ଭୁବନେଶ୍ୱରର ବିଭିନ୍ନ ଡ୍ୟାନ୍ସ ବାରରେ ଚଢ଼ାଉ : ବେଆଇନ ଭାବେ ଚାଲିଥିବାବେଳେ ଅବକାରୀ ବିଭାଗର ରେଡ୍

ବିଡା ବିଡା ନକଲି ନୋଟ୍ ଜବତ, ୧୬ ଜଣ ଅଟକ

82

କନକ ବ୍ୟୁରୋ : ଭୁବନେଶ୍ୱରର ବିଭିନ୍ନ ଡ୍ୟାନ୍ସ ବାରରେ ଚଢାଉ । ବେଆଇନ ଭାବେ ଚାଲୁଥିବା ଡ୍ୟାନ୍ସ ବାର ଉପରେ ରେଡ୍ କରିଛି ଅବକାରୀ ବିଭାଗ । ବାରରେ ବେଆଇନ ଭାବେ ଯୁବତୀମାନେ ଡ୍ୟାନ୍ସ କରୁଥିବାବେଳେ ଚଢ଼ାଉ କରିଥିଲା ଫ୍ଲାଇଙ୍ଗ ସ୍କାର୍ଡ । ଚଢ଼ାଉ ସମୟରେ ଯୁବତୀଙ୍କ ସମେତ ୧୬ଜଣଙ୍କୁ ଧରିଛି ଚଢ଼ାଉ କରିଥିବା ଟିମ୍ । ଯୁବତୀମାନେ ଡ୍ୟାନ୍ସ କରୁଥିବାବେଳେ ସେମାନଙ୍କ ଉପରକୁ ଫିଙ୍ଗା ଯାଉଥିବା ପୁଳା ପୁଳା ନକଲି ନୋଟକୁ ଜବତ କରାଯାଇଛି ।

ମଙ୍ଗଳବାର ଦିନ ଏକାଧିକ ଅବକାରୀ ଟିମ୍ ପ୍ରଥମେ କଟକରୋଡରେ ଥିବା ୫ଟି ବାର୍‌ରେ ଚଢ଼ଉ କରିଥିଲେ। ଲିଭ୍ ଇଟ୍ ଅପ୍, ଏକାମ୍ର ଓ ନଶା ବାର୍‌ରେ ଚଢ଼ଉ ବେଳେ ମ୍ୟୁଜିକ୍‌ର ତାଳେତାଳେ ଡ୍ୟାନ୍ସ ଚାଲିଥିବା ସାମ୍ନାକୁ ଆସିବାରୁ ଏହି ୩ଟି ବାରକୁ ସିଲ୍ କରି ଦିଆଯାଇଥିଲା । ଏହା ପରେ ଅଶୋକା ଓ ସେଲଫିରେ ମଧ୍ୟ ଚଢ଼ଉ ସମୟରେ କୋଭିଡ୍ ଓ ଅବକାରୀ ଆଇନର ଉଲ୍ଲଂଘନ ହୋଇଥିବା ଜଣାପଡ଼ିଥିଲା । ତେଣୁ ଏ ନେଇ ଦୁଇ ବାର୍‌କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ସେହିପରି ୟୁନିଟ୍-୮ ଅଞ୍ଚଳର ଅଜିତ୍ ବାର୍ ଓ ପଟିଆ ଏମ୍ବାସି ବାରରେ ମଧ୍ୟ ଚଢ଼ଉ କରାଯାଇଥିଲା । ରାତି ସାଢ଼େ ୯ଟାରେ ବାର ବନ୍ଦ ହେବାର ନିୟମ ଥିଲା ବେଳେ ଅଧିକ ସମୟ ପର୍ଯ୍ୟନ୍ତ ଖୋଲା ରହୁଥିବା ଅଭିଯୋଗରେ ଚଢ଼ଉ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।

ରାଜଧାନୀର କୌଣସି ବାର୍‌କୁ ଏଯାଏ ଡ୍ୟାନ୍ସ କିମ୍ବା ମ୍ୟୁଜିକ୍ ପାଇଁ ଅନୁମତି ମିଳିନାହିଁ । କିନ୍ତୁ ଅଧିକାଂଶ ବାର୍ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଚାଲିଛନ୍ତି । ପୂର୍ବରୁ ଅନେକ ଥର ଚଢ଼ଉ ହୋଇଥିଲେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ବାରମ୍ବାର ଆଇନକୁ ଫାଙ୍କି ବେଆଇନ କାମ କରୁଛନ୍ତି। ମନୀଷ ମୃତ୍ୟୁ ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍‌ ଖୋଲା ରହିବା ସହ ବେଆଇନ କାର୍ଯ୍ୟ ଚାଲୁଥିବା ନେଇ ଗୁମର ଖୋଲି ଯାଇଥିଲା । ଆଗକୁ ଏହିଭଳି ଚଢ଼ଉ ଜାରି ରହିବ ବୋଲି ଜଣେ ଅଧିକାରୀ କହିଛନ୍ତି ।