କନକ ବ୍ୟୁରୋ : କମନ ୱେଲ୍ଥ ଗେମ ୨୦୨୨ ରେ ଭାରତ ଖାତାରେ ପ୍ରଥମ ପଦକ ଦେଇଛନ୍ତି ଭାରୋତ୍ତଳନକାରୀ ସଂକେତ ମହାଦେବ ସରଗର । ସଂକେତ ପୁରୁଷ ଭାରୋତ୍ତଳନର ୫୫ କିଲୋ ବର୍ଗରେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୨୪୮ କିଲୋ ଓଜନ ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ପ୍ରଥମ ରାଉଣ୍ଡରେ ୧୧୩ କିଲୋ, ଦ୍ୱିତୀୟ ରାଉଣ୍ଡରେ ୧୩୫ କିଲୋ ଓ ଫାଇନାଲ ରାଉଣ୍ଡରେ ୨୪୮ କିଲୋ ଭାରୋଉତ୍ତଳନ କରିପାରିଥିଲେ ।

Advertisment

ସେପଟେ ଯଦି ତାଙ୍କର ଏଭଳି ସଫଳତା ପଛରେ ଥିବା ସଂଘର୍ଷ କଥା କହିବା ତେବେ ମହାରାଷ୍ଟ୍ରର ସାଂଗଲୀ ରେ ରହୁଥିବା ସଂକେତଙ୍କର ପିଲାଦିନରୁ ଭାରୋତ୍ତଳନ ପ୍ରତି ଆଗ୍ରହ ରହିଥିଲା । ସେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୦ ଓ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ୨୦୨୦ ରେ ବି ଭାଗ ନେଇ ସଫଳତା ପାଇଥିଲେ ।

ସଂକେତଙ୍କ ବାପା ସାଂଗଲୀରେ ଏକ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି । ସେହି ରୋଜଗାରରେସେ ସଂକେତଙ୍କ ପାଇଁ ପ୍ରାକ୍ଟିସ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖର୍ଚ୍ଚ ବହନ କରିଥାନ୍ତି  । ସଂକେତ ଏକ ସାକ୍ଷାତକାରରେ କହିଥିଲେ କି ସେ ଯଦି ରାଜ୍ୟଗୋଷ୍ଠୀ କ୍ରିଡାରେ ସ୍ୱର୍ଣ୍ଣ ପଦକ ହାସଲ କରନ୍ତି ତେବେ ସେ ତାଙ୍କ ବାପାଙ୍କୁ ବିଶ୍ରାମ ଦେବାକୁ ଚେଷ୍ଟା କରିବେ । ଏବେ ସଂକେତଙ୍କ ଟାର୍ଗେଟରେ ରହିଛି ପ୍ୟାରିସ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବା ।

କହିରଖୁ କି ସଂକେତ ପୂର୍ବବର୍ଷ ପଟିଆଲାରେ ଆୟୋଜିତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହାସହ ସେ ତାସକେଣ୍ଟରେ ୨୦୨୧ ରେ ଆୟୋଜିତ ରାଷ୍ଟ୍ରମଣ୍ଡଳ ଭାରୋତ୍ତଳନରେ ପୁରୁଷ ବର୍ଗରେ ୫୫ କିଲୋ ବର୍ଗରେ ସ୍ୱର୍ଣ୍ଣପଦକ ଜିତିବାରେ ସଫଳ ହୋଇଥିଲେ ।