ଦେଶରେ ପ୍ରଥମ ରାଜ୍ୟ ଭାବେ କରୋନାର ଗୋଷ୍ଠୀ ସଂକ୍ରମଣକୁ ସ୍ୱୀକାର କଲା କେରଳ: ଶୁକ୍ରବାର ରାଜ୍ୟର ୭୯୧ ସଂକ୍ରମିତଙ୍କ ମଧ୍ୟରେ ୫୩୨ ଲୋକାଲ କେସ୍

ଥିରୁବନନ୍ତପୁରମର ଦୁଇଟି ସ୍ଥାନରେ କମ୍ୟୁନିଟି ଟ୍ରାନ୍ସମିଶନ ଆରମ୍ଭ ହୋଇଥିବା କହିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

547

କନକ ବ୍ୟୁରୋ: କେରଳ ଆରମ୍ଭ ହେଲାଣି କରୋନାର କମ୍ୟୁନିଟି ଟ୍ରାନ୍ସମିଶନ୍ ବା ଗୋଷ୍ଠୀ ସଂକ୍ରମଣ । ଦେଶରେ ମହାମାରୀ କରୋନାର ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । କ୍ୱାରେଂଟିନ ସେଂଟରରୁ ନୂଆ ସଂକ୍ରମଣ ମାମଲା ସହ ତାଳଦେଇ ଲୋକାଲ କେସ୍ ବାହାରିବାରେ ଲାଗିଛି । ତଥାପି ଗୋଷ୍ଠୀ ସଂକ୍ରମଣକୁ ଏଯାଏଁ ସ୍ୱୀକାର କରିନାହାନ୍ତି କେନ୍ଦ୍ର ସରକାର । ହେଲେ ପ୍ରଥମଥର କେରଳରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଥିବା ସ୍ୱୀକାର କରିଛି କେରଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ବିଶେଷ କରି ଥିରୁବନନ୍ତପୁରମର ଦୁଇଟି ସ୍ଥାନରେ ଗେଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଥିବା କୁହାଯାଇଛି ।

ଶୁକ୍ରବାର କେରଳରେ ସର୍ବାଧିକ ୭୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ଭିତରେ ୫୩୨ଟି ଲୋକାଲ କେସ ରହିଛି । ଯେତେବେଳେ ଚିହ୍ନଟ ହେଉଥିବା ଜଣେ କରୋନା ସଂକ୍ରମିତ କାହା ସଂସ୍ପର୍ଷରେ ଆସି ସଂକ୍ରମିତ ହୋଇଛନ୍ତି ତାହା ଜଣାପଡେ ନାହିଁ ତାକୁ ଗେଷ୍ଠୀ ସଂକ୍ରମଣ ବୋଲି କୁହାଯାଉଛି । ଏହାକୁ କରୋନା ସଂକ୍ରମଣର ତୃତୀୟ ଷ୍ଟେଜ ବୋଲି ବିଚାର କରାଯାଏ । ଥିରୁବନନ୍ତପୁରମର ପୁନ୍ଥୁରାରେ କୌଣସି ଲକ୍ଷଣ ନଥିବା ୫୦ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା ।

ଏମାନଙ୍କ ମଧ୍ୟରୁ ୨୬ ଜଣ କରୋନା ପଜିଟିଭ ଥିବା ଜଣାପଡିଲ । ସେହିପରି ପୁଲୁଭିଲ୍ଲାରେ ମଧ୍ୟ ୫୭ ଜଣଙ୍କ ନମୂନା ପରୀକ୍ଷାରୁ ୨୮ ଜଣଙ୍କର କରୋନା ପଜିଟିଭ ବାହାରିବା ପରେ କେରଳର କେତେକ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଥିବା ଆଶଙ୍କା କରାଯାଉଛି । ସବୁଠୁ ବଡକଥା ହେଉଛି କେଳର ମୁଖ୍ୟମନ୍ତ୍ରୀ ପନିରାୟୀ ବିଜୟନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ସ୍ୱୀକାର କରାଯାଇଛି ।