କନକ ବ୍ୟୁରୋ: ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ବଢ଼ୁଛି ହିଂସା। ଘରଦ୍ୱାର ପୋଡ଼ିଜାଳି ଦେବା ସହ ଗୀତାକୁ ଜଳାଇ ଦେଇଛନ୍ତି ଆନ୍ଦୋଳନକାରୀ । ବାଂଲାଦେଶରେ ସଂରକ୍ଷଣକୁ ନେଇ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ଧରୁନାହଁ। ଦିନକୁ ଦିନ ହିଂସା ବଢ଼ିବାରେ ଲାଗିଛି । ଆଉ ଏହାର ଶିକାର ହୋଇଛନ୍ତି ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ।

Advertisment

ବାଂଲାଦେଶରେ ଥମୁନି ହିନ୍ଦୁଙ୍କ ଉପରେ ଆକ୍ରମଣ । ଏବେ ସାମ୍ନାକୁ ଆସିଛି ଆଉ ଏକ ବଡ ଆକ୍ରମଣ ଘଟଣା । ନିକଟରେ ମେହେରପୁରରେ ଥିବା ଇସ୍କନ ମନ୍ଦିର ଉପରେ ଆକ୍ରମଣ କରାଯାଇଛି । ଗୀତାକୁ ଜାଳିଦେଇଛନ୍ତି, ମନ୍ଦିର ହୁଣ୍ଡିକୁ ଲୁଟିଛନ୍ତି ପ୍ରଦର୍ଶନକାରୀ । କେବଳ ସେତିକି ଭଗବାନଙ୍କ ମୂର୍ତିକୁ ଭାଙ୍ଗିବା ସହ ନିଆଁ ଲଗାଇଛନ୍ତି । ମନ୍ଦିର ପୂଜକଙ୍କ ବୟାନ ଅନୁସାରେ ପେଟ୍ରୋଲ ବୋମା ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ନେଇ ମନ୍ଦିରରେ ପ୍ରଦର୍ଶନକାରୀ ପଶିଥିଲେ । ହିନ୍ଦୁ ଶ୍ରଦ୍ଧାଳୁ ଓ ପୂଜକଙ୍କୁ ମାରପିଟ କରିଥିଲେ । ମନ୍ଦିରରେ ଥିବା ଧାର୍ମିକ ପୁସ୍ତକ, ଗ୍ରନ୍ଥ, ଭଗବାନଙ୍କ ମୂର୍ତ୍ତି ଭାଙ୍ଗିବା ସହ ପୋଡ଼ାଜଳା କରିଥିଲେ । ୧୦ଲକ୍ଷ ଟଙ୍କା ଲୁଟ କରାଯାଇଥିବା ମଧ୍ୟ ସୂଚନା ରହିଛି । ସୂଚନା ଅନୁସାରେ ୭ଦିନରେ ୫୨ ଜିଲ୍ଲାରେ ୨୦୬ ଆକ୍ରମଣ ଘଟଣା ଘଟିଛି ।

ବାଂଲାଦେଶର ପଂଚଗଡ ଜିଲ୍ଲାରେ ଥିବା ହିନ୍ଦୁଙ୍କ ଘରେ ନିଆଁ ଲଗାଇଦେଇଛନ୍ତି ଆକ୍ରମଣକାରୀ। ଇସଲାମୀୟ ମୌଳବାଦୀମାନେ ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନଙ୍କ ହତ୍ୟା କରିବା ସହ ସଂଖ୍ୟାଲଘୁଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଆଦି ପୋଡ଼ି ଦିଆଯାଉଛି। ଏସବୁ ମଧ୍ୟରେ ସୀମା ଦେଇ ବାଂଲାଦେଶୀ ମାନେ ଭାରତକୁ ପ୍ରବେଶ କରିବା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭାରତ ବାଂଲାଦେଶ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବିଏସଏଫ ଯବାନ ମାନେ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ବାଂଲା ଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ରାଷ୍ଟ୍ରବ୍ୟାପି ନିନ୍ଦା କରାଯାଉଛି । ଆମେରିକା ଓ ଅନ୍ୟ କିଛି ରାଷ୍ଟ୍ରରେ ବିରୋଧ ପ୍ରଦର୍ଶନ କରିବା ସହ ସୁରକ୍ଷା ଦାବି ବଢ଼ୁଛି ।

ତେବେ ହିନ୍ଦୁଙ୍କ ଉପରେ ଆକ୍ରମଣ ଥମୁନଥିବାବେଳେ ଭାରତ ଏନେଇ ଚିନ୍ତା ପ୍ରକାଶ କରିଛି । ଏଥିସହ ବିରୋଧିଦଳମାନେ ବି ବାଂଲାଦେଶର ସରକାରଙ୍କୁ ହିନ୍ଦୁଙ୍କ ସୁରକ୍ଷା ପାଇଁ ଯଥାସମ୍ଭବ ଓ ଶିଘ୍ର ଉଚିତ ପଦକ୍ଷେପଗ୍ରହଣ ପାଇଁ ଅପିଲ କରୁଛନ୍ତି । ଢାକା ସମେତ ବିଭିନ୍ନ ସ୍ଥାନରେ ଦୀର୍ଘବର୍ଷ ଧରି ଥିବା ସ୍ବାଧୀନତା ସଂଗ୍ରାମୀଙ୍କ ମୂର୍ତ୍ତିଗୁଡିକୁ ଭଙ୍ଗାଯିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ସେପଟେ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଅନ୍ତରୀଣ ସରକାର ସୋମାବାର ବୈଠକ କରିବା ସହ ସୁରକ୍ଷା ପ୍ରତିଶ୍ରୁତି ଦେଇଛନ୍ତି ।