ହସାଉଥିଲେ…କନ୍ଦାଇ ଚାଲିଗଲେ : ଜିମରେ ୱାର୍କ ଆଉଟ ବେଳେ ହୃଦଘାତର ଶିକାର ହୋଇଥିଲେ ରାଜୁ ଶ୍ରୀବାସ୍ତବ

189

କନକ ବ୍ୟୁରୋ : ପରଲୋକରେ କମେଡିଆନ୍ ରାଜୁ ଶ୍ରୀବାସ୍ତବ । ୪୨ ଦିନର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରିଗଲେ ଶ୍ରୀବାସ୍ତବ । କୋମା ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଚାଲିଥିଲା ଚିକିତ୍ସା । ଅଗଷ୍ଟ ୧୦ ତାରିଖ ଦିନ ଜିମରେ ୱାର୍କ ଆଉଟ କରୁଥିବା ବେଳେ ହୃଦଘାତର ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୫୮ ବର୍ଷ ବୟସରେ ସମସ୍ତଙ୍କ ହସାଉଥିବା କମେଡିଆନ୍ ଆଜି ସମସ୍ତଙ୍କୁ କନ୍ଧାଇ ଚାଲିଯାଇଛନ୍ତି । ତାଙ୍କ ପରଲୋକ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ଜଣେ ଷ୍ଟାଣ୍ଡ-ଅପ୍ କମେଡିଆନ ଭାବେ ସାରା ଦେଶରେ ଲୋକପ୍ରିୟ ଥିଲେ ରାଜୁ । ସଂଘର୍ଷରୁ ସଫଳତା ସାଉଁଟିଥିବା କମେଡିଆନ୍ ହେଉଛନ୍ତି ରାଜୁ ଶ୍ରୀବାସ୍ତବ । ତାଙ୍କ ପ୍ରକୃତ ନାମ ଏସ ପି ଶ୍ରୀବାସ୍ତବ । ଯିଏ ପରବର୍ତ୍ତୀ ସମୟରେ ପରିଚିତ ହେଲେ ରାଜୁ ଶ୍ରୀବାସ୍ତବ ନାଁରେ । ରାଜୁ ଶ୍ରୀବାସ୍ତବଙ୍କ ଜନ୍ମ ୧୯୬୩ ମସିହା ଡିସେମ୍ବର ୨୫ରେ କାନପୁରରେ ହୋଇଥିଲା । ତାଙ୍କ ପିତା ରମେଶଚନ୍ଦ୍ର ଶ୍ରୀବାସ୍ତବ କାନପୁର ଜଣେ ପ୍ରତିଷ୍ଠିତ କବି ଥିଲେ । ସେ ବଲାଇ କାକା ନାଁରେ ପରିଚିତ ଥିଲେ । ପିଲାବେଳରୁ ହସିବା ଆଉ ଅନ୍ୟକୁ ହସାଇବାରେ ରାଜୁଙ୍କୁ ମିଳୁଥିଲା ଖୁସି ।

ଅନ୍ୟର ସ୍ୱର ଓ ବ୍ୟକ୍ତିତ୍ୱକୁ ନକଲ କରିବାରେ ସେ ଥିଲେ ମାହିର । ଆଉ ଏହା ହିଁ ତାଙ୍କୁ କମେଡି କରିବାକୁ ପ୍ରବର୍ତାଇଥିଲା । ଦି ଗେଟ୍ ଇଣ୍ଡିଆ ଲାପ୍ଟର ଚ୍ୟାଲେଜରେ ଷ୍ଟାଣ୍ଡ ଅପ୍ କମେଡିୟାନ୍ ଭାବେ ସେକେଣ୍ଡ ରନର୍ସ ଅପ୍ ହୋଇଥିଲେ ରାଜୁ ଶ୍ରୀବାସ୍ତବ । କେବଳ ସେତିକି ନୁହଁନ୍ତି ନ୍ୟାସନାଲ ଟେଲିଭିଜନ୍ ରିୟଲିଟି ଶୋ ବଗବସ୍ ସିଜିନ୍ ଥ୍ରୀ, ନଚ ବଲିୟେ ସିଜିନ୍ -୬, କମେଡି ନାଇଟ୍ ୱିଥ୍ କପିଲରେ ବି ରାଜୁ ଶ୍ରୀବାସ୍ତବଙ୍କୁ ଦେଖିବାକୁ ମିଳିଛି । ଏହା ବ୍ୟତୀତ ବଲିଉଡ ଏକାଧିକ ଚଳଚ୍ଚିତ୍ରରେ ତାଙ୍କୁ କମେଡି କରୁଥିବା ଦେଖିବାକୁ ପାଇଛନ୍ତି ଦର୍ଶକ । ହିନ୍ଦୀ ଫିଲ୍ମ ବାଜିଗର, ମେନେ ପ୍ୟାର କିୟା, ବମ୍ବେ ଟୁ ଗୋୟା, ମେଁ ପ୍ରେମ କି ଦ୍ୱିୱାନି ହିଁ ଆଦି ଏକାଧିକ ଚଳଚିତ୍ରରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି ।