କମ୍ପାନୀ ଓ ଜମିହରା ମୁହାଁମୁହିଁ: ଜମିହରାଙ୍କୁ କ୍ଷତିପୂରଣ ନଦେଇ କମ୍ପାନୀ କୋଟି କୋଟି ଟଙ୍କାର ସାମଗ୍ରୀ ବିକ୍ରି କରିଦେଉଥିବା ଅଭିଯୋଗ

86

କନକ ବ୍ୟୁରୋ: କମ୍ପାନୀ ଓ ଜମିହରାଙ୍କ ମଧ୍ୟରେ ଚାଲିଛି ଯୁଦ୍ଧ । ମୁହାଁମୁହିଁ କ୍ଷତିଗ୍ରସ୍ତ ଏବଂ କମ୍ପାନୀ କର୍ତୁପକ୍ଷ । ଢେଂକାନାଳ ଓଡାପଡା ବ୍ଲକର ଖଡଗପ୍ରସାଦ ଅଂଚଳରେ ରହିଛି ଲାନକୋ ପାୱାର ପ୍ଲାଂଟ । କ୍ଷତିଗ୍ରସ୍ତ ପ୍ରଜା, ଠିକାଦାର ଏବଂ ସ୍ଥାନୀୟ କର୍ମଚାରୀଙ୍କ ଆଖିରେ ଧୁଳି ଦେଇ କୋଟି କୋଟି ଟଂକାର ଫାକ୍ଟ୍ରି ସାମଗ୍ରୀ ବିକ୍ରି କରିବାକୁ ଚକ୍ରାନ୍ତ କରୁଛି ଲାନକୋ ପାୱାର ପ୍ଲାଂଟ । ଲୋକଙ୍କୁ କ୍ଷତିପୂରଣ ଓ ଚାକିରି ଦେବା ବଦଳରେ କମ୍ପାନୀ ଜମି ଓ ସାମଗ୍ରୀ ବିକ୍ରି ପାଇଁ ମସୁଧା କରୁଥିବା ଜଣାପଡିବା ପରେ ଧାରଣ ଦେଇଛନ୍ତି କ୍ଷତିଗ୍ରସ୍ତ ଓ ସ୍ଥାନୀୟ ବାସିନ୍ଦା । ପ୍ରଶାସନିକ ସ୍ତରରେ ସମାଧାନ ଲାଗି ୩–୩ ଥର ଚେଷ୍ଟା ହେଉଥିଲେ ସୁ୍ଦ୍ଧା ମୀମାଂସା ହୋଇପାରୁନାହିଁ ।

ଲାନକୋ ପାୱାର ପ୍ଲାଂଟ ଓଡାପଡାର ଖଡଗପ୍ରସାଦ, କୁସପଂଗା ଅଂଚଳର ୧ହଜାର ୨୩୧ ଏକର ଜମିରେ ଠିଆ ହୋଇଛି । ୨୦୧୬ରୁ କମ୍ପାନୀ ବନ୍ଦ ହୋଇଯାଇଛି । ଜମିହରାମାନେ ଚାକିରି ଖଣ୍ଡେ ପାଇବା ଆଶାରେ ଗ୍ରହଣ ଲାଗିଯାଇଛି । ଅନେକ ଜମିହରା କ୍ଷତିପୂରଣ ପାଇ ନାହାନ୍ତି । କମ୍ପାନୀ ନିର୍ମାଣ ବେଳେ କାମ କରିଥିବା ଠିକାଦାରଙ୍କ ବକେୟା ରାଶି ଏବେ ବି କମ୍ପାନୀ ବାକି ଖାତରେ ଗଡୁଛି । ଏ ସବୁ ସମସ୍ୟା ଭିତରେ କ୍ଷତିଗ୍ରସ୍ତଙ୍କ ଅଜାଣତରେ କମ୍ପାନୀ କର୍ତୁପକ୍ଷ ଲୁଚିଛପି ୯୧ କୋଟିରେ କମ୍ପାନୀ ଜମି ଏବଂ ୧୨୨ କୋଟି ଟଙ୍କାରେ କମ୍ପାନୀ ଭିତରେ ଥିବା ସାମଗ୍ରୀକୁ ବିକ୍ରି କରିବାକୁ ଯୋଜନା କରୁଛନ୍ତି । ଏ କଥା ଜଣିବା ପରେ ଆଂଚଳିକ କ୍ଷତିଗ୍ରସ୍ତ ପ୍ରଜା ସଂଘ କମ୍ପାନୀ ଫାଟକ ଆଗରେ ଧାରଣା ଦେଇଛନ୍ତି ।

ପୁଲିସ ଉପସ୍ଥିତିରେ କମ୍ପାନୀ କର୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ବି ସମାଧାନ ସୂତ୍ର ବାହାରି ପାରିନାହିଁ । ସେପଟେ ସାଂସଦ ମହେଶ ସାହୁ, ଜିଲାପାଳଂକ ଉପସ୍ଥିତିରେ ଆଉ ଏକ ବୈଠକ ହୋଇଛି । ଆଗାମୀ ୧୦ ଦିନ ମଧ୍ୟରେ କମ୍ପାନୀ କର୍ତୁପକ୍ଷ-କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରି ସମାଧାନ ବାଟ ବାହାରିବ ବୋଲି ଜିଲ୍ଲାପଳ କହିଛନ୍ତି । କମ୍ପାନୀ କର୍ତୁପକ୍ଷଙ୍କ କୌଣସି ପ୍ରକାର ଚଂଚକତାକୁ ଆଉ ବର୍ଦାସ୍ତ କରାଯିବ ନାହିଁ ବୋଲି ୫ ଟି ପଂଚାୟତର କ୍ଷତିଗ୍ରସ୍ତ ଚେତାବନୀ ଦେଇଛନ୍ତି ।