ଚିନ୍ତା ବଢାଉଛି କରୋନା । କରୋନା ପାଇଁ ପୁଲିସ କମିସନରଙ୍କ କୋର୍ଟ ବନ୍ଦ

ଚିନ୍ତା ବଢାଉଛି କରୋନା । କରୋନା ପାଇଁ ପୁଲିସ କମିସନରଙ୍କ କୋର୍ଟ ବନ୍ଦ

କନକ ବ୍ୟୁରୋ : କରୋନା ବିଶ୍ବ ବିପର୍ଯ୍ୟୟ ଘୋଷଣା ହେବା ପରେ ସେ ନେଇ ହଇଚଇ ହୋଇଛି। ଏହାର ମୁକାବିଲା ପାଇଁ ପରସ୍ପର ଠାରୁ ଦୂରତା ବଜାୟ ରଖିବା ଜରୁରୀ ହୋଇଥିବାରୁ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କମିସନରଙ୍କର ସମସ୍ତ କୋର୍ଟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିପଦ ନ ଟଳିବା ପର୍ଯ୍ୟନ୍ତ କୌଣସି କୋର୍ଟ ବସିବ ନାହିଁ। କୋର୍ଟ ବସିବା ପାଇଁ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ।

ପ୍ରିଭେଣ୍ଟିଭ୍‌ ପ୍ରସିଡିଂରେ ଯେଉଁମାନଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରାଯାଇଛି ସେମାନଙ୍କୁ ଡାକ ଦ୍ବାରା ସୂଚନା ଦିଆଯାଉଛି। ସ୍ଥିତିରେ ଉନ୍ନତି ଘଟିଲେ ପୁଣି ଥରେ ସେମାନଙ୍କୁ ନୂଆ ନୋଟିସ୍‌ ଜାରି କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଗୋଟିଏ ଜାଗାରେ ଅଧିକ ଲୋକ ଠୁଳ ନ ହେବା ପାଇଁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଆଇନର ଧାରା ୧୪୪, ୧୪୫, ୧୧୦ ସହ ଜାତୀୟ ସୁରକ୍ଷା ଆଇନ ବଳରେ ଅଭିଯୋଗର ବିଚାର ହୋଇ ଆଦେଶ କରାଯାଉଥିଲା। ଏବେ ସାମୟିକ ସମୟ ପାଇଁ ତାହା ବନ୍ଦ ହେବାକୁ ଯାଉଛି।

ଏଠାରେ ସୂଚାଇ ଦିଆଯାଇ ପାରେ, କରୋନା ମୁକାବିଲା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ପୁଲିସ କର୍ମଚାରୀମାନଙ୍କୁ ପ୍ରଥମେ ସୁରକ୍ଷିତ ରଖିବା ଜରୁରୀ ହୋଇଛି। ପୁଲିସ ଅଧିକାରୀ, ହସ୍‌ପିଟାଲ କର୍ତ୍ତୃପକ୍ଷ, ବାଟାଲିୟନ ବରିଷ୍ଠ ଅଧିକାରୀଙ୍କ ସହ ନିୟମିତ ଆଲୋଚନା ହେଉଛି। ବାଟାଲିୟନରେ ଶହ ଶହ ଫୋର୍ସ ଏକତ୍ର ରହୁଥିବାରୁ ସେମାନଙ୍କ ଉପରେ ନଜର ରଖିବାକୁ ପ୍ରାଥମିକତା ଦିଆଯାଇଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ହୋଇଛି। ସମସ୍ତ ଥାନା‌ରେ ପୁଲିସ କର୍ମଚାରୀଙ୍କ ସମେତ ହାତ ଧୋଇବା ପାଇଁ ବ୍ୟବସ୍ଥା କରା ଯାଇଥିବା ବେଳେ ଟ୍ରାଫିକ୍‌ ଡ୍ୟୁଟି କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ମାସ୍କ ବ୍ୟବସ୍ଥା କରାଯାଇଛି। ପରିସ୍ଥିତିକୁ ଦେଖି ଆଗକୁ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ପୁଲିସ କମିସନର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe