କନକ ବ୍ୟୁରୋ : ଆସନ୍ତାକାଲି ମୁକ୍ତିଲାଭ କରିବ ହିନ୍ଦୀ ଆକ୍ସନ୍ ୱେବ୍ ସିରିଜ୍ ‘କମାଣ୍ଡୋ’ । ଏଥିରେ ମୁଖ୍ୟ ଭୂମିକାରେ ଓଡ଼ିଶା ମାଟିର ପୁଅ ପ୍ରେମ୍ ପରିଜାଙ୍କୁ ଦେଖିବାକୁ ମିଳିବ । ଓଡ଼ିଆ ପୁଅ ପ୍ରେମ ପରିଜାଙ୍କ ଦମଦାର ଆକ୍ସନ ସାଙ୍ଗକୁ ଜବରଦସ୍ତ ଷ୍ଟଂଟ ସିନେ ପ୍ରେମିକଙ୍କ ମନ ଜିଣିବ । ପୂର୍ବରୁ କମାଣ୍ଡୋ ଚରିତ୍ରରେ ଆକ୍ସନ ହିରୋ ବିଦ୍ୟୁତ ଜୱାଁଲ ଅଭିନୟ କରିଥିବାବେଳେ ଏଥର କିନ୍ତୁ ପରଦାରେ କମାଣ୍ଡୋ ହୋଇ କମାଲ ଦେଖାଇବେ ଆମ ଓଡ଼ିଆ ପୁଅ ପ୍ରେମ୍ ।

Advertisment

କମାଣ୍ଡୋ ୱେବ ସିରିଜରେ ଅଦା ଶର୍ମା, ଅମିତ ସିଆଲ୍, ମୁକେଶ ଛାବ୍ରା ଏବଂ ତିଗମାନସୁ ଧୁଲିଆ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବେ । ଏହି ୱେବ ସିରିଜର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଭିପୁଲ ଅମୃତଲାଲ୍ ଶାହ । ଭୁବନେଶ୍ୱରରେ ଜନ୍ମ ହୋଇଥିବା ପ୍ରେମ୍ ଖୁବ୍ କମ୍ ବୟସରୁ ବଲିଉଡରେ ପାଦ ଥାପିବାର ସ୍ୱପ୍ନ ଦେଖିଥିଲେ । କ୍ୟାରିୟର ଆରମ୍ଭରୁ ବଲିଉଡରେ ଜଣେ ସହ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି ପ୍ରେମ୍ ।

୨୦୧୩ରୁ ୨୦୨୧ ଭିତରେ ‘ୱେଲକମ୍ ଟୁ କରାଚି’, ‘ସତ୍ୟମେବ ଜୟତେ’, ‘ବାଜାର’, ନେଟଫ୍ଲିକ୍ସର ହଲିଉଡ୍ ଧାରାବାହିକ ‘ସେନ୍ସ ୮’, ଏବଂ ‘ବାଟଲା ହାଉସ’ରେ ପରଦା ପଛରେ କାମ କରିଛନ୍ତି ପ୍ରେମ୍ ପରିଜା । ଏବେ କମାଣ୍ଡୋ ୱେବସିରିଜରେ ଲିଡ୍ ରୋଲରେ ନଜର ଆସିବାକୁ ଯାଉଛନ୍ତି । ତେବେ ପୂର୍ବରୁ ମୁକ୍ତିଲାଭ କରିଥିବା ‘କମାଣ୍ଡୋ’ର ଟିଜରକୁ ଖୁବ ପସନ୍ଦ କରିଛନ୍ତି ପ୍ରଶଂସକ ।