ନୂଆବର୍ଷରେ ମଦୁଆ ଚାଳକଙ୍କୁ ରିହାତି ଦେଲା କମିଶନରେଟ ପୋଲିସ । ୧୦ ହଜାର ବଦଳରେ ଆଦାୟ କଲା ହଜାର ଟଙ୍କା ଫାଇନ୍

465

ଜିରୋ ନାଇଟ୍ ସେଲିବ୍ରେସନ ପରେ ମଦ ପିଇ ଗାଡ଼ି ଚଳାଉ ଥିବା ସମୟରେ କମିସନରେଟ୍ ପୁଲିସ ହାତରେ ଧରାପଡ଼ିଛନ୍ତି ୩୪ ଜଣ ଚାଳକ । ସୂଚନା ଅନୁସାରେ, ଆଜି ପୁଲିସ ପକ୍ଷରୁ କଟକ ଓ ଭୁବନେଶ୍ୱରରେ ରୋଡ ବ୍ଲକିଂ କରି ତଦାରଖ କରାଯାଉଥିବା ବେଳେ ୩୪ ଜଣ ଚାଳକ ମଦ ପିଇଥିବା ଜଣାପଡ଼ିଥିଲା। ଭୁବନେଶ୍ୱରରୁ ୨୨ଜଣ ମଦ ପିଇ ଗାଡ଼ି ଚଳାଇ ଧରା ପଡ଼ିଥିବା ବେଳେ କଟକରେ ଧରା ପଡ଼ିଥିଲେ ୧୨ ଜଣ ଚାଳକ।

ସୂଚନା ଅନୁଯାୟୀ, ଏହି ୩୩ଜଣ ଚାଳକଙ୍କଠାରୁ ପୁଲିସ ୧,୦୦୦ଟଙ୍କା ଲେଖାଏଁ ଜରିମାନା ଆଦାୟ କରି ଛାଡ଼ି ଦେଇଛି। ତେବେ ନୂଆ ଟ୍ରାଫିକ ନିୟମ ଅନୁସାରେ, ମଦ ପିଇ ଗାଡ଼ି ଚଳାଇଲେ ୧୦,୦୦୦ ଟଙ୍କା ଜରିମାନା ହେବା କଥା। ମାତ୍ର କମିସନରେଟ୍ ପୁଲିସ ଜରିମାନା ପରିମାଣର ୧୦ଭାଗରୁ ଭାଗେ ଜରିମାନା ଆଦାୟ କରିବା ଅନେକ ପ୍ରଶ୍ନବାଚୀ ଛିଡା କରିଛି । ମଦ୍ୟପ ଗାଡ଼ି ଚାଳକଙ୍କୁ ଜରିମାନାରେ କାହିଁକି ପୁଲିସ ରିହାତି ଦେଲା ତାହା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏ ‌ନେଇ କମିସନରେଟ୍ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

ଅନ୍ୟ ପକ୍ଷରେ ଗତକାଲି ମଧ୍ୟରାତ୍ରରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ରାଜଧାନୀର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ସେ ପୁଲିସକର୍ମୀଙ୍କ ସହିତ ବିଳମ୍ବିତ ରାତିରେ ଏକାଠି ଚା’ ପିଉଥିବାର ଏକ ଫଟୋ ସେୟାର କରିଥିଲେ । ରାତି ୧୨ଟା ୨୦ରେ ନିଜର ଟୁଇଟର ହ୍ୟାଣ୍ଡେଲରେ ସେ ଏହି ଫଟୋ ସେୟାର କରିଥିଲେ।