କରୋନା ସଂକ୍ରମଣକୁ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ, ଆଇଏମଏର ଗୁରୁତ୍ୱପୂର୍ଣ୍ଣ ବୟାନ: ଆଇଏମଏର ଚେୟାରମ୍ୟାନ କହିଲେ, ଭାରତରେ ଆରମ୍ଭ ହୋଇଗଲାଣି ଗୋଷ୍ଠୀ ସଂକ୍ରମଣ

ପରିସ୍ଥିତି ଖରାପ ଆଡକୁ ଗତି କରୁଛି

266

କନକ ବ୍ୟୁରୋ: ଭାରତରେ କରୋନାରେ ୧୦ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ଇଣ୍ଡିଆନ ମେଡିକାଲ ଆସୋସିଏସନ, ଆଇଏମଏ ଦେଇଛି ଏକ ଗୁରୁତ୍ୱପୂର୍ଣ୍ଣ ବୟାନ । ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲାଣି ବୋଲି କହିଛି ଆଇଏମଏ । ଏଥିସହ ପରିସ୍ଥିତି ଖରାପ ଆଡକୁ ଗତି କରୁଛି ବୋଲି ଆଇଏମଏ କହିଛି । ଆଇଏମଏର ଚେୟାରମ୍ୟାନ ଡକ୍ଟର ଭି କେ ମୋଙ୍ଗିଆ ନ୍ୟୁଜ ଏଜେନ୍ସି ଏଏନଆଇକୁ କହିଛନ୍ତି ଦିନକୁ ଦିନ ସଂକ୍ରମଣର ହାର ବଢି ବଢି ଚାଲିଛି । ପ୍ରତିଦିନ ପାଖାପାଖି ୩୦ ହଜାର ଲୋକ ସଂକ୍ରମିତ ହେଉଛନ୍ତି । ଏହା ପଛରେ ବହୁତ କାରଣ ରହିଛି । ବିଶେଷ କରି ଗ୍ରାମାଂଚଳରେ ଏହା ବ୍ୟାପିବାରେ ଲାଗିଛି । ଏହା ଏକ ଖରାପ ଦିଗକୁ ଇଙ୍ଗିତ କରୁଛି । ଏହା ପ୍ରତିଫଳିତ କରୁଛି କି ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଲାଣି ।

ଡକ୍ଟର ମୋଙ୍ଗିଆ କହିଛନ୍ତି, କରୋନା ସଂକ୍ରମଣ ଧୀରେ ଧୀରେ ସହର ଏବଂ ଗାଁକୁ ବ୍ୟାପିଲାଣି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏତେଟା ସହଜ ନୁହେଁ । ଦିଲ୍ଲୀରେ ନିୟନ୍ତ୍ରଣ କରାଗଲା କିନ୍ତୁ ଥରେ ଚିନ୍ତା କରନ୍ତୁ ଦେଶର ଆଭ୍ୟନ୍ତରୀଣ ରାଜ୍ୟ କଥା । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଗୋଆ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟ, ଯାହାକି ନୂଆ ହଟସ୍ପଟ ହୋଇପାରେ ବୋଲି ସେ ଅନୁମାନ କରିଛନ୍ତି । ପ୍ରତିଟି କଥାକୁ ଗୁରୁତର ସହ ନେଇ ରାଜ୍ୟ ସରକାରମାନେ ଅଧିକ ଯତ୍ନବାନ ହେବା ଉଚିତ ଏବଂ ସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି । କରୋନା ଏକ ଭାଇରାଲ ରୋଗ । ଯାହା ଦ୍ରୁତଗତିରେ ବ୍ୟାପୁଛି  ।

ଏହାର ମୁକାବିଲା ପାଇଁ ୨ଟି ଉପାୟ ରହିଛି । ଦେଶର ୭୦ ପ୍ରତିଶତଲୋକଙ୍କୁ ସଂକ୍ରମିତ କରି ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିସୃଷ୍ଟି କରିବା କିମ୍ବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଔଷଧ ତିଆରି କରିବା ବୋଲି ସେ କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଶେଷ ତଥ୍ୟ ଅନୁସାରେ, ୧୦ଲକ୍ଷ ୩୮ହଜାର ୭୧୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ୩ଲକ୍ଷ ୫୮ ହଜାର ୬୨୯ଟି ସକ୍ରିୟ ମାମଲା ରହିଥିବା ବେଳେ ୬ଲକ୍ଷ ୫୩ହଜାର ୭୫୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୋଟ ୨୬ ହଜାର ୨୭୮ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି ।