ପୂଜାରେ ସାବାଡ଼ ହେବେ ଅପରାଧୀ । ଅଭ୍ୟାସଗତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କଲା କମିଶନରେଟ୍ ପୋଲିସ ।

124

କନକ ବ୍ୟୁରୋ: ସପ୍ତାହକୁ ଥରେ ଥାନାରେ ହାଜର ହେବେ ଅପରାଧୀ । ଅଭ୍ୟାସଗତ ଅପରାଧୀ, ଚୋରି, ହତ୍ୟାକାଣ୍ଡ, ରାହାଜାନି ଓ ଗଣ୍ଡଗୋଳ କରି ପୋଲିସ ଫାଇଲରେ ନାଁ ଚଢ଼ିଥିବା ଅପରାଧୀଙ୍କ ଛାତି ଏବେ ଧଡ଼ଧଡ଼ । ଭୁବନେଶ୍ୱରରେ ଥିବା ଅପରାଧୀଙ୍କୁ ଥାନାରେ ହାଜର ହେବା ପାଇଁ କମିଶନରେଟ୍ ପୋଲିସର ତାଗିଦ୍ । ଡିସିପିଙ୍କ ନେତୃତ୍ୱ କ୍ରମେ ପ୍ରାଥମିକ ପର୍ଯ୍ୟାୟରେ ଅଭ୍ୟାସଗତ ଅପରାଧିଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ । ୧୨ଟି ଥାନାରେ ୬୨ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି ।

  • ଅପରେସନ୍ କ୍ଲିନସୁଇପ୍
  • ଟାର୍ଗେଟରେ ପେସାଦାର ଅପରାଧୀ

ପାର୍ବଣକୁ ନେଇ ଉପରମୁହାଁ ହେଉଥିବା ଅପରାଧୀଙ୍କୁ ସାବାଡ଼ ପାଇଁ ଏହି ପ୍ରସ୍ତୁତି କରାଯାଇଛି । ଏୟାରଫିଲ୍ଡ, ଚନ୍ଦକା ଓ ଚନ୍ଦ୍ରଶେଖରପୁର ଥାନାର ଦୁଇଜଣ ଲେଖାଏଁ ବଡ଼ଗଡ଼ର ଜଣେ, କ୍ୟାପିଟାଲ, ଧଉଳି ଓ ଜଟଣୀ ଥାନାର ଜଣେ ଲେଖାଏଁ, ଇନଫୋସିଟି ଥାନାର ୩ଜଣ, ନୟାପଲ୍ଲୀରୁ ୫, ଖଣ୍ଡଗିରିରୁ ୬, ଲକ୍ଷ୍ମୀସାଗରରୁ ୧୮ ଏବଂ ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ସର୍ବାଧିକ ୨୦ଜଣ ଦାଗୀଙ୍କ ତାଲଞ୍ଜିକା ପ୍ରସ୍ତୁତ କରାଯାଇଛି ।

କମିଶନରେଟ ପୋଲିସର ଆରମ୍ଭ ହୋଇଥିବା ଏହି ଅପରେସନ୍ କ୍ଲିନସୁଇପରେ ଆଗକୁ ଆହୁରି ଅପରାଧିଙ୍କ ନାଁ ଯୋଡ଼ି ହେବ । ଅପରାଧ ଛାଡ଼ିପାରୁନଥିବା ଅଭ୍ୟାସଗତଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି । ଆଗକୁ ପାର୍ବଣ ଥିବାରୁ ଯେମିତି କୌଣସି ଅପ୍ରୀତିକର ଘଟଣା ନଘଟେ, ସେନେଇ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି । ଏପରିକି ପାର୍ବଣରେ ଜୋରଜବରଦସ୍ତି ଚାନ୍ଦା ମାଗୁଥିବା ଅସାମାଜିକଙ୍କ ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ଅନ୍ୟପଟେ ପୋଲିସର ଏହି ପଦକ୍ଷେପକୁ ସାଧୁବାଦ ଜଣାଇଛନ୍ତି ରାଜଧାନୀର ପୂଜା ମଣ୍ଡପ ଆବାହକ ।

ବାରମ୍ବାର ଅପରାଧରେ ସଂଶ୍ଳିଷ୍ଟ ଥିବା ଅପରାଧୀଙ୍କୁ ହଣ୍ଡ୍ରେଡ୍ ଟେନ୍, ଏନଏସଏରେ ବୁକ୍ କରାଯାଇଛି । ଆଗକୁ ଦୁର୍ଗା ପୂଜା ଓ କାଳୀ ପୂଜା ଥିବାରୁ ଜେଲ୍ ଫେରନ୍ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି କମିଶନରେଟ୍ ପୋଲିସ ।