ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା: ପୋଲିସ ନଜରରେ ବାୟୋଟେକ୍ ପାର୍କ, ଏକାଧିକ ଲୋକଙ୍କ ସମ୍ପୃକ୍ତି ସନ୍ଦେହ

184

କନକ ବ୍ୟୁରୋ: ଚନ୍ଦକାରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଜବତ ଘଟଣା କମିସନରେଟ ପୁଲିସର ମୁଣ୍ଡ ବ୍ୟଥା ବଢାଇ ଦେଇଛି । ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳର ଯାଂଚ କରି ରକ୍ତଭିଜା ଛୁରୀ ଓ ଗ୍ଲୋବସ ଜବତ କରିଛି ପୋଲିସ । ତେବେ ତଦନ୍ତ ବେଳେ ଘଟଣାସ୍ଥଳରେ ଥିବା ଡଗସ୍କ୍ବାର୍ଡ ରକ୍ତଭିଜା ଛୁରୀ ଆଉ ଗ୍ଲୋବସକୁ ସୁଙ୍ଗି ପାଖାପାଖି ଏକ କିଲୋମିଟର ପର୍ଯ୍ୟନ୍ତ ଦୌଡିଥିଲା । ଆଉ ପାଖରେ ଥିବା ଓଡିଶା ବାୟୋଟେକ ପାର୍କରେ ସିଧା ପହଂଚିଥିଲା ।

ବାୟୋଟେକର ମୁଖ୍ୟ ଫାଟକ ନୁହେଁ ବରଂ ପଛପଟେ ଭାଙ୍ଗିଯାଇଥିବା ପାଚେରୀର ଗଳାବାଟଟିକୁ ଇସାରା କରୁଥିଲା । ଆଉ ପରେ ମୁଖ୍ୟ ଫାଟକକ ସାମନାକୁ ଯାଇ କିଛି ଇସାରା କରିଥିଲା । ୭ରୁ ୮ଥର ପାର୍କ ଭିତରେ ଘୁରି ଘୁରି ପାଣିଟାବ ପାଖରେ ପହଂଚିଥିଲା ସନ୍ଧାନୀ କୁକୁର । ଗତକାଲି ପୋଲିସକୁ ଇସାରା ଦେଇଥିବା ପ୍ରତିଟି ଯାଗାକୁ ସାଇଂଟିଫିକ ଟିମ ସହ ଯାଇ ସରଜମିନ ତଦନ୍ତ କରିଛି ପୋଲିସ ।

ସନ୍ଦେହ କରାଯାଉଛି, ହତ୍ୟା କରିବା ପରେ ମୃତଦେହକୁ ଫୋପାଡିବାପାଇଁ ଏହି ସ୍ଥାନକୁ ଟିହ୍ନଟ କରିଥିଲେ । ତଦନ୍ତ କହୁଛି, ଏକାଧିକ ହତ୍ୟାକାରୀ ଏଥିରେ ସମ୍ପୃକ୍ତି ରହିଛି । ଆଉ ହତ୍ୟାକାଣ୍ଡ ପରେ ସେମାନେ ଏହି ବାୟୋଟେକ ପାର୍କ ଭିତରକୁ ଆସି ହାତ ଧୋଇଥିଲେ । ତେଣୁ ପୋଲିସର ସନ୍ଦେହୀ ଆଖି ଏବେ ଏହି ପାର୍କ ଭିତରେ ଥିବା ଲୋକଙ୍କୁ ଟାର୍ଗେଟ କରିଛି । ଛାନବିନ ବେଳେ ଲେବର ରୁମ ନିକଟରୁ ପୋଲିସକୁ ଏକ ଛୁରି ମିଳିଛି । ଯାହା କି ସନ୍ଦେହକୁ ଅଧିକ ଦୃଢୀଭୂତ କରୁଛି । କୁକୁର ମଧ୍ୟ ଏହି ହାତଧୁଆ ସ୍ଥାନକୁ ବାରମ୍ବାର ଆସିଥିଲା । ତେଣୁ ପୋଲିସ ଏହି ଅଂଚଳରେ ଅଧିକ ଖୋଳତାଡ ଜାରି ରଖିଛି ।

ପୋଲିସ ପାଇଁ ଚ୍ୟାଲେଂଜ ହେଉଛି ମହିଳାଙ୍କୁ ଚିହ୍ନଟ କରିବା । ସେଥିପାଇଁ ରାଜ୍ୟ ବାହାର ପୋଲିସକୁ ମୃତ ମହିଳାଙ୍କ ତଥ୍ୟ ପଠାଇବା ସହ ସବୁ ଜିଲ୍ଲାର ପୋଲିସକୁ ଏହି ତଥ୍ୟ ମାଗିଛି । ମହିଳା ପିନ୍ଧିଥିବା ଜାମାକୁ ଆଧାର କରି ପୋଷ୍ଟର ତିଆରି କରିବ ପୋଲିସ । ଯାହାକୁ ସର୍ବସାଧାରଣରେ ଲଗାଯିବ । ତେବେ ବର୍ତମାନ ସୁଦ୍ଧା ପୋଲିସ କଟାମୁଣ୍ଡ ପାଇନି କିମ୍ବା ମହିଳାଙ୍କ ପରିଚୟ ମଧ୍ୟ ପାଇପାରିନି ।