କନକ ବ୍ୟୁରୋ: ଗୋଟିଏ ମାସରେ ରାଜ୍ୟରେ ବଦଳି ଯାଇଛି କରୋନା ସ୍ଥିତି । ମାର୍ଚ୍ଚ ୧୯ ତାରିଖରେ ମାତ୍ର ୧୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ ୧୯ରେ ୪ ହଜାର ଟପିଯାଇଛି ପଜିଟିଭ୍ ମାମଲା । ଏହି ଦ୍ରୁତ ସଂକ୍ରମଣକୁ ଗୋଷ୍ଠୀ ସଂକ୍ରମଣ ସହ ତୁଳନା କରିଛନ୍ତି ଡିଏମଇଟି । ଆଉ ମେ’ ମାସରେ ଦ୍ୱିତୀୟ ଲହର ସଂକ୍ରମଣ ଶୀର୍ଷକୁ ଛୁଇଁବା ସମ୍ଭାବନା ରହିଛି ବୋଲି କହିଛନ୍ତି ବିଶେଷଜ୍ଞ ।
ଦୁଇ ମାସ ତଳେ ହୁଏତ କେହି ଭାବୁନଥିଲେ କରୋନା ଭୂତାଣୁ ପୁଣି ଥରେ କାୟା ମେଲାଇବ । ଆଉ ଚାହୁଁ ଚାହୁଁ ପ୍ରଥମ ଲହର ସଂକ୍ରମଣକୁ ଦ୍ୱିତୀୟ ଲହର ଦିନ କେତେଟା ଭିତରେ ଟପିଯିବ । ଦେଶର ସ୍ଥିତି ଅଧିକ ସଂଗୀନ ହେଉଥିବା ବେଳେ ଓଡ଼ିଶା ବି ସଂକ୍ରମଣରେ ସର୍ବକାଳୀନ ରେକର୍ଡ କରିଛି । ୧୯ ଫେବ୍ରୁଆରିରେ ରାଜ୍ୟରେ ଦିନକୁ ମାତ୍ର ୫୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମାସକ ପରେ ଅର୍ଥାତ୍ ୧୯ ମାର୍ଚ୍ଚରେ ଦୈନିକ ସଂଖ୍ୟା ସଂଖ୍ୟା ବଢ଼ି ହୋଇଥିଲା ୧୧୦ । ଏପ୍ରିଲ ୧ରୁ ସଂକ୍ରମଣ ଲମ୍ବା ଡିଆଁ ମାରିବାରେ ଲାଗିଛି ।
ଏପ୍ରିଲ ୧୦ରେ ଦୈନିକ ସଂକ୍ରମଣ ୧୩୭୪, ୧୫ ତାରିଖରେ ୨୯୮୯ ଏବଂ ଏପ୍ରିଲ ୧୯ରେ ଚିହ୍ନଟ ହୋଇଛନ୍ତି ୪୪୪୫ । ଯେଉଁ ସ୍ପିଡରେ ସଂକ୍ରମଣ ବଢୁଛି, ତାହା ଗୋଷ୍ଠୀ ସଂକ୍ରମଣ ଭଳି ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର । ଆଉ ଏହି ସଂକ୍ରମଣ ମେ’ ମାସରେ ଶୀର୍ଷ ଛୁଇଁପାରେ । ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ଥିବାରୁ ସମସ୍ତେ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି ।
ରାଜ୍ୟରେ କେମିତି ବ୍ୟାପୁଛି କରୋନା?
- ୧୯ ଫେବ୍ରୁଆରି – ୫୩
- ୧ ମାର୍ଚ୍ଚ – ୮୬
- ୧୯ ମାର୍ଚ୍ଚ – ୧୧୦
- ୧ ଏପ୍ରିଲ – ୩୯୪
- ୫ ଏପ୍ରିଲ – ୫୭୩
- ୧୦ ଏପ୍ରିଲ – ୧,୩୭୪
- ୧୫ ଏପ୍ରିଲ – ୨,୯୮୯
- ୧୯ ଏପ୍ରିିଲ – ୪,୪୪୫
ଓଡ଼ିଶା କରୋନା ମ୍ୟାପରେ ୭ଟି ଜିଲ୍ଲା ଏବେ ରେଡ୍ ଜୋନରେ । ସବୁଠୁ ସାଘାଂତିକ ସ୍ଥିତିରେ ରହିଛି ସୁନ୍ଦରଗଡ଼ । ଗୋଟିଏ ଦିନରେ ୭୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦୈନିକ ସଂକ୍ରମଣର ଖୋର୍ଦ୍ଧା ରହିଛି ଦ୍ୱିତୀୟ ସ୍ଥାନରେ । ବିଶେଷ କରି ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜଧାନୀର ଦୋକାନ ବଜାରରେ ଭିଡ଼ ଲାଗି ରହୁଥିବାରୁ ମାର୍କେଟଗୁଡିକରେ ପୂର୍ବଭଳି ବ୍ୟାରିକେଡ୍ ଲଗାଇବା ସହ ବିକେନ୍ଦ୍ରୀକରଣ କରିବାକୁ ନିଷ୍ପତି ନେଇଛି ବିଏମସି । କରୋନାର ଦ୍ୱିତୀୟ ଲହର, ପୂର୍ବ ଅପେକ୍ଷା ଅଧିକ ସଂକ୍ରମକ ହୋଇଥିବାରୁ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।