ଆକାଶଙ୍କ ଠକେଇ ନେଇ ଖୋଳତାଡ଼: ଟାଟା ମୋଟର୍ସର ଏମଡି ଥିଲେ କି ନାହିଁ ସତ ଜାଣିବାକୁ ଟାଟା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲା କମିସନରେଟ ପୁଲିସ

ରିମାଣ୍ଡରେ ଦ୍ୱିତୀୟ ଦିନରେ ପାଠକ ବାପା, ପୁଅଙ୍କୁ ତନାଘନା ଜେରା

108

କନକ ବ୍ୟୁରୋ: ଅ।।ଇଏଫଏସ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ନାଁରେ ଠକେଇ ମାମଲାରେ ତଦନ୍ତ ଜୋରଦାର ହୋଇଛି । ଏ ନେଇ ଟାଟା କର୍ତୃପକ୍ଷଙ୍କୁ ଚିଠି ଲେଖିଛି କମିଶନରେଟ ପୁଲିସ । ଆକାଶ ପାଠକ ଟାଟାର ଏମଡି କି ନାହିଁ ସେ ନେଇ ସତ ଜାଣିବାକୁ ଚିଠି ଲେଖିଛି ପୁଲିସ । ଟାଟା ପକ୍ଷରୁ ଅଭିଯୋଗ ଆସିଲେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିଜକୁ ଟାଟାର ଏମଡି କହି ସ୍କାଇ କିଙ୍ଗ ନାମକ ଏକ ଟ୍ରାଭେଲ ସଂସ୍ଥାକୁ ଆକାଶ ଠକିଥିବା ଅଭିଯୋଗ ହୋଇଥିଲା । ଏନେଇ ସ୍କାଇ କିଙ୍ଗର ମାନେଜିଂ ପାର୍ଟନର ପ୍ରଭାସ କୁମାର ଚୌଧୁରୀ ଅଭିଯୋଗ କରିଥିଲେ ।

ଟ୍ରେନ୍, ବିମାନ ଓ ଚାର୍ଟର ବିମାନ ଟିକେଟ୍ ବାବଦରେ ୬୫ ଲକ୍ଷ ୧୬ ହଜାର ଟଙ୍କା ଆକାଶ ପାଠକ ଠକିଥିବା ନେଇ ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ । ସ୍କାଇ କିଙ୍ଗ ପକ୍ଷରୁ କୁହାଯାଇଥିଲା, ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି ନାଁରେ ଜାଲ କାଗଜପତ୍ର ଦେଇ ଚାର୍ଟର ଫ୍ଲାଇଟ୍ ଓ ହୋଟେଲ୍ ବୁକ୍ କରିଥିଲେ । ଜୁନ ମାସ ପରଠାରୁ ୨ କୋଟି ୭୮ ଲକ୍ଷ ୩୯ ହଜାର ଟଙ୍କାର ବିଲ୍ ହୋଇଥିଲା । ଆକାଶ ୨ କୋଟି ୧୩ ଲକ୍ଷ ୨୨ ହଜାର ଟଙ୍କା ପଇଠ କରିଥିଲେ । ବାକି ଥିବା ୬୫ ଲକ୍ଷ ୧୬ ହଜାର ଟଙ୍କା ନଦେଇ ଠକିଛନ୍ତି ବୋଲି ଅଭିଯୋଗ କରିଛି ସ୍କାଇ କିଙ୍ଗ କଂପାନୀ ।