୪ ବର୍ଷ ହେଲା ଜେଲର ଅନ୍ଧାର କୋଠରୀରେ ଡି-ବ୍ରଦର୍ସ  । ହେଲେ ଘରେ ଚାଲିଛି କ୍ରାଇମ ସିଣ୍ଡିକେଟ୍ । ବନ୍ଧୁକ ସହ ହଜାରେରୁ ଅଧିକ ଗୁଳି ଜବତ ।

125

କନକ ବ୍ୟୁରୋ : ବୋଧହୁଏ ଏତେ ପରିମାଣର ବନ୍ଧୁକ ଓ ଗୁଳି, ପୂର୍ବରୁ ରାଜ୍ୟର କୌଣସି ଗ୍ୟାଙ୍ଗଷ୍ଟରଙ୍କ ଘରୁ ଜବତ କରି ନଥିବ ପୁଲିସ । ଏପରିକି ମାଓ କ୍ୟାମ୍ପରୁ ଏତେ ଗୁଳି ଜବତ ହେବା ଘଟଣା ବି ବିରଳ । ଏହି ଭିଜୁଆଲକୁ ନଦେଖିଲେ ଆପଣ ବିଶ୍ୱାସ କରିପାରିବେନି ଯେ ଜଣେ ଗାଙ୍ଗଷ୍ଟରଙ୍କ ଘରେ ରହିଛି ଏତେ ପରିମାଣର ଅସ୍ତ୍ରଶସ୍ତ୍ର । ହଜାରେ ଅଧିକ ଗୁଳି, ଭଳି କି ଭଳି ଅତ୍ୟାଧୁନିକ ବନ୍ଧୁକ ଦେଖିଲେ, ଲାଗିବ ସତେ ଯେପରି ବ୍ୟବସ୍ଥା ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତି ଚାଲିଛି । ତେବେ ଏସବୁ ବାହାରିଛି ଗାଙ୍ଗଷ୍ଟର ଧଳବ୍ରଦର୍ସଙ୍କ ଘରୁ । ଯେଉଁ ଗାଙ୍ଗଷ୍ଟର ଭାଇ ୪ ବର୍ଷ ହେଲା ଜେଲର ଅନ୍ଧାରୀ କୋଠରୀରେ ଦିନ କାଟୁଛନ୍ତି ।

ଧଳସାମନ୍ତ ଜେଲରେ ରହିବା ପରେ ସେମାନଙ୍କ ନେଟ୍ୱର୍କ ଦୁର୍ବଳ ହୋଇପଡିଛି ବୋଲି ଯାହା ଅନୁମାନ କରାଯାଉଥିଲା, ତାହା ମିଛ ବୋଲି ପ୍ରମାଣିତ ହୋଇଛି । କଟକ ସିଡିଏ ସ୍ଥିତ ଗାଙ୍ଗଷ୍ଟରର ଘରେ ଚଢ଼ାଉ ପରେ ୧୭ଟି ବନ୍ଧୁକ ଓ ହଜାରେ ୯୫ ଗୁଳି ଜବତ କରିଛି କମିସନରେଟ୍ ପୋଲିସ । ଚୌଦ୍ୱାର ଜେଲର ଜଣେ ଚୋରା ବନ୍ଧୁକ କାରବାରର ଅଭିଯୁକ୍ତକୁ ପୋଲିସ ପଚରା ଉଚରା କରିବା ପରେ ଜଣାପଡିଥିଲା ଯେ ବିହାରରୁ ଧଳବ୍ରଦର୍ସଙ୍କ ସହଯୋଗୀଙ୍କ ପାଖକୁ ଯାଉଛି ଚୋରା ବନ୍ଧୁକ ଓ ଗୁଳି । ଏହି ତଥ୍ୟକୁ ଆଧାର କରି ଗୁରୁବାର ରାତି ୮ଟାରୁ ଶୁକ୍ରବାର ଦିନ ୧୨ ଟା ପର୍ଯ୍ୟନ୍ତ ଚାଲିଥିଲା ପ୍ରାୟ ୧୬ ଘଂଟା ଧରି ପୋଲିସ ରେଡ୍ କରିଥିଲା । ସମୟ ଯେତିକି ଗଡୁଥିଲା, ଧଳସାମନ୍ତ ଘରୁ ବନ୍ଧୁକ ଓ ଗୁଳିର ପରିମାଣ ସେତିକି ବଢ଼ି ଚାଲିଥିଲା । ଯାହାକୁ ଦେଖି ତାଜୁବ ହୋଇ ଯାଇଥିଲେ ପୋଲିସ ଅଧିକାରୀ ।

କମିସନରେଟ୍ ପୋଲିସ ଅନୁମାନ କରୁଛି, କେବଳ ନିଜ ବ୍ୟବହାର ପାଇଁ ନୁହେଁ, ଜେଲ ଭିତରୁ ବନ୍ଧୁକ ସ୍ମଗଲିଂର ବଡ଼ କାରବାର ଚଳାଇଥିଲା ଧଳବ୍ରଦର୍ସ । ନିଜ ଗାଙ୍ଗକୁ ବଡ଼ କରୁଥିଲା, ଅନ୍ୟ ଅପରାଧୀଙ୍କୁ ଯୋଗାଉଥିଲା ବନ୍ଧୁକ ଓ ଗୁଳି । ପୋଲିସ ସଂଦେହ କରୁଛି, ଆହୁରି ବହୁ ପରିମାଣର ବନ୍ଧୁକ ଧଳସାମନ୍ତ ଘରେ ରହିଛି କିମ୍ବା ସେମାନଙ୍କ ସହଯୋଗୀ ଘରେ ଲୁଚାଇ ରଖାଯାଇଛି । ଏହି ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇ ଭାଇଙ୍କୁ ରିମାଣ୍ଡରେ ଆଣି ପୂରା କ୍ରାଇମ୍ ସିଣ୍ଡିକେଟ୍କୁ ଧରିବାକୁ ଯୋଜନା କରିଛି ପୋଲିସ ।

ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତ, ଏହି ଦୁଇ ଭାଇ ଟ୍ୱିନ୍ ସିଟିରେ ଆଡ୍ଡା ଜମାଇଥିଲେ ବି ସାରା ଓଡ଼ିଶାରେ ତାଙ୍କର ନେଟ୍ୱକ୍ ଚାଲିଥିଲା । ୨୦୧୬ରେ ଦୁଇ ଭାଇଙ୍କୁ ସେମାନଙ୍କ ଭୁବନେଶ୍ୱର ପୋଖରୀପୁଟ ଘରୁ ଗିରଫ କରିଥିଲା କମିସନରେଟ୍ ପୋଲିସ । ହତ୍ୟା, ଅପହରଣ, ଦାବାବଟି, ବନ୍ଧୁକ ସ୍ମଗଲିଂ ଠାରୁ ଆରମ୍ଭ କରି ଟେଣ୍ଡର ଫିକ୍ସି ଭଳି ସଂଗୀନ ମାମଲା ରହିଥିଲା ଏହି ଦୁଇ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ । ସେହିଦିନଠାରୁ ସେମାନେ ଜେଲରେ ରହିଥିଲେ । ସମସ୍ତେ ଭାବୁଥିଲେ ଏହି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କ କ୍ରାଇମ୍ ସିଣ୍ଡିକେଟ୍ ଭୁଶୁଡି ପଡିଛି । ହେଲେ, ଏବେ ଲାଗୁଛି ଦୁଇ ଭାଇର ଅପରାଧ ସାମ୍ରାଜ୍ୟ ଏହାରି ଭିତରେ ବହୁଗୁଣିତ ହୋଇଛି । ଜେଲରେ ଗାଙ୍ଗଷ୍ଟର ରହିଛି, କିନ୍ତୁ ତାରି ଇଙ୍ଗିତରେ ଚାଲିଛି କ୍ରାଇମ୍ ଓ କଳା କାରବାର ।