ଆଖି ଆଗରେ ଅପରାଧ ଦେଖିଲେ ହ୍ୱାଟ୍ସଆପ କରନ୍ତୁ, ପୋଲିସକୁ ଜଣାନ୍ତୁ । ରାଜଧାନୀରେ ଅପରାଧ ରୋକିବାକୁ ପୋଲିସ ଦେଲା ହ୍ୱାଟ୍ସଆପ ନମ୍ବର…

312

କନକ ବ୍ୟୁରୋ: ହତ୍ୟା, ଲୁଟ, ଚୋରି, ଡକାୟତି, ଦୁଷ୍କର୍ମ, ଛିନତାଇ, ରାହାଜାନି ଓ ଦୁର୍ବ୍ୟବହାର… ରାଜଧାନୀରେ ବଢି ଚାଲିଛି ଏମିତି କିଛି ଅପରାଧ । ରାତି ପାହିଲେ ଅପରାଧ, ସଞ୍ଜ ନଇଁଲେ ଅପରାଧ । ଏବେ ଅପରାଧୀଙ୍କ ଆଡ୍ଡା ପାଲଟିଛି ରାଜଧାନୀ । କେଉଁଠି ବନ୍ଧୁକ ଗର୍ଜୁଛି ତ କେଉଁଠି ଖଣ୍ଡା ବୁଲୁଛି । ପୁଣି କେଉଁଠି ନିଶା ଦେଇ ଲୁଟୁଛନ୍ତି ଲୁଟେରା । ଦିନ ଦ୍ୱିପହରେ ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହତ୍ୟା ଘଟଣା ଲୋକଙ୍କ ମନରେ ଆତଙ୍କ ଖେଳାଇ ଦେଇଥିବା ବେଳେ କଟାମୁଣ୍ଡ କାହାଣୀ ଆଉ ନିଶାଦିଆ ଗ୍ୟାଙ୍ଗ ପାଇଁ ଏବେ ଖେଳି ଯାଇଛି କୋକୁଆ ଭୟ । ସଞ୍ଜ ନଇଁଲେ ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ଅପରାଧୀଙ୍କ ଅଡୁଆ ସୂତାରେ ଏବେ ଅସୁରକ୍ଷିତ ହୋଇପଡିଛି ରାଜଧାନୀ ଭୁବନେଶ୍ୱର ।

ଫୋନରେ ଗପିଲେ ଫୋନ ଝାମ୍ପି ନେଉଛନ୍ତି । ପକେଟ ଉଚ୍ଚା ଦିଶିଲେ ପକେଟ କାଟି ନେଉଛନ୍ତି । ପାହାନ୍ତିଆରେ ଫୁଲ ତୋଳିବାକୁ ଆସୁଥିବା ମହିଳାଙ୍କ ବେକରୁ ବି ଚେନ୍ ଛିଣ୍ଡାଇ ଚମ୍ପଟ ମାରୁଛନ୍ତି । ଏମିତି କେଉଁ ଦିନ ନାହିଁ ଯେଉଁଦିନ ରାଜଧାନୀରେ ଲୁଟ ହେଉନି, ଅପରାଧ ଘଟୁନି । ସବୁଠି ଅପରାଧ, ଆତଙ୍କ, ଅସୁରକ୍ଷିତ ବାତାବରଣ । ଆଉ ଏହି ଅପରାଧକୁ ରୋକିବାକୁ, ଅପରାଧୀଙ୍କୁ କାବୁ କରିବାକୁ ଅଣ୍ଟା ଭିଡିଛି କମିଶନରେଟ ପୋଲିସ । ଜାରି କରିଛି ହ୍ୱାଟ୍ସଆପ ନମ୍ବର । ଚୋର, ଡକାୟତଙ୍କୁ ପାନେ ଚଖାଇବାକୁ ସାଧାରଣ ଲୋକଙ୍କୁ ପୋଲିସ ଦେଇଛି ହ୍ୱାଟ୍ସଆପ ନମ୍ବର । ଆଖି ଆଗରେ ଅପରାଧ ଘଟିଲେ କିମ୍ବା ଲୁଟ ତରାଜର କୌଣସି ଖବର ମିଳିଳେ ଏହି ନମ୍ବରରେ ପୋଲିସକୁ ଖବର ଦେଇପାରିବେ ଲୋକେ । ଖାଲି ସେତିକି ନୁହେଁ କୌଣସି ଅପରାଧୀ ସମ୍ପର୍କରେ ଯଦି କିଛି ସୂଚନା ମିଳୁଛି ତାହାଲେ ଏହି ନମ୍ବରରେ ଜଣାଇପାରିବେ । ପୋଲିସ ପାଖରେ କରିଥିବା ଅଭିଯୋଗ କେତେ ବାଟ ଆଗେଇଲା, ତା ସମ୍ପର୍କରେ ବି ଜାଣିହେବ ଏବି ହ୍ୱାଟ୍ସଆପ ନମ୍ବରରୁ ।

ସାବଧାନ ରୋଡ ରୋମିଓ । ହଇରାଣ କଲେ ହ୍ୱାଟ୍ସଆପ ଦେବ ପାନେ । ଆଉ ରାସ୍ତାରେ ଯୁବତୀଙ୍କୁ ହଇରାଣ କରିପାରିବେନି ରୋଡ ରୋମିଓ । ନିଛାଟିଆ ଦେଖି ପିଛା କରିପାରିବେନି କି ଛକ ଛକରେ କମେଣ୍ଟ କରିପାରିବେନି କାରଣ ମହିଳା ଓ ଯୁବତୀଙ୍କୁ ହଇରାଣ କଲେ ସଙ୍ଗେ ସଙ୍ଗେ ହ୍ୱାଟସଆପରେ ପୋଲିସରେ କରିହେବ ଅଭିଯୋଗ, ଦେଇହେବ ସୂଚନା । ଆଉ ଅଭିଯୁକ୍ତ ବିଷୟରେ ଜାଣିବା ପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ । ତେଣୁ ରୋଡ ରୋମିଓ ସାବଧାନ । ସେତିକି ଥାଉ ରୋମିଓଗିରି ।

ସେପଟେ ରାଜଧାନୀରେ ଗତ କିଛି ଦିନ ହେବ ବଢିଚାଲିଥିବା ଅପରାଧ, ଲୁଟ ରୋକିବାକୁ କମିଶନରେଟ ପୋଲିସ ସ୍ପେଶାଲ ୨୬ ଟିମେ ଗଠନ କରିଥିବା ବେଳେ ଏବେ କେବଳ ଭୁବନେଶ୍ୱର ଲୋକଙ୍କ ସୁବିଧା ପାଇଁ ହ୍ୱାଟ୍ସଆପ ନମ୍ବର ଜାରି କରିଛି କମିଶନରେଟ ପୋଲିସ । ତେବେ ଆଉ ଥରେ ଲେଖି ରଖନ୍ତୁ ପୋଲିସର ଏହି ହ୍ୱାଟ୍ସଆପ ନମ୍ବର । ଯେଉଁଠି, ଯେତେବେଳେ ଯଦି ଆପଣ ହଇରାଣ ହୁଅନ୍ତି କିମ୍ବା ଅପରାଧର ଶିକାର ହୁଅନ୍ତି ସଙ୍ଗେସଙ୍ଗେ ଏହି ନମ୍ବରରେ ଜଣାଇବେ ଆଉ ପୋଲିସ କରିବ ଏହାର ସମାଧାନ ।