ବଡ ଠାକୁରଙ୍କୁ ନେଇ ଅନୁଭୂତି ବଖାଣିଲେ ହାସ୍ୟ ଅଭିନେତା ପପୁ ପମପମ । କହିଲେ, ଜଗନ୍ନାଥଙ୍କ ବାନା ହାତରେ ବାନ୍ଧିବା ପରେ ନିଶ୍ଚିତ ହୋଇଯାଇଥିଲି ମୁଁ ମରିବିନି ।

282

କନକ ବ୍ୟୁରୋ : ଆଗକୁ ଆସୁଛି ରଥଯାତ୍ରା । ବଡ ଠାକୁରଙ୍କ ବଡ ପରବ । ଅଣସର ଘରୁ ବାହାରିବା ପରେ ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ ଦାଣ୍ଡକୁ ଓହ୍ଲାଇ ଆସିବେ କଳା ଠାକୁର । ବଡଦାଣ୍ଡରେ ଏକାକାର ହୋଇଯିବେ ଭକ୍ତ ଓ ଭଗବାନ । କଳାଠାକୁରଙ୍କ ଟିକିଏ ଝଲକ ପାଇବା ପାଇଁ କାହିଁ କେଉଁ ଆଡୁ ଧାଇଁ ଆସିବେ ଭକ୍ତ । ଭକ୍ତର ଭାବରୁ ହିଁ ସେ ଠଉରାଇ ନିଅନ୍ତି ଭକ୍ତର ଦୁଃଖ ସୁଖ । ବିଶ୍ୱର ଏମିତି ଜଣେ କେହି ଭକ୍ତ ନଥିବ ଯିଏ ମହାପ୍ରଭୁଙ୍କୁ ଭକ୍ତି କରୁଥିବ ଓ ତାଙ୍କ ଦ୍ୱାରା ଉପକୃତ ହୋଇନଥିବ । ସେହିଭଳି ଜଣେ ଭକ୍ତ ଭାବେ ନିଜର ଅନୁଭୂତି କନକ ନ୍ୟୁଜରେ ବଖାଣିଛନ୍ତି ଓଲିଉଡ ହାସ୍ୟ ଅଭିନେତା ପପୁ ପମପମ । କ୍ୟାମେରା ସାମ୍ନାରେ ଜଗନ୍ନାଥଙ୍କ ଅଲୌକିକ କାହାଣୀ ବଖାଣିଛନ୍ତି ପପୁ ପମପମ ।

ଜଗତର ନାଥ ଜଗନ୍ନାଥ । କୁହାଯାଏ ଭାବରେ ଭକ୍ତ ଥରେ ଡାକିଦେଲେ ଜବାବ ଦିଅନ୍ତି କଳା ଠାକୁର । ପଲକ ନ ପକାଇ ରତ୍ନବେଦୀରୁ ଭକ୍ତଙ୍କୁ ଦେଖିଥାନ୍ତି ବଡ଼ ଠାକୁର । ମହାପ୍ରଭୁଙ୍କ ପାଖରେ ଭକ୍ତିର ସହ ଭକ୍ତ ମନରୁ ଯାହା ମାଗିଥାଏ ତାହା ପୂରଣ ହୋଇଥାଏ । ମହାପ୍ରଭୁଙ୍କ ଆର୍ଶୀବାଦ ରହିଲେ ବଡ ବଡ ବିପଦ ମଧ୍ୟ ଆଖି ଆଗରେ ମିଳାଇ ଯାଇଥାଏ ।ମହାପ୍ରଭୁଙ୍କୁ ନେଇ ସେହିଭଳି ଏକ ଅଲୌକିକ ଅନୁଭୂତି କହିଛନ୍ତି ପପୁ । ପପୁଙ୍କ କହିବା ଅନୁଯାୟୀ, ଯେତେବେଳେ ମୋର ଦେହ ଭୀଷଣ ଖରାପ ହୋଇଥିଲା ଓ ଦୀର୍ଘ ଦେଢ ମାସ ଧରି ଦିଲ୍ଲୀର ଏକ ହସ୍ପିଟାଲରେ ଭେଣ୍ଟିଲେଟରରେ ଥିଲି ସେତେବେଳେ ସମସ୍ତେ ଆଶା ଛାଡି ଦେଇଥିଲେ । ଓଡିଶାର ସମସ୍ତ ଲୋକ ଭାବିଥିଲେ ଯେ,ପପୁ ମରିଯିବ ।

ଦେଢ ମାସ ଭେଣ୍ଟିଲେଟରରେ ରହିବା ପରେ ଯେତେବେଳେ ଦେହ ଟିକିଏ ସୁସ୍ଥ ହେଲା ଓ ମୁଁ ଲୋକଙ୍କୁ ଚିହ୍ନିବା ଅବସ୍ଥାକୁ ଆସିଲି ସେତେବେଳେ ଅନେକ ଲୋକ ମୋତେ ଭେଟିବାକୁ ଆସିଥିଲେ । କିନ୍ତୁ ଯେତେବେଳେ ପଦ୍ମଶ୍ରୀ ନୀଳମାଧବ ପଣ୍ଡା ମୋତେ ଦେଖା କରିବାକୁ ଆସିଲେ ସେ ଶ୍ରୀମନ୍ଦିରରୁ ମୋ ପାଇଁ ମହାପ୍ରଭୁଙ୍କର ଖଣ୍ଡିଏ ବାନା ଧରି ଆସିଥିଲେ । ଆଉ ସେହି ବାନାକୁ ମୋ ହାତରେ ବାନ୍ଧି ଦେଇଥିଲେ । ଆଉ ଏହି ବାନାକୁ ହାତରେ ବାନ୍ଧିଲା ପରେ ମୁଁ ନିଶ୍ଚିତ ହୋଇଯାଇଥିଲି ଯେ ମୁଁ ଆଉ ମରିବି ନାହିଁ । କାରଣ ସେହି ବାନାରେ ଜଗନ୍ନାଥଙ୍କ ଆର୍ଶୀବାଦ ମୋ ସହ ରହିଥିଲା ।

ସବୁଠୁ ବଡ କଥା ହେଲା ଏହି ବାନା ହିଁ ମୋତେ ମାନସିକ ସ୍ତରରେ ଶକ୍ତି ଯୋଗାଇଥିଲା । ଯେଉଁ ପରିସ୍ଥିତିରେ ମୁଁ ଥିଲି କେହି ବିଶ୍ୱାସ କରିନଥିଲେ ଯେ, ପୁଣିଥରେ ମୁଁ ସୁସ୍ଥ ହୋଇ ଫେରିବି । କିନ୍ତୁ ନୀଳମାଧବ ପଣ୍ଡା ମୋ ହାତରେ ବାନା ବାନ୍ଧିବା ପରେ ମୋ ଭିତରେ ବଞ୍ଚିବା ପାଇଁ ଆତ୍ମବିଶ୍ୱାସ ବୃଦ୍ଧି ପାଇଥିଲା । ଆଉ ଜଗନ୍ନାଥଙ୍କ ଆର୍ଶୀବାଦରୁ ମୁଁ ଖୁବଶୀଘ୍ର ସୁସ୍ଥ ମଧ୍ୟ ହୋଇଥିଲି ।