ନଦୀ ପାର ହୋଇ ଗଲା କୋକେଇ । କୋରାପୁଟ କେଲାର ଗାଁରେ ନଦୀ ଭିତରେ ଆଣ୍ଠୁଏ ପାଣିରେ ପଶି ଶ୍ମଶାନକୁ ନେଲେ ଗାଁ ଲୋକେ ।

75

କନକ ବ୍ୟୁରୋ: ନଦୀ ଉପରେ ପୋଲ ନାହିଁ । ଆଣ୍ଠୁଏ ପାଣିରେ କୋକେଇକୁ କାନ୍ଧରେ ନେଇ ଶ୍ମଶାନକୁ ଗଲେ ଲୋକେ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁସୁମଗଡ଼ା ପଞ୍ଚାୟତ କେଲାର ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

ଗାଁର ବୁଦ୍ଧ ବାଂଛାନିଧି ଖୋସାଲଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତଦେହ ଶ୍ମଶାନକୁ ନେବା ପାଇଁ ନଈ ପାର ହେବାକୁ ପଡ଼ିଥିଲା । ପୋଲ ନଥିବାରୁ ଆଣ୍ଠୁଏ ପାଣିରେ ପଶି ଅନେକ ଲୋକ ମୃତଦେହ ନେଇ ଯାଇଥିଲେ । ଦୀର୍ଘ ଦିନ ହେବ ଏଠାରେ ଏପରି ସମସ୍ୟା ଲାଗି ରହିଛି । ଗାଁରେ ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ୪୦୦ ପରିବାର ରହୁଛନ୍ତି । ନଈ ଉପରେ ପୋଲଟିଏ ନିର୍ମାଣ କରିବା ପାଇଁ ସେମାନେ ପଂଚାୟତ, ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଇଛନ୍ତି । ଏନେଇ ବାରମ୍ବାର ଜନପ୍ରତିନିଧିଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୋଲ ନିର୍ମାଣ ପାଇଁ ସରପଞ୍ଚ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏଯାଏଁ ଏହାର ସମାଧାନ ହୋଇପାରିନାହିଁ ।