ରାଜଧାନୀ ରାସ୍ତାରେ ଲୁଟେରା ଲୁଟି ନେଉଛନ୍ତି ମୋବାଇଲ ଓ ସୁନା ଚେନ୍ । ଅପରାଧୀଙ୍କୁ ରୋକିବା ପାଇଁ କମିସନରେଟ୍ ପୁଲିସ ଗଠନ କଲା ସ୍ପେଶାଲ୍-୨୬ ।

80

କନକ ବ୍ୟୁରୋ: କେତେ ସୁରକ୍ଷିତ ରାଜଧାନୀ ? ସାଧାରଣ ଲୋକଟିଏ ମନରେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । କାରଣ ଦିନକୁ ଦିନ ସହରରେ ବଢୁଛି ଛିନ୍ତାଇ ଓ ଚୋରି । ତେଣୁ ଘରୁ ବାହାରିବା ପରେ ପିନ୍ଧିଥିବା ସୁନାଚେନ୍, ମୋବାଇଲକୁ ଟାର୍ଗେଟ କରୁଛନ୍ତି ଲୁଟେରା । ହାଇସ୍ପିଡ୍ ବାଇକ୍ରେ ଆସି ଚାହୁଁ ଚାହୁଁ ଲୁଟି ନେଉଛନ୍ତି । ଗୋଟିଏ ପଟେ କଟାମୁଣ୍ଡ ମିଷ୍ଟ୍ରି ଓ ୧୯୯୯ ମସିହା ଗଣଦୁଷ୍କର୍ମକାରୀ ବିବନକୁ ଗିରଫ କରି ବାହା ବା ନେଉଥିବା ପୁଲିସ କମିଶନର ରାଜଧାନୀକୁ ସୁରକ୍ଷିତ ନେବାକୁ ପଦକ୍ଷେପ ନେଇପାରିବେ କି ?

ଚୋରି, ଛିନ୍ତାଇ, ଡକାୟତି ଉପରେ ନଜର ରଖିବା ପାଇଁ କମିଶନରେଟ୍ ପୁଲିସ ଗଠନ କରିଛି ସ୍ପେଶାଲ-୨୬ । ଏଥିପାଇଁ ସବୁଥାନାରେ ଜଣେ ଜଣେ ସ୍ୱତନ୍ତ୍ର ଅଧିକାରୀ ରହିବେ । ପ୍ରତି ଅଧିକାରୀଙ୍କ ଅଧିନରେ ୪ ଜଣ କନେଷ୍ଟବଳ ରହି ବଡଧରଣ ଅପରାଧ ଉପରେ ନଜର ରଖିବେ । ଏହି ସ୍ପେଶାଲ ୨୬ ଜରିଆରେ ଲୁଟେରାଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରିବ କମିଶନରେଟ୍ ପୁଲିସ ।

ରାଜଧାନୀର ଗତ ଜାନୁଆରୀରେ ୬୨ଟି ଛିନ୍ତାଇ ଘଟଣା ଘଟିଥିବା ବେଳେ ଫେବୃଆରୀରେ ଏହି ସଂଖ୍ୟା ୫୭ ରହିଥିଲା । ସେହିପରି ଚଳିତ ବର୍ଷ ଜାନୁଆରୀ ମାସରେ ୨୦୦ଟି ଓ ଫେବୃଆରୀ ମାସରେ ୧୮୧ଟି ଚୋରି ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି । ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଓ ଭୟଶୂନ୍ୟ ବସବାସ ପାଇଁ କମିଶନରେଟ ପୁଲିସର ସ୍ପେଶାଲ-୨୬ ଲାଭ ଦାୟକ ହେବ ତ, ତାହା ଦେଖିବାକୁ ବାକି ରହିଲା ।