ମିଛ କହି ଚାରି ଚାରିଟି ବିବାହ କରିବା ପଡିଲା ମହଙ୍ଗା : ଭୁବନେଶ୍ୱରର ବିଲ୍ଡରକୁ ବାନ୍ଧିଲା କମିଶନରେଟ ପୋଲିସ; ନିଜକୁ ଅବିବାହିତ କହି ବାରମ୍ବାର ଯୁବତୀମାନଙ୍କୁ ଫସାଉଥିବା ଅଭିଯୋଗ

1,054

କନକ ବ୍ୟୁରୋ : ସାମ୍ନାକୁ ଆସିଲା ବିଲ୍ଡରଙ୍କ ରଙ୍ଗିଲା ମିଜାଜ । ମିଛ କହି ଏକାଧିକ ବିବାହ କରିଛନ୍ତି ବିଲ୍ଡର । ଆଦିତ୍ୟ ପାର୍କ କନ୍‌ଷ୍ଟ୍ରକ୍‌ସନ ମାଲିକଙ୍କ ପୁଅ ତଥା ବିଲ୍‌ଡର ପ୍ରିୟବ୍ରତ ମିଶ୍ର ବିରୋଧରେ ଆସିଛି ସଂଗିନ ଅଭିଯୋଗ। ଯୌତୁକ ଲୋଭରେ ଦୁଇଦୁଇଟି ବିବାହ କରିବା ଏବଂ ଉଭୟଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଆଜି ତାଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ଅଭିଯୋଗ ଅନୁସାରେ ସେ ପ୍ରାୟ ୫୦ ଲକ୍ଷ ଯୌତୁକ ଟଙ୍କା ହଡ଼ପ କରିବା ସହିତ କୋଟିଏ ଟଙ୍କାର ସୁନାଗହଣା ଓ ଦାମୀ ଗାଡ଼ି ଯୌତୁକ ରୂପରେ ନେଇ ଫେରାଇ ନାହାନ୍ତି । ପ୍ରିୟବ୍ରତଙ୍କ ବାପା ସୁବ୍ରତ ମିଶ୍ର ଓ ମା’ ସରୋଜିନୀ ମିଶ୍ର ମଧ୍ୟ ବୋହୂଙ୍କୁ ଯୌତୁକ ନିର୍ଯା‌ତନା ଦେଉଥିଲେ ଏବଂ ବୋହୂକୁ ପୋଡ଼ି ମାରିବାକୁ ଧମକ ଦେଉଥିଲେ ବୋଲି ଅଭିଯୋଗ ଥିବାରୁ ସେମାନଙ୍କ ନାମରେ ମାମଲା ରୁଜୁ ହୋଇଛି ।

ନିଜକୁ ଜଣେ ବିତ୍ତଶାଳୀ ବିଲ୍ଡର ପରିଚୟ ଦେଇ ପାଠୁଆ ଝିଅଙ୍କୁ ଟାର୍ଗେଟ କରୁଥିଲେ ପ୍ରିୟବ୍ରତ। ଆଉ ବିଧିବଦ୍ଧ ଭାବେ ବିବାହ ପ୍ରସ୍ତାବ ପକାଇ ଉଭୟ ପରିବାରର ସହମତିରେ ବିବାହ କରୁଥିଲେ। ମୋଟା ଅଙ୍କର ଯୌତୁକ ଆଣି ବିବାହ କରିବାର କିଛିଦିନ ପରେ ନିର୍ଯାତନା ଦେଇ ପତ୍ନୀକୁ ବିଦା କରି ଦେଉଥିଲେ ଏବଂ ଯୌତୁକ ଟଙ୍କା ଓ ସାମଗ୍ରୀ ହଡ଼ପ କରି ନେଉଥିଲେ। ଏହାକୁ ସେ ଯୋଜନାବଦ୍ଧ ଭାବରେ କରୁଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଏ ନେଇ ପ୍ରଥମ ପତ୍ନୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିବା ବେଳେ ଦ୍ବିତୀୟ ପତ୍ନୀ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ତେଣୁ କ୍ୟାପିଟାଲ ଥାନା ପୁଲିସ ତାକୁ ଗିରଫ କରିଥିବା ବେଳ‌େ ମହିଳା ଥାନା ପୁଲିସ ମାମଲାର ରିମାଣ୍ଡ ଦେଇଛି।

ପ୍ରଥମ ପତ୍ନୀଙ୍କ ଅଭିଯୋଗ ମୁତାବକ, ସେ ଭୁବନେଶ୍ବର ଇଞ୍ଜିନିୟରି କଲେଜ୍‌ରେ ଇଞ୍ଜିନିୟରିଂ ପଢ଼ୁଥିବା ବେଳେ ପ୍ରିୟବ୍ରତ ସହ ତାଙ୍କର ବିବାହ ପ୍ରସ୍ତାବ ଆସିଥିଲା। ଚନ୍ଦ୍ରଶେଖରପୁର, ଗୋଠପାଟଣା, ସୂର୍ଯ୍ୟନଗର, ରବିଟକିଜ୍‌ ରୋଡ୍‌ରେ ତାଙ୍କର ଆପାର୍ଟମେଣ୍ଟ ରହିଥିଲା। ଏଥିରୁ ମାସକୁ ଭଡ଼ା ବାବଦକୁ ୫୦ ଲକ୍ଷ ଟଙ୍କା ଆସୁଥିଲା। ତା’ ଛଡ଼ା ପ୍ରିୟବ୍ରତ ଆପାର୍ଟମେଣ୍ଟ ତିଆରି କରି ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ଏସବୁ ଦେଖିବା ପରେ ଘର ଲୋକଙ୍କ ସହମତିରେ ୨୦୧୮ ଜୁଲାଇ ୧୫ ତାରିଖରେ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ସେମାନଙ୍କର ବିବାହ ହୋଇଥିଲା। ବିବାହ ସମୟରେ ପ୍ରିୟବ୍ରତ ମର୍ସିଡିଜ କାର୍ ସହ ନଗଦ ୨୧ ଲକ୍ଷ ଟଙ୍କା ଯୌତୁକ ଆକାରରେ ନେଇଥିଲେ। କିନ୍ତୁ ବିବାହର ମାତ୍ର ୭ ଦିନ ପରଠୁ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଥିଲା। ଏପରିକି ତାଙ୍କର ଗର୍ଭପାତ କରିବା ପାଇଁ ପରିବାର ଲୋକ ଚାପ ପକାଇବା ସହ ଆହୁରି ୨୦ ଲକ୍ଷ ଟଙ୍କା ଯୌତୁକ ମାଗି ନିର୍ଯାତନା ଦେଉଥିଲେ। ପ୍ରତିବାଦ କରିବାରୁ ହତ୍ୟା ଧମକ ଦେଇଥିଲେ। ଏହା ସହ ପ୍ରିୟବ୍ରତ ଅନ୍ୟ ଯୁବତୀମାନଙ୍କ ସହ ମଧ୍ୟ ସଂପର୍କ ରଖିଥିଲେ। ତେବେ ନିର୍ଯ‌ାତନା ଅସହ୍ୟ ହେବାରୁ ସେ ତାଙ୍କ ଘରୁ ବାହାରି ଆସିଥିଲେ।

ପ୍ରଥମ ପତ୍ନୀ ବାପ ଘରେ ଥିବା ବେଳେ ଗତ ଫେବ୍ରୁଆରି ମାସରେ ଅନ୍ୟ ଜଣେ ଉଚ୍ଚଶିକ୍ଷିତା ଯୁବତୀଙ୍କୁ ଦ୍ବିତୀୟ ବିବାହ କରିଥିଲେ ପ୍ରିୟବ୍ରତ। ବିବାହ ସମୟରେ ତାଙ୍କ ଘରୁ ମଧ୍ୟ ୨୪ ଲକ୍ଷ ଟଙ୍କା ଯୌତୁକ ନେଇଥିଲେ। ଏହା ଜାଣିବା ପରେ ପ୍ରଥମ ପତ୍ନୀ ଶାଶୂ ଘରକୁ ଯାଇଥିଲେ। ହେଲେ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ କରିବାରୁ ସେ ବାପ ଘରକୁ ଫେରି ଆସିଥିଲେ। ପ୍ରଥମ ପତ୍ନୀଙ୍କ ବିଷୟରେ ଜାଣି ଦ୍ୱିତୀୟ ପତ୍ନୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହାକୁ ନେଇ ତୁମୁଳକାଣ୍ଡ ହେବା ସହ ପ୍ରିୟବ୍ରତ ତାଙ୍କୁ ଆକ୍ରମଣ କରିଥିଲେ। ଅଭିଯୋଗ କଲେ ହତ୍ୟା କରିବା ପାଇଁ ମଧ୍ୟ ଧମକ ଦେଇଥିଲେ। ଏଣୁ ସେ ଥାନାର ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ଏଣେ ଦ୍ବିତୀୟ ବିବାହ କଥା ଜାଣିବା ପରେ ପ୍ରଥମ ପତ୍ନୀ କ୍ୟାପିଟାଲ ଥାନାର ଦ୍ବାରସ୍ଥ ହୋଇଥିଲେ। ଗତ ୧୫ ତାରିଖରେ ମାମଲା ରୁଜୁ କରି ପୁଲିସ ଫେରାର ଥିବା ପ୍ରିୟବ୍ରତଙ୍କୁ ଖୋଜୁଥିଲା। ଶେଷରେ ଆଜି ପ୍ରିୟବ୍ରତକୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ୟାପିଟାଲ ଥାନା ପୁଲିସ।