ପୁଲିସ ହାତରେ କରୋନା କାଳର ଲୁଟେରା । ନିଶା ଦେଇ ଟ୍ରେନ ଓ ବସ ଯାତ୍ରୀଙ୍କ ଠାରୁ କରୁଥିଲେ ଲୁଟ୍ । ୨ ଲୁଟେରାଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୁଲିସ । ଲୁଟେରାଙ୍କ ଠାରୁ ଜବତ ହୋଇଥିବା ବିଦେଶୀ ମୁଦ୍ରାକୁ ନେଇ ତନାଘନା

110

କନକ ବ୍ୟୁରୋ : କମିଶନରେଟ ପୁଲିସ ଜାଲରେ ମୋଷ୍ଟ ୱାଂଟେଡ଼ କ୍ରିମନାଲ । ଦୁଇ ଅଭିଯୁକ୍ତ ହେଉଛନ୍ତି ନୟାଗଡ଼ର ସୁଶାନ୍ତ ରାଉତ ଏବଂ ଗଂଜାମର ସୀମାଂଚଳ ସୁବୁଦ୍ଧି । ଦୀର୍ଘଦିନର ଲୁଚକାଳି ପରେ ଏମାନଙ୍କୁ ହାତକଡ଼ି ପିନ୍ଧାଇଛି ଖଣ୍ଡଗିରି ଥାନା ପୋଲିସ । ଦେଖିବାକୁ ବେଶ ସିଧାସାଧା । ହେଲେ ଏମାନଙ୍କ କାରନାମା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏମାନଙ୍କ ଟାର୍ଗେଟରେ ଥିଲେ ଭୁବନେଶ୍ୱର ଭିତରକୁ ଆସୁଥିବା ନୀରିହ ଯାତ୍ରୀ । ସେ ରେଳ ଷ୍ଟେସନ ହେଉ କିମ୍ବା ବରମୁଣ୍ଡା ବସଷ୍ଟାଣ୍ଡ । ବିଶ୍ୱାସରେ ବିଷ ଦେଇ ସେମାନଙ୍କୁ ଲୁଟପାଟ କରିବାର ଥିଲା ଏମାନଙ୍କର ମାଷ୍ଟର ପ୍ଲାନ୍ । ଯାତ୍ରୀଙ୍କ ସହିତ ବନ୍ଧୁତା କରି ଅତି ଚତୁରତାର ସହିତ ଚା’, ବିସ୍କୁଟ ଓ ଖାଦ୍ୟ ପଦାର୍ଥରେ ନିଶା ଦେଇ ସର୍ବସ୍ୱ ଲୁଟି ନେଇ ଫେରାର ହୋଇଯାଉଥିଲେ ଏହି ନିଶା ଦିଆ ଲୁଟେରା ।

ଏମାନଙ୍କ ଠାରୁ ଲକ୍ଷେ ୮ହଜାର ଟଙ୍କା, ବିଦେଶୀ ମୁଦ୍ରା, ସୁନା ଅଳଙ୍କାର, ବାଇକ୍, ମୋବାଇଲ, ସିମ୍ କାର୍ଡ଼ ଏବଂ ଲଗେଜ ବ୍ୟାଗ୍ ଜବତ କରାଯାଇଛି । ତେବେ ଅଭିଯୁକ୍ତମାନଙ୍କ ଠାରୁ ଜବତ ହୋଇଥିବା ବିଦେଶୀ ମୁଦ୍ରାକୁ ନେଇ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ । କୌଣସି ବିଦେଶୀ ପର୍ଯ୍ୟଟକ ଏହି ନିଶା ଦିଆ ଲୁଟେରାଙ୍କ ଆକ୍ରମଣର ଶିକାର ହୋଇଛନ୍ତି କି? ଭୁବନେଶ୍ୱରରୁ କେତେ ଲୋକଙ୍କୁ ଲୁଟପାଟ କରିଛନ୍ତି ଏମାନେ? କିଏ ଏମାନଙ୍କ ପଛର ଅସଲ ଖଳନାୟକ, ସେନେଇ ଖୋଳତାଡ଼ ଜାରି ରଖିଛି କମିଶନରେଟ୍ ପୁଲିସ ।