ଦୁର୍ଗାପୂଜାରେ କରୋନା ସଂକ୍ରମଣର ଭୟ । ଆକ୍ସନ ମୋଡରେ କମିଶନରେଟ୍ ପୁଲିସ, ଭୁବନେଶ୍ୱରରେ ଅମାନିଆଙ୍କୁ ଧରି କଷୁଛି ଫାଇନ୍ । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ବାର୍, କୋଚିଂ ସେଂଟର ଓ ସପିଂ ମଲ୍ ସିଲ୍ । 

306

କନକ ବ୍ୟୁରୋ : କୋଭିଡ୍ ନିୟମ ପାଳନ କରି ପୂଜା ଆୟୋଜନ ହେଉଥିଲେ ମଧ୍ୟ ସଂକ୍ରମଣର ଭୟ ରହିଛି । ଏହାକୁ ନେଇ ସତର୍କ ହୋଇଛନ୍ତି ସରକାର, ଆକ୍ସନ ମୋଡରେ ଅଛି କମିଶନରେଟ ପୁଲିସ । ଏନେଇ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢାଉ କରୁଛି, ଅମାନିଆଙ୍କୁ ଧରି ଫାଇନ କଷୁଛି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ କମିସନରେଟ ପୁଲିସ ବାର, କୋଚିଂ ସେଂଟର ଓ ସପିଂ ମଲକୁ ସିଲ୍ କରିଛି ।

ଦଶହରାରେ କରୋନା ଭୟ । ଆକ୍ସନ ମୋଡରେ କମିଶନରେଟ ପୁଲିସ । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀରେ ସିଲ୍ ହୋଇଛି ବାର୍ । ସିଲ୍ ହୋଇଛି କୋଚିଂ ସେଂଟର । ସେହିପରି ସିଲ୍ ହୋଇଛି ଫେସନ୍ ସିଟି ମଲ୍ । ରାଜଧାନୀ ଇନଫୋସିଟି ଅଂଚଳର ବାରରେ ଏକ ଜନ୍ମଦିନ ଉତ୍ସବ ଧୁମଧାମରେ ପାଳନ କରାଯାଉଥିଲା । ନା ସେଠି କେହି ସାମାଜିକ ଦୂରତାକୁ ମାନିଥିଲେ, ନା କିଏ ମାସ୍କ ପିନ୍ଧିଥିଲେ । ବାର୍ଥ ଡେ ପାର୍ଟିରେ କୋଭିଡ କଟକଣା ଉଲ୍ଲଂଘନ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ବାରକୁ ସିଲ କରିଛି ।

ସେହିପରି କୋଭିଡ୍ ନିୟମ ଉଲଂଘନ କରି ଉତ୍ସବ ପାଳନ କରୁଥିବା ଅଭିଯୋଗରେ ଭୁବନେଶ୍ୱରରେ କୋଚିଂ ସେଂଟରକୁ ମଧ୍ୟ ସିଲ୍ କରାଯାଇଛି  । ନାଗେଶ୍ୱର ଟାଙ୍ଗିରେ ଥିବା ବେଂଚମାର୍କ କୋଚିଂ ସେଂଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ ଅଂଚଳରେ ଥିବା ଫେଶନ୍ ସିଟି ମଲକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ । ପୂଜା ଯୋଗୁଁ ମଲରେ ଗ୍ରାହକଙ୍କ ଗହଳି ଥିବା ବେଳେ ମଲ୍ କର୍ତ୍ତୃପକ୍ଷ ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦେଉନଥିବା ଅଭିଯୋଗ ପରେ ଏପରି ଆକ୍ସନ ନେଇଛି ବିଏମସି ।

ଦଶହରା ପାଖେଇ ଆସୁଥିବା ବେଳେ କହିବାକୁ ଗଲେ ପ୍ରଶାସନକୁ ଘାରିଛି କରୋନା ଭୟ । ଗତ ୨୪ ଘଂଟାରେ କୋଭିଡ ନିୟମ ଉଲ୍ଲଂଘନକାରୀ ୧୫୯୭ ଅମାନିଆ ଓ ଦୋକାନୀଙ୍କ ଠାରୁ ଫାଇନ ଆଦାୟ କରିଛି କମିଶନରେଟ ପୁଲିସ । ପାର୍ବଣ ରୁତୁରେ ଲୋକଙ୍କ ଅବହେଳା କୋଭିଡ ସଂକ୍ରମଣକୁ ବଢାଇବା ଆଶଙ୍କା ରହିଛି ।

Comments are closed.