କନକ ବ୍ୟୁରୋ : ଆଉ କିଛି ଦିନ ପରେ ଗଣେଶ ପୂଜା। ଏହା ପରେ ପରେ ବିଶ୍ୱକର୍ମା, ଦୁର୍ଗା, ଲକ୍ଷ୍ମୀ, କାଳୀ, କାର୍ତ୍ତିକେଶ୍ୱର ଆଦି ବିଭିନ୍ନ ପୂଜାପର୍ବ ପାଇଁ ରାଜଧାନୀ ଉତ୍ସବମୁଖର ହେବ। ଏଥିପାଇଁ ବିଭିନ୍ନ କ୍ଲବ, ପୂଜାମଣ୍ଡପ, ଅନୁଷ୍ଠାନ ସଜବାଜ ହେଲେଣି। ତେବେ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ କମିସନରେଟ୍ ପୁଲିସ ଅଣ୍ଟା ଭିଡ଼ିଛି। ପୂଜା ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ, ସେଥିପାଇଁ ରାଜଧାନୀର ବିଭିନ୍ନ ଜନଗହଳି ସ୍ଥାନ, ଟ୍ରାଫିକ୍, ମନ୍ଦିର, ଚର୍ଚ୍ଚ ଆଦି ଧର୍ମାନୁଷ୍ଠାନରେ ବ୍ୟାପକ ପୁଲିସ ମୁତୟନ ପାଇଁ କମିସନରେଟ୍ ପୁଲିସ ଯୋଜନା କରିଛି। ଟ୍ରାଫିକ୍ ସମସ୍ୟା ନ ହେବା ପାଇଁ ପୂଜାମଣ୍ଡପ, କ୍ଲବଗୁଡ଼ିକ ପର୍ଯ୍ୟାପ୍ତ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି। ପୂଜା ସମୟରେ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଲାଇଟ୍, ସାଉଣ୍ଡ, ମେଲୋଡ଼ି, ଆତସବାଜୀ, ଯାତ୍ରା ଆଦି ପର୍ଯ୍ୟାପ୍ତ ନେଇ ପ୍ରତିଯୋଗିତା ଭଳି ପରିସ୍ଥିତି ସୃଷ୍ଟି ହୁଏ।
ଅନୁଷ୍ଠାନଗୁଡ଼ିକ ଶ୍ରେଷ୍ଠତ୍ୱ ପ୍ରତିପାଦନ ପାଇଁ ଲାଗି ପଡ଼ନ୍ତି। ଏସବୁ ପାଇଁ ଅଧିକ ଅର୍ଥ ଆବଶ୍ୟକତା ଥିବାରୁ ଦୋକାନୀ, ବଡ଼ବଡ଼ ଅନୁଷ୍ଠାନ, ମଲ୍, ବସ୍, ଟ୍ରକ ମାଲିକଙ୍କଠାରୁ ଚାନ୍ଦା ଆଦାୟ କରାଯାଇଥାଏ। ଯଦି କେହି ଚାନ୍ଦା ନ ଦିଅନ୍ତି, ତାଙ୍କ ଉପରେ ବିଭିନ୍ନ ପ୍ରକାର ଚାପ ପକାଯାଏ। ଯଦି ଏଭଳି ଅଭିଯୋଗ କୌଣସି ଅନୁଷ୍ଠାନ କିମ୍ବା କ୍ଲବ ନାମରେ ଆସେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିସନର୍ ସତ୍ୟଜିତ ମହାନ୍ତି କହିଛନ୍ତି। ସେହିପରି ପୂଜା ସମୟରେ ସାଉଣ୍ଡ, ମେଲୋଡି, ଆତସବାଜୀ କାର୍ଯ୍ୟକ୍ରମ, ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି। ଅଧିକ ଶବ୍ଦରେ ମାଇକ୍ କିମ୍ବା ବକ୍ସ ନ ବଜାଇବା, ଠିକ୍ ସମୟରେ ସାଉଣ୍ଡକୁ ବନ୍ଦ କରିବା, ଆବସିକ ଅଞ୍ଚଳରେ ଉଚ୍ଚ ଶବ୍ଦରେ ମାଇକ୍ ବା ବକ୍ସ ନ ବଜାଇବା, ନିର୍ଦ୍ଦିଷ୍ଟ ସମୟରେ ମେଲୋଡି କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଆତସବାଜୀ କାର୍ଯ୍ୟକ୍ରମ ନକରିବା, ଅଧିକ ଶବ୍ଦ ବିଶିଷ୍ଟ ବାଣ ନ ଫୁଟାଇବା, ଶୋଭାଯାତ୍ରା ସମୟରେ ମାରଣାସ୍ତ୍ର ବ୍ୟବହାର ଆଦି ଉପରେ କମିସନରେଟ୍ ପୁଲିସ କଟକଣା ଲଗାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/commi-copy.jpg)