବର୍ଷ ପର୍ଯ୍ୟନ୍ତ ଇଣ୍ଟରନେଟ୍ ବ୍ୟବହାର ତଥ୍ୟ ସଂରକ୍ଷିତ ରଖିବାକୁ ସରକାର କହିଛନ୍ତି। କଲ୍ ବିବରଣୀର ରେକର୍ଡକୁ ଏକ ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ ରଖିବା ଲାଗି ପୂର୍ବରୁ କଂପାନିଗୁଡ଼ିକୁ ସରକାର ନିର୍ଦେଶ ଦେଇଥିଲେ। କିନ୍ତୁ ସେମାନେ ତାହାକୁ ୧୮ ମାସ ପର୍ଯ୍ୟନ୍ତ ପାଖରେ ରଖୁଥିଲେ। ତା’ ପରେ ଡିଲିଟ୍ କରୁଥିଲେ। ଯେହେତୁ ଏବେ ଦୁଇ ବର୍ଷ ପର୍ଯ୍ୟନ୍ତ ତଥ୍ୟ ପାଖରେ ରଖିବାକୁ ସରକାର କହିଛନ୍ତି ତେଣୁ ସେଥିପାଇଁ କଂପାନିଗୁଡ଼ିକୁ ବିଶେଷ ସମସ୍ୟା ସାମ୍ନା କରିବାକୁ ପଡ଼ିବନି। କଲ୍ ବିବରଣୀ ରେକର୍ଡରେ କିଏ କାହାକୁ କଲ୍ କରିଥିଲା ଏବଂ କେତେ ସମୟ କଥାବାର୍ତା ହୋଇଥିଲେ ସେହି ଭଳି ଭଳି ତଥ୍ୟ ‘ଅକ୍ଷର’ ଆକାରରେ ରହିଥାଏ। ସେଗୁଡ଼ିକୁ ସଂରକ୍ଷିତ ରଖିବା ଲାଗି ଅଧିକ ସ୍ଥାନ ଦରକାର ହୁଏ ନାହିଁ।
ଏକ ଟେଲିକମ୍ କଂପାନିର ଜଣେ ଅଧିକାରୀ ଏହି ପ୍ରସଙ୍ଗରେ ମତ ରଖି କହିଛନ୍ତି ଯେ କୌଣସି ରେକର୍ଡ ଡିଲିଟ୍ କରିବା ପୂର୍ବରୁ ଆମେ ଲାୟଜନ ଅଫିସ କିମ୍ବା ଅଫିସରଙ୍କୁ ଆଗୁଆ ସୂଚିତ କରିଥାଉ। ଆଇନଗତ ମାଧ୍ୟମରେ କିଛି ସ୍ବତନ୍ତ୍ର ଅନୁରୋଧ ଆସିଲେ ଆମେ ସେହି ତଥ୍ୟକୁ ନିଜ ପାଖରେ ରଖିଥାଉ। ଅନ୍ୟ ସବୁ ତଥ୍ୟକୁ ପରବର୍ତ୍ତୀ ୪୫ ଦିନ ମଧ୍ୟରେ ନଷ୍ଟ କରିଦିଆଯାଏ। କଲ୍ ରେକର୍ଡକୁ ସଂରକ୍ଷିତ ରଖିବା ଲାଗି ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଆଇନ ରହିଛି। ଛଅ ମାସ ଠାରୁ ଆରମ୍ଭ କରି ଦୁଇ ବର୍ଷ ପର୍ଯ୍ୟନ୍ତ ଡାଟାକୁ ନିଜ ପାଖରେ ରଖିବାକୁ ବିଭିନ୍ନ ଦେଶର ସରକାର ଟେଲିକମ୍ କଂପାନିଗୁଡ଼ିକୁ କହିଥାନ୍ତି।
ରାଜନୈତିକ ଓ ଅପରାଧ ତଦନ୍ତ ଦୃଷ୍ଟିରୁ କଲ୍ ରେକର୍ଡ ଏକ ସମ୍ବେଦନଶୀଳ ତଥ୍ୟ। ଅପରାଧର ତଦନ୍ତ କରୁଥିବା ଏଜେନ୍ସିଗୁଡ଼ିକ କଲ୍ ରେକର୍ଡ ଜରିଆରେ ଅପରାଧୀମାନଙ୍କ ପାଖରେ ସହଜରେ ପହଞ୍ଚିପାରନ୍ତି। ଅପରାଧକୁ କୋର୍ଟରେ ପ୍ରମାଣ କରିବା ମଧ୍ୟ ଏଜେନ୍ସିଗୁଡ଼ିକ ଲାଗି ସହଜ ହୁଏ। ତଥ୍ୟର ଗୋପନୀୟତା ଏବେ ସମଗ୍ର ବିଶ୍ବରେ ଏକ ପ୍ରମୁଖ ପ୍ରସଙ୍ଗ। ଭାରତରେ ମଧ୍ୟ ଏହାକୁ ବିଶେଷ ଗୁରୁତ୍ବ ଦିଆଯାଉଛି। ସିଡିଆରକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବାର ମଧ୍ୟ ଆଶଙ୍କା ରହିଛି।