କନକ ବ୍ୟୁରୋ: ବୟସର ଅପରାହ୍ନରେ ସମସ୍ତେ ଟିକେ ସାହାଯ୍ୟ ଲୋଡିଥାନ୍ତି । ହେଲେ ଏହାର ଏକ ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । ଚମ ଧୁଡୁଧୁଡୁ ଶରୀର । ଚାଲିବାକୁ ବି ଦେହରେ ବଳ ନାହିଁ । ହେଲେ ୭୫ ବର୍ଷ ବୟସରେ ସମାଜସେବା କରିବାର ଝୁଙ୍କ୍ ତାଙ୍କର । ଦୁର୍ଗମ ଅଞ୍ଚଳର ଗରିବ ଲୋକଙ୍କର ସେବା କରିବାରେ ସେ ଆନନ୍ଦ ପାଆନ୍ତି । ଆଉ ମରିବା ପର୍ଯ୍ୟନ୍ତ ସମାଜ ସେବା କରିବାକୁ କୁହନ୍ତି ରାୟଗଡା ହାଲୁଆ ବିଦ୍ୟାଳୟ ସାହିର ୭୫ ବର୍ଷୀୟ ବୃଦ୍ଧା ରୁପୁଲି ଜାକକା । ପରିବାର କହିଲେ ଗୋଟେ ଝିଅ, ନାତି ଓ ନାତୁଣୀକୁ ମିଶାଇ ୪ ଜଣ । ଅନ୍ୟର ଜମିରେ କାମ କଲେ ପରିବାର ଚଳେ । ସରକାରୀ ସହାୟତା କହିଲେ ମାସକୁ ଚାଉଳ ଗଣ୍ଡାଏ ଓ ଭତା । ଭଲ ଘର ଖଣ୍ଡିଏ ନଥିବା ବେଳେ ବିଭିନ୍ନ ସମସ୍ୟା ଭିତରେ ରହୁଛନ୍ତି । ହେଲେ ପଞ୍ଚାୟତର ପ୍ରାୟ ୧୮ ଖଣ୍ଡ ଗ୍ରାମର ଲୋକଙ୍କ ଘର ସଜାଡିବାରେ ଲାଗିପଡିଛନ୍ତି ରୁପୁଲି ।

Advertisment

ବିନା ପାରିଶ୍ରମିକରେ ୩୦ ବର୍ଷ ହେଲା ନିଜ ଖର୍ଚରେ ଚଲାଇ ଆସୁଛନ୍ତି ଏହି ସମାଜସେବା । ଚାଲି ଚାଲି ଗାଁକୁ ଗାଁ ବୁଲି ସରକାରୀ ଯୋଜନାର ସୁଫଳ ଦୁର୍ଗମ ଅଞ୍ଚଳର ଗରିବ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାରେ ଥକିପଡି ନାହାନ୍ତି । ଏପର୍ଯ୍ୟନ୍ତ ୫ହଜାରରୁ ଅଧିକ ଲୋକଙ୍କୁ ସେବା ଯୋଗାଇ ସାରିଲେଣି । ଘର, ବାର୍ଦ୍ଧକ୍ୟ ଭତାରୁ ନେଇ ମୃତ୍ୟୁ ପ୍ରମାଣପତ୍ର, ଜନ୍ମ ପ୍ରମାଣପତ୍ର ଯୋଗାଡ କରାଇବାରେ ସାହାଯ୍ୟ କରିଥାନ୍ତି । ରାତି ପାହିଲେ ରୁପୁଲିଙ୍କ ଦୁଆରକୁ ୧୮ ଖଣ୍ଡ ଗ୍ରାମର ଲୋକଙ୍କ ସୁଅ ଛୁଟିଥାଏ ।