କମିଶନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହେଲା ୨ଟି ଆପ୍ : ଆସିଲା ‘ସନ୍ଧାନ’ ଓ ‘କୁଣ୍ଡଳୀ’ ଆପ୍‌

18

କନକ ବ୍ୟୁରୋ : କରୋନା କଟକଣା କୋହଳ ହେବା ପରେ କମିସନରେଟ୍‌ ପୁଲିସ ଅପରାଧ ନିୟନ୍ତ୍ରଣ ଉପରେ ଫୋକସ୍‌ କରିବାକୁ ସଜବାଜ ହେଉଛି । ଏହି ପରିପ୍ରେକ୍ଷୀରେ ଅପରାଧ ଓ ଅପରାଧୀଙ୍କୁ ଟ୍ରାକ୍‌ କରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ‘ସନ୍ଧାନ’ ଓ ‘କୁଣ୍ଡଳୀ’ ନାମରେ ଦୁଇଟି ସ୍ୱତନ୍ତ୍ର ଆପ୍‌ କାର୍ଯ୍ୟକ୍ଷମ ହୋଇଛି । ଏହି ଦୁଇଟି ଆପ୍‌କୁ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଶୁଭାରମ୍ଭ କରିଛନ୍ତି । ଏହି ଆପ୍‌ ଦୁଇଟି ଡିସିପିଙ୍କ କାର୍ଯ୍ୟାଳୟରୁ କାମ କରିବ। ପ୍ରାଥମିକ ପର୍ଯ୍ୟାୟରେ ଏହା ପୁଲିସ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଖୁବ୍‌ଶୀଘ୍ର ଏହାକୁ ସାଧାରଣ ଲୋକ ବି ବ୍ୟବହାର କରିବାକୁ ସକ୍ଷମ ହେବେ ବୋଲି କହିଛନ୍ତି କମିସନର ଶ୍ରୀ ପ୍ରିୟଦର୍ଶୀ ।

ଗୋଟିଏ ମାମଲାର ତଦନ୍ତ କରୁକରୁ ପୁଲିସ ବିପୁଳ ପରିମାଣର ଚୋରି ସାମଗ୍ରୀ ଜବତ କରୁଛି । କିନ୍ତୁ ଏତଲାକରୀକୁ ଛାଡ଼ିଦେଲେ ଅନ୍ୟ ଜିନିଷଗୁଡ଼ିକ ଉପଯୁକ୍ତ ହିତାଧିକାରୀ ପାଖରେ ପହଞ୍ଚି ପାରୁନାହିଁ। କେଉଁଠୁ ଚୋରି ହୋଇଛି, କିଏ କେଉଁଠି ଏତଲା ଦେଉଛି, ତାହାର ହିସାବ ନଥିବାରୁ ଏହା ସମ୍ଭବ ହେଉ ନାହିଁ । ‘ସନ୍ଧାନ’ ଆପ୍‌ ଏହି ସବୁ ଉଦ୍ଧାର ସାମଗ୍ରୀର ହିସାବ ରଖିବ । କେଉଁ ଅଞ୍ଚଳରୁ କି କି ଚୋରି ଜିନିଷ ଉଦ୍ଧାର ହୋଇଛି, କେଉଁ ଅଞ୍ଚଳରୁ କ’ଣ ଚୋରି ହୋଇଛି, ଏଭଳି ସମସ୍ତ ତଥ୍ୟ ଏହି ଆପ୍‌ରେ ରହିବ। ଉଦ୍ଧାର ମୋବାଇଲ୍‌ର ଆଇଏମ୍‌ଇଆଇ ନମ୍ବର, ଗାଡ଼ିର ପଞ୍ଜୀକରଣ ନମ୍ବର ଓ ଇଞ୍ଜିନ ନମ୍ବର ମଧ୍ୟ ରହିବ । ଯାହାର ଫୋନ୍‌ କିମ୍ବା ଗାଡ଼ି ଚୋରି ହୋଇଥିବ, ସେ ଆଇଏମଇଆଇ ନମ୍ବର କିମ୍ବା ଗାଡ଼ି ବା ଇଞ୍ଜିନ ନମ୍ବର ଯାଞ୍ଚ କଲେ ଉଦ୍ଧାର ସାମଗ୍ରୀ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ପାଇ ପାରିବ । ଫଳରେ ତୁରନ୍ତ ସେହି ଥାନା ସହ ଯୋଗାଯୋଗ କରି ହିତାଧିକାରୀ ଜିନିଷ ଫେରି ପାଇବା ସମ୍ଭବ ହେବ ।

ସେହିଭଳି ଜାମିନରେ ଆସି ଅପରାଧୀ ଅପରାଧ ଘଟାଇବା ଅତି ସାଧାରଣ କଥା । ସେମାନଙ୍କୁ ଟ୍ରାକ୍‌ କରାଯାଉନଥିବାରୁ ‌ଅପରାଧ ଘଟିବା ପରେ ଅନେକ କ୍ଷେତ୍ରରେ ସେମାନଙ୍କୁ ଧରିବା ସମ୍ଭବ ହେଉନାହିଁ । କେଉଁ ଅଞ୍ଚଳରେ କେଉଁ ପ୍ରକାର ଅପରାଧୀ ରହିଛନ୍ତି, ମୂଳ ଘର କେଉଁଠି, ରାଜ୍ୟର କେଉଁ କେଉଁ ଜିଲ୍ଲାରେ ତାହାର ଗତିବିଧି ରହିଛି, କେଉଁ ଥାନା ଅଞ୍ଚଳରେ ସର୍ବାଧିକ ଅପରାଧ ଘଟାଇଛି, କେବେଠାରୁ କେଉଁ କେଉଁ ଅପରାଧରେ ସାମିଲ ଅଛି, ଏଭଳି ଛୋଟବଡ଼ ଅପରାଧୀଙ୍କର ସମସ୍ତ ତଥ୍ୟ ‘କୁଣ୍ଡଳୀ’ ଆପ୍‌ରେ ରହିବ। ଗୋଟିଏ କ୍ଲିକ୍‌ରେ ଏହି ସବୁ ବିବରଣୀ କମ୍ପ୍ୟୁଟର ସ୍କ୍ରିନ୍‌ରେ ଉପଲବ୍ଧ ହେବ ।

ଅନେକ ଅପରାଧୀ ଜେଲ୍‌ରୁ ବାହାରି ବାରମ୍ବାର ଅପରାଧ ଘଟାଉଛନ୍ତି । କୁଣ୍ଡଳୀ ଆପ୍‌ରେ ସମସ୍ତ ଅପରାଧୀଙ୍କ ତଥ୍ୟ ଉପଲବ୍ଧ ହେଲେ ସମସ୍ତ ଥାନାର ତଦନ୍ତକାରୀ ଅଧିକାରୀକୁ ଅପରାଧୀ ବିଷୟରେ ଜାଣିବା ସହ ଧରିବା ସହଜ ହେବ । ଯିଏ ଯେଉଁ ଅପରାଧୀଙ୍କୁ ଧରି‌ବେ, ତାହାର ବିବରଣୀ ଏହି ଆପ୍‌ରେ ଅପ୍‌ଲୋଡ୍‌ କରିବେ । ଫଳରେ ଅପରାଧୀ ବାରମ୍ବାର ଅପରାଧ ଘଟାଉଥିବା ନେଇ ଆପ୍‌ ଜରିଆରେ ଜଣାପଡ଼ିଯିବ । ଏହାଦ୍ବାରା ତା’ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ ଯୋଜନା କରିବ ବୋଲି କହିଛନ୍ତି କମିସନର ।

Comments are closed.