ନାଇଟ୍ କର୍ଫ୍ୟୁ ନେଇ ପୋଲିସ କମିଶନରଙ୍କ ପ୍ରେସମିଟ୍ । ରାତିରେ ପଇଁତରା ମାରିବ ପାଟ୍ରୋଲିଂ ଗାଡି । ନିୟମ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ ।

174

କନକ ବ୍ୟୁରୋ: ନାଇଟ୍ କର୍ଫ୍ୟୁ ସମୟରେ ନିୟମ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଅମାନିଆଙ୍କୁ ସାବାଡ କରିବାକୁ ଟୁଇନ ସିଟିରେ ପଇଁତରା ମାରିବ ପୋଲିସ । ଆଜି ନାଇଟ୍ କର୍ଫ୍ୟୁ ସମ୍ବନ୍ଧରେ ପ୍ରେସମିଟ୍ କରି ଏଭଳି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କୋଭିଡ୍ ସଂକ୍ରମଣକୁ ଦେଖି ଆଜିଠୁ  ସାରା ରାଜ୍ୟରେ ଲାଗୁ ହେବାକୁ ଯାଉଛି ନାଇଟ୍ କର୍ଫ୍ୟୁ । ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ଆଜି ରାତି ୯ଟାରୁ କର୍ଫ୍ୟୁ ଲାଗିବ । ତେବେ ନାଇଟ୍ କର୍ଫ୍ୟୁକୁ ସମସ୍ତ ଜନସାଧାରଣ ପାଳନ କରନ୍ତୁ ବୋଲି ପୋଲିସ କମିଶନର ଅନୁରୋଧ କରିଛନ୍ତି ।

ନାଇଟ୍ କର୍ଫ୍ୟୁ ପାଇଁ କମିଶନରେଟ୍ ପୋଲିସର ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୂତୟନ ହେବେ । ତା ସହିତ ୬୦ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ନାଇଟ୍ କର୍ଫ୍ୟୁ କଟକଣାକୁ ତଦାରଖ କରିବେ । ଯଦି କୌଣସି ବ୍ୟକ୍ତି ନିୟମ ଭାଙ୍ଗିଲେ ତେବେ ତାଙ୍କ ବିରୋଧରେ ପୋଲିସ କଡା ପଦକ୍ଷେପ ଗ୍ରହଣ କରିବ ବୋଲି ପୋଲିସ ସିପି କହିଛନ୍ତି  ।  ଅନ୍ୟପଟେ ସରକାରଙ୍କ ନିୟମ ମୁତାବକ, ନିର୍ଦ୍ଧିଷ୍ଟ ବ୍ୟକ୍ତିବିଶେଷମାନେ ସେମାନଙ୍କର ପରିଚୟ ଦେଖାଇ ଯା’ଆସ କରିପାରିବେ । କର୍ଫ୍ୟୁ ପାଇଁ କୌଣସି ନିଦ୍ଧିଷ୍ଟ ପାସ୍ ଦେଖାଇବାକୁ ପଡିବନି । କର୍ଫ୍ୟୁ ସମୟରେ କମିଶନରେଟ୍ ପୋଲିସର ୩୫ଟି ପାଟ୍ରୋଲିଂ ଗାଡି, ୧୫ ସୁପରଭାଇଜିଂ ଟିମ୍ ରାତି ତମାମ ଚକ୍କର କାଟିବ ବୋଲି ପୋଲିସ କମିଶନର କହିଛନ୍ତି ।