କନକ ବ୍ୟୁରୋ: ଆନନ୍ଦପୁର ବିଜେଡିରେ ତେଜିଲା ଗୋଷ୍ଠୀ କନ୍ଦଳ । ପାର୍ବଣରେ ଭିନ୍ନଭିନ୍ନ ସମାବେଶ କଲେ ବିଧାୟକଙ୍କ ସପକ୍ଷ ଓ ବିପକ୍ଷବାଦୀ । କେନ୍ଦୁଝର ଜିଲ୍ଲାର ହାଟଡିହୀ ବ୍ଲକରେ ଗୋଟିଏ ଦିନରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀଙ୍କ ସମାବେଶକୁ ନେଇ ଚର୍ଚ୍ଚା ଜୋର ଧରିଛି । ରବିବାର ଛେନାପଦି ଛକରେ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ପକ୍ଷରୁ ଆୟୋଜିତ ସମାବେଶରେ ପୂର୍ବତନ ବ୍ଲକ ବିଜେଡି ସଭାପତି ଅକ୍ଷୟ କୁମାର ବରାଳ ସଭାପତିତ୍ୱ କରିଥିଲେ । ଏଥିରେ ଭାଗିରଥି ହଟାଓ ଆନନ୍ଦପୁର ବଂଚାଓ ବୋଲି ନାରାବାଜି ଦେଇଥିଲେ କର୍ମୀ । ସେପଟେ ଗଡଚଣ୍ଡୀରେ ବିଧାୟକଙ୍କ ସମର୍ଥକମାନେ ସମାବେଶ କରିଥିଲେ । ଯେଉଁଥିରେ ବିଧାୟକଙ୍କ ସମର୍ଥନରେ ଶତାଧିକ ଲୋକ ସାମିଲ ହୋଇ ବିଧାୟକଙ୍କ କାର୍ଯ୍ୟଧାରକୁ ବଖାଣିଥିଲେ ।