କନକ ବ୍ୟୁରୋ : ଦୁର୍ଗାପୂଜା ପାଇଁ ଆକ୍ସନ ମୋଡରେ କମିଶନରେଟ ପୁଲିସ । ସେଥିପାଇଁ ଭୁବନେଶ୍ୱରରେ ଅମାନିଆଙ୍କୁ ଧରି ଫାଇନ କଷୁଛି ପୋଲିସ । ଏଥିସହ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବାର, କୋଚିଂ ସେଂଟର ଓ ସପିଂ ମଲକୁ ସିଲ କରିଛି ପୋଲିସ ।

Advertisment

ତେବେ ପୂଜା ପୂର୍ବରୁ କିଛି ଅପରାଧୀଙ୍କୁ ଗରିଫ ମଧ୍ୟ କରିଛି ପୋଲିସ । ପୋଲିସ କବଜାରେ ଥିବା ଏହି ଅପରାଧୀମାନଙ୍କ ଦୋଷ ହେଲା, ସେମାନେ ବସମାଲିକ, ଡ୍ରାଇଭର ଏବଂ ହେଲପରଙ୍କ ଠାରୁ ଦାଦାବଟି ଆଦାୟ କରୁଥିଲେ, ଚାନ୍ଦା ଆଦାୟ କରୁଥିଲେ । ଏମିତି କିଛି ଅସାମାଜିକ ଯୁବକଙ୍କୁ ବରମୁଣ୍ଡା ବସଷ୍ଟାଣ୍ଡରୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ପାର୍ବଣ ସମୟରେ କୌଣସି ପ୍ରକାରର ଚାନ୍ଦା ଆଦାୟ ଉପରେ କଟକଣା ଲଗାଇଛି କମିଶନରେଟ ପୋଲିସ । ଧରାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ ।

ଅନ୍ୟପକ୍ଷରେ କମିଶନରେଟ ପୋଲିସର ଏପରି ଅଭିଯାନକୁ ସ୍ୱାଗତ କରିଛି ପୂଜା କମିଟି । ରସିଦରେ ମନଇଛା ଟଙ୍କାର ପରିମାଣ ଲେଖି ଜୋରଜବରଦସ୍ତ ଟଙ୍କା ଆଦାୟ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି କହିଛି ପୂଜା କମିଟି ।

ଦାଦାବଟି ଓ ଚାନ୍ଦା ଆଦାୟକୁ ନେଇ କମିଶନରେଟ ପୋଲିସ କଠୋର ହେବା ପରେ ଏହାର ପ୍ରଥମ ଶିକାର ହୋଇଥିଲା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ । ରାଜାଙ୍କୁ ମିଶାଇ ୧୨ରୁ ୧୩ଜଣଙ୍କୁ ପୋଲିସ ଏବେସୁଦ୍ଧା ଗିରଫ କରିଛି । ବିଶେଷକରି ପାର୍ବଣ ସମୟରେ ପୋଲିସ ଏହାକୁ ବେଶ ଗୁରୁତର ସହ ନେଉଥିବା କହିଛନ୍ତି ଭୁବନେଶ୍ୱର ଡିସିପି ।