ବଳପୂର୍ବକ ଚାନ୍ଦା ମାଗିଲେ କାର୍ଯ୍ୟାନୁଷ୍ଠାନ । ଅଭିଯୋଗ ଆସିଲେ ବନ୍ଧା ହେବେ ପୂଜା କମିଟି ସଦସ୍ୟ

96

କନକ ବ୍ୟୁରୋ: ଆସୁଛି ପାର୍ବଣର ଋତୁ ସେନେଇ ଉତ୍ସାହୀ ଅଛନ୍ତି ଉଭୟ ପୂଜା କମିଟି ଏବଂ ଶ୍ରଦ୍ଧାଳୁ । ତେବେ ପୂଜା କମିଟି ଏଥର ସାବଧାନ । କାରଣ ଏଥର ଚାନ୍ଦା ମାଗିଲେ ବନ୍ଧାହେବେ । କମିସନରେଟ ପୁଲିସ ପକ୍ଷରୁ ଏଭଳି ଆଡଭାଇଜରି ଜାରି କରାଯାଇଛି । ଆସୁଛି ଗଣେଷ ପୂଜା ଏବଂ ତା ପରେ ଦଶହରା ଭଳି ଅନେକ ପୂଜା ପର୍ବାଣୀ । ତେଣୁ ପାର୍ବଣକୁ ଆଖି ଆଗରେ ରଖି ଚଳିତ ବର୍ଷ କମିସନରେଟ ପୁଲିସ କଡା ନିୟମ ଲାଗୁ କରିଛି ।

ଏନେଇ ଟ୍ୱିନ୍ ସିଟି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି ଯେ, ପୂଜା ସମୟରେ ଯଦି କେହି ଜୋର ଜବରଦସ୍ତି ଚାନ୍ଦା ମାଗନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଭିନ୍ନ ସମୟରେ ପୂଜା କମିଟିର ସଦସ୍ୟ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ନେଇ ଅଭିଯୋଗ ପୂର୍ବରୁ ଆସେ ତେଣୁ ଏଥର ଆଗୁଆ ଆଡଭାଇଜରୀ ଜାରି କରାଯାଇଛି । ଯେଉଁଥିରେ ପୂଜା ପୂର୍ବରୁ ଥାନା ଅଧିନରେ ଥିବା ପୂଜା କମିଟି ଗୁଡିକ ସହିତ ପ୍ରସ୍ତୁତି ବୈଠକ କରିବେ ବୋଲି କୁହାଯାଇଛି । ଯଦି ଏହାସତ୍ୱେ କାହାଠାରୁ ଜୋରଜବରଦସ୍ତି ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୁଏ ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର କହିଛନ୍ତି ।

ଅନ୍ୟପଟେ କମିଶନରେଟ୍ ପୋଲିସର ଏଭଳି ଆଭିମୂଖ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କିଛି ପୂଜା କମିଟି ସଦସ୍ୟ । ପୂଜା କମିଟିର ସଦସ୍ୟ କହିବା ମୁତାବକ ଯେହେତୁ ଜଣେ ଚାହିଁଲେ ଏଭଳି ଜାକ ଯମକରେ ମା’ଙ୍କ ପୂଜା କରିପାରିବ ନାହିଁ ତେଣୁ ସ୍ୱ ଇଚ୍ଛାରେ ସ୍ଥାନୀୟ ଲୋକେ ଦାନ କରନ୍ତି । ଯହାକୁ ନେଇ ପୂଜା ଶୃଙ୍ଖଳିତ ଭାବେ ସମାପନ ହୋଇଥାଏ । ମା’ଙ୍କ ପାଇଁ କାହାକୁ ଚାନ୍ଦା କି କୌଣସି ପ୍ରକାର ଜୋରଜବରଦସ୍ତ କରାଯାଏ ନାହିଁ । ତେଣୁ ଶ୍ରଦ୍ଧାଳୁମାନେ ସ୍ୱ-ଇଚ୍ଛାରେ ବିଭିନ୍ନ ପୂଜା ପର୍ବାଣୀରେ ଦାନ କରନ୍ତି ବୋଲି କହିଛନ୍ତି ।