କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି । ଏହି ଅବସରରେ ମୋଦୀ ଆଜି ମିଳିତ ଜାତିସଂଘରେ ନିଜର ଅଭିଭାଷଣ ରଖିଛନ୍ତି । ମୋଦୀ ନିଜର ଅଭିଭାଷଣରେ ଆଜି ଗଣତନ୍ତ୍ରଠୁ ଆରମ୍ଭ କରି ଭ୍ୟାକ୍ସିନ୍ ଓ ଆତଙ୍କବାଦ ଉପରେ ନିଜର ମତ ରଖିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୋଦୀ ଆଜି ସାରା ବିଶ୍ୱର ଭ୍ୟାକ୍ସିନ ନିର୍ମାତାଙ୍କୁ ଭାରତ ଆସି ଟିକା ନିର୍ମାଣ କରିବାକୁ ଆହ୍ୱାନ ଦେଇଛନ୍ତି ।
ମୋଦୀ କହିଛନ୍ତି, ଭାରତରେ ଏବେ ଟିକାକରଣ ଆଗେଇ ଚାଲିଛି । ପ୍ରତିଦିନ କୋଟି କୋଟି ଟିକାକରଣ ପାଇଁ ଡିଜିଟାଲ ସହାୟତା ନିଆଯାଉଛି । ତେବେ ଭାରତ ବିଶ୍ୱର ପ୍ରଥମ ଡିଏନଏ ଭ୍ୟାକ୍ସିନ୍ ନିର୍ମାଣ କରିସାରିଛି । ଯାହାକୁ ୧୨ ବର୍ଷରୁ ଅଧିକ ବୟସର ପିଲାମାନେ ନେଇପାରିବେ ବୋଲି ମୋଦୀ କହିଛନ୍ତି । ଏଥିସହିତ ଭାରତର ବୈଜ୍ଞାନିକମାନେ ନାଜାଲ ଭ୍ୟାକ୍ସିନ୍ ମଧ୍ୟ ନିର୍ମାଣ କରିଛନ୍ତି । ଖାଲି ସେତିକି ନୁହେଁ, ମାନବତା ପ୍ରତି ନିଜର ଦାୟିତ୍ୱବୋଧକୁ ବୁଝି ଭାରତ ଏବେ ସାରା ବିଶ୍ୱକୁ ଟିକା ଯୋଗାଇବା ଆରମ୍ଭ କରିଛି ।
#WATCH | "In the last 1.5 years, the entire world has been facing the worst pandemic in 100 years, I pay tribute to all those who have lost their lives in this deadly pandemic and I express my condolences to their families," PM Narendra Modi addresses 76th Session of UNGA. pic.twitter.com/CvO9FJtiDZ
— ANI (@ANI) September 25, 2021
ତେବେ ମୋଦୀ ଆଜି ନିଜ ଅଭିଭାଷଣରେ ସାରା ବିଶ୍ୱର ଭ୍ୟାକ୍ସିନ୍ ନିର୍ମାତାଙ୍କୁ ଭାରତ ଆସି ଭ୍ୟାକ୍ସିନ୍ ନିର୍ମାଣ କରିବାକୁ ଆମନ୍ତ୍ରିତ କରିଛନ୍ତି । ମୋଦୀ କହିଛନ୍ତି, ମୁଁ ବିଶ୍ୱର ଭ୍ୟାକ୍ସିନ୍ ନିର୍ମାତାମାନଙ୍କୁ ଆମନ୍ତ୍ରିତ କରୁଛି, ସେମାନେ ଭାରତ ଆସନ୍ତୁ ଆଉ ଭ୍ୟାକ୍ସିନ୍ ନିର୍ମାଣ କରନ୍ତୁ । ଭ୍ୟାକ୍ସିନ୍ ସହିତ ମୋଦୀ ଆତଙ୍କବାଦ ଉପରେ ମଧ୍ୟ ନିଜ ମତ ରଖିଛନ୍ତି । ଯେଉଁ ଦେଶ ଆତଙ୍କବାଦକୁ ରାଜନୈତିକ କାର୍ଯ୍ୟରେ ବ୍ୟବହାର କରୁଛି, ସେମାନେ ଜାଣିରଖିବା ଉଚିତ୍ ଯେ, ସେହି ଆତଙ୍କବାଦ ହିଁ ସେମାନଙ୍କ ପାଇଁ ଭୟଙ୍କର ସାଜିପାରେ । ତା ସହିତ ତାଲିବାନ ମଧ୍ୟ ଏହି ସ୍ପଷ୍ଟ କରିବା ଉଚିତ୍ ଯେ, ଆଫଗାନିସ୍ତାନ ମାଟି ଆତଙ୍କବାଦ ପାଇଁ ବ୍ୟବହାର ହେବ ନାହିଁ ।