ରତ୍ନଭଣ୍ଡାର ପାଇଁ ତଦାରଖ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ ଅଳଙ୍କାର ଓ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତ କରିବ କମିଟି ।

109

କନକ ବ୍ୟୁରୋ : ଓଡିଶା ହାଇକୋର୍ଟଙ୍କ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କମିଟି ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଏବଂ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିବେ। ଏହି କମିଟିରେ ଅଧ୍ୟକ୍ଷଙ୍କ ସହିତ ୧୨ ଜଣ ସଦସ୍ୟ ଅଛନ୍ତି।

ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରର ମୂଲ୍ୟବାନ ବସ୍ତୁ ଓ ଅଳଙ୍କାର ତାଲିକା ପ୍ରସ୍ତୁତି ପାଇଁ ତଦାରଖ ସମ୍ପର୍କିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକ ଆସନ୍ତା ୯ ତାରିଖ ଦିନ ପୁରୀରେ ଅନୁଷ୍ଠିତ ହେବ । କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଡକ୍ଟର ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ।

ରତ୍ନଭଣ୍ଡାରର ବର୍ତ୍ତମାନର ସ୍ଥିତି କଣ ଓ ସେଥିରେ କଣ ପରିବର୍ତ୍ତନ ଅଣାଯାଇପାରିବ ସେନେଇ ବୈଠକରେ ଆଲୋଚନା ହେବ।୯ ତାରିଖ ସକାଳୁ ଜଷ୍ଟିସ ଡକ୍ଟର ପଶାୟତ ଶ୍ରୀମନ୍ଦିରରେ ପହଞ୍ଚି ଠାକୁରଙ୍କର ଦର୍ଶନ କରିବା ପରେ ଅପରାହ୍ନରେ ବୈଠକ କରିବେ ବୋଲି ଜଣାପଡିଛି। ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ପୂର୍ବରୁ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ମାମଲା ପହଞ୍ଚିଥିଲା। ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ ବିରୋଧୀ । କିନ୍ତୁ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ।