କମିଶନରେଟ ପୋଲିସ ହାତରେ କୁଖ୍ୟାତ ଡକାୟତ ନଣ୍ଡା ଆଉ ନାଲୁ । ଦୁଇ ଅଭିଯୁକ୍ତଙ୍କ ନାଁରେ ରହିଛି ୬୦ରୁ ଅଧିକ ମାମଲା

୭୦ ଗ୍ରାମ ସୁନା, ୧୫୦ ଗ୍ରାମ ରୁପା ଓ ୨ଟି ବାଇକ୍ ଜବତ

428

କନକ ବ୍ୟୁରୋ: କମିଶନରେଟ ପୋଲିସ ହାତରେ କୁଖ୍ୟାତ ଡକାୟତ ନଣ୍ଡା ଆଉ ନାଲୁ । ଏହି ୨ ଅଭିଯୁକ୍ତଙ୍କୁ କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଆଜି ଗିରଫ କରିଛି । କମିଶନରେଟ ପୋଲିସ ପାଇଁ ମୋଷ୍ଟ ୱାଂଟେଡ୍ ଥିଲେ ଅସ୍ତରଙ୍ଗର ଏହି ଦୁଇ ଡକାୟତ । ନଣ୍ଡା ଓରଫ୍ ନିରଂଜନ ସ୍ୱାଇଁ, ନାଲୁ ଓରଫ ନାଲୁ ସ୍ୱାଇଁ । ଯେଉମାନଙ୍କର ଅପରାଧର ତାଲିକା ବହୁତ ଲମ୍ବା । ଏମାନେ ବାରମ୍ବାର ପୂର୍ବରୁ ପୋଲିସ ହାତରେ ଗିରଫ ହୋଇଥିବାବେଳେ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ରହିଛି ମାଳ ମାଳ ଅଭିଯୋଗ । ଏହି ଦୁଇ ଅଭିଯୁକ୍ତଙ୍କ ନାଁରେ ୬୦ରୁ ଅଧିକ ମାମଲା ରହିଥିବା ପୋଲିସ କହିଛି ।

ପୂର୍ବରୁ ଏମାନଙ୍କ ନାଁରେ ୪୮ଟି ମାମଲା ଥିବାବେଳେ, ଏବେ ୧୧ଟି ମାମଲାରେ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ନିକଟରୁ ୭୦ ଗ୍ରାମର ସୁନା ଅଳଙ୍କାର ୧୫୦ ଗ୍ରାମର ରୂପା ଅଳଙ୍କାର ଜବତ କରାଯାଇଛି । ଧଉଳି ଅଂଚଳରେ ୬ଟି ମାମଲା, ବାଲିଅନ୍ତାରେ ୨ଟି, ଖଣ୍ଡଗିରିରେ ଗୋଟିଏ, ଚନ୍ଦ୍ରଶେଖରପୁର ରେ ଗୋଟିଏ ଏବଂ ଅସ୍ତରଙ୍ଗରେ ମଧ୍ୟ ମାମଲା ରହିଛି । ଏହାସହ ଏମାନେ ଘରେ ପଶି ଚୋରି କରି କୋକୁଆ ଭୟ ସୃଷ୍ଟି କରୁଥିବା ନେଇ ବିଭିନ୍ନ ଥାନାରେ ମାଳ ମାଳ ଅଭିଯୋଗ ରହିଛି ।

ଏହି ଡକାୟତ ମାନେ ବିଶେଷ କରି ଏକୁଟିଆ ଘରକୁ ଟାର୍ଗେଟ କରିଥାନ୍ତି । ଘରଟିକୁ ୩ରୁ ୪ଦିନ ପର୍ଯ୍ୟନ୍ତ ରେକି କରିଥାନ୍ତି । ନଣ୍ଡା ଏବଂ ନାଲୁ ଏକ ଅଟୋରେ ସେହି ଘର ପାଖକୁ ଯାଆନ୍ତି । ଏବଂ ଘର ଭିତରେ ପଶି ମାରଣାସ୍ତ୍ର ଦେଖାଇ ଭୟବିତ କରିବା ସହ କଳା କନା ବୁଲାଇଥାନ୍ତି । ଏପରିକି ଅଭିଯୋଗ ଅନୁସାରେ ଘର ଭିତରେ ଥିବା ମହିଳାଙ୍କୁ ଅସଦାଚରଣ କରନ୍ତି । ପୂର୍ବରୁ ନଣ୍ଡା ଏବଂ ନାଲୁ ଗ୍ୟାଙ୍ଗକୁ କମିଶନରେଟ ପୋଲିସ ବହୁବାର ଗିରଫ କରି କୋର୍ଟ ଚାଲାଣ କରିଛି ।